/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752907790.jpg)
ସୁପାରୀ କିଲର୍
ଲଣ୍ଡନର ଆଇଟି ଜଗତରେ ଜଣେ ଆଗଧାଡ଼ିର ବ୍ୟକ୍ତି ଅଜିତ କୁମାର ମୁପ୍ପାରାପୁ। ଜାନୁଆରୀ ୧୭ ତାରିଖରେ ଯେତେବେଳେ ତାଙ୍କୁ ପୁଲିସ ଗିରଫ କଲା ସେତେବେଳେ ଗୋଟିଏ ବଡ଼ ହତ୍ୟା ରହସ୍ୟ ପର୍ଦ୍ଦାଫାସ ହେଲା। ଜଣେ ଶିକ୍ଷିତ ବ୍ୟକ୍ତି ତାଙ୍କ ପତ୍ନୀ, ପୁରା ପରିବାରକୁ ଆର୍ସେନିକ୍ ବିଷ ଦେଇ ହତ୍ୟା କରିବା ଓ ସୁପାରି କିଲରଙ୍କ ସହାୟତା ନେବା ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ କେହି କ’ଣ ବିଶ୍ବାସ କରିପାରିବେ? ଏହି କାହାଣୀ ଜାଣିଲେ ଲୋମ ଟାଙ୍କୁରି ଉଠିବ।
୨୦୦୮ରୁ କାହାଣୀ ଆରମ୍ଭ
ଏହି ଲୋମ ଟାଙ୍କୁରା କାହାଣୀଟି ୨୦୦୮ ମସିହାରୁ ଆରମ୍ଭ ହୁଏ। ହାଇଦ୍ରାବାଦର ବାସିନ୍ଦା ଡକ୍ଟର ସିରିଶା ମୁତ୍ତାରାପୁ। ପେଶାରେ ସେ ଜଣେ ଅଙ୍କୋଲୋଜିଷ୍ଟ। ଅଜିତ କୁମାର ମୁପ୍ପାରାପୁ ତାଙ୍କୁ ବିବାହ କରିଥିଲେ। ଉଭୟ ଇଂଲଣ୍ଡର ବର୍କଶାୟାରରେ ରହୁଥିଲେ। ବାହାଘର ଆରମ୍ଭରେ ବୈବାହିକ ଜୀବନ ଠିକ୍ ଠାକ ଚାଲିଥିଲା। କିନ୍ତୁ ପାଞ୍ଚ ବର୍ଷ ପରେ ୨୦୨୨ରେ ସେମାନଙ୍କ ସମ୍ପର୍କରେ ବଡ଼ ଧରଣର ତିକ୍ତତା ସୃଷ୍ଟି ହୋଇଥିଲା। ସମ୍ପର୍କରେ ଏମିତି ଫାଟ ହେବାରେ ଲାଗିଲା ଯେ ଛାଡ଼ପତ୍ର ଯାଏ କଥା ଯାଇଥିଲା। ଅଜିତ ଏଇଠୁ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ।
୯ ସୁପାରି କିଲରଙ୍କୁ ଦାୟିତ୍ବ
ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ପରେ ବିବାଦ ଛିଣ୍ଡିନଥିଲା। ଅଜିତ କିଛି ଦିନ ବ୍ୟବଧାନରେ ସିରିଶାଙ୍କ ପରିବାରକୁ ସଫା କରିବାକୁ ପ୍ରସ୍ତୁତ କରିଥିଲେ ବଡ଼ ମାଷ୍ଟରପ୍ଲାନ। ଅଜିତ ୨୦୨୩ ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ହାଇଦ୍ରାବାଦରେ ତାଙ୍କ ପୂର୍ବତନ ପତ୍ନୀ ଏବଂ ତାଙ୍କ ପରିବାରକୁ ହତ୍ୟା କରିବା ପାଇଁ ୯ ଜଣ ସୁପାରି କିଲରଙ୍କୁ ଦାୟିତ୍ବ ଦେଇଥିଲେ। ଏମିତି କେହି କଣ କେବେ କରିପାରିବେ? କିନ୍ତୁ ଅଜିତ ସେଭଳି ଭୟଙ୍କର ନିଷ୍ପତ୍ତି ନେଇଥିଲେ।
ବିଷ ହୋମ୍ ଡେଲିଭରି
ଅଜିତ ତାଙ୍କ ୬୦ ବର୍ଷୀୟ ଶାଶୁ ଉମା ମାହେଶ୍ୱରୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ଏମିତି ରଚିଥିଲେ ଯେ ଜାଣିଲେ ଚକିତ ହେଇଯିବେ। ୨୦୨୩ ମାର୍ଚ୍ଚରେ ଅଜିତ ଜଣେ ଖାଦ୍ୟ ଡେଲିଭରୀ ଏଜେଣ୍ଟ ମାଧ୍ୟମରେ ତାଙ୍କ ଶଶୁର ଘରକୁ ଆର୍ସେନିକ୍ ମିଶ୍ରିତ ମସଲା ପଠାଇଥିଲେ। ୨୦୨୩ ଜୁଲାଇ ୫ରେ ମସଲାକୁ ପରିବାର ଲୋକେ ରୋଷେଇ ବେଳେ ବ୍ୟବହାର କରିଥିଲେ। ଏହାକୁ ଖାଇବାର ୯ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ପରବର୍ତ୍ତି ସମୟରେ ଆର୍ସେନିକ୍ ବିଷ ଯୋଗୁ ସିରିଶାଙ୍କ ମା ଉମାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହି ଆର୍ସେନିକ୍ ଅଜିତଙ୍କ ଭଉଣୀ କିଣିଥିଲେ। ପରବର୍ତ୍ତି ସମୟରେ ଏହାକୁ ଉକ୍ତ ମସଲାରେ ମିଶାଯାଇଥିଲା। ଭାଇ-ଭଉଣୀଙ୍କ ଏମିତି ଜଘନ୍ୟ କାଣ୍ଡ ସହଜରେ ବିଶ୍ବାସ ହେଉନାହିଁ।
ଶ୍ୱଶୁରଙ୍କ ପାଇଁ ଦୁର୍ଘଟଣା ଷଡ଼ଯନ୍ତ୍ର
ଅଜିତ ତାଙ୍କ ଶ୍ୱଶୁର ହନୁମନ୍ତ ରାଓଙ୍କୁ ବି ଟାର୍ଗେଟ୍ କରିଥିଲେ। ହତ୍ୟା କରିବା ପାଇଁ ଏକ କାର୍ ଦୁର୍ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର କରିଥିବାର ଜଣାପଡ଼ିଥିଲା। ରାସ୍ତାରେ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି, ତେବେ ଏହା ସଡ଼କ ଦୁର୍ଘଟଣା ଯୋଗୁ ହେଉଥିବା ସାଧାରଣରେ ଗୋଟିଏ ଧାରଣା ରହିଛି। କିନ୍ତୁ ଏହି ଦୁର୍ଘଟଣା ଏକ ଯୋଜନାବଦ୍ଧ ହତ୍ୟା ଥିଲା ବୋଲି କେହି ଜାଣିନଥିଲେ। ପରବର୍ତ୍ତି ସମୟରେ ଅଜିତ ନିଜ ଜାଲରେ ନିଜ ଫସିଯାଇଥିଲେ।
ମାରିବାକୁ ଇଞ୍ଜେକ୍ସନ
ଅଜିତକୁ ପୁଲିସ ଗିରଫ କରିବା ପୂର୍ବରୁ ସେ ଶଶୁର ଘରର ପରିବାର ସଦସ୍ୟଙ୍କୁ 'ସକ୍ସିନିଲକୋଲାଇନ୍' ନାମକ ଏକ ଇଞ୍ଜେକ୍ସନ ଦେବାକୁ ଯୋଜନା କରିଥିଲେ। ଏହା ଏକ ଏଭଳି ଇଞ୍ଜେକ୍ସନ ଯାହା ମାଂସପେଶୀକୁ ଆରାମ ଦେବା ପାଇଁ ବ୍ୟବହୃତ ହୋଇଥାଏ। କିନ୍ତୁ ଯଦି ଏହାକୁ ଭିନ୍ନ ଭାବେ ବ୍ୟବହାର କରାଯାଏ ତେବେ ଏଥିରେ ଜଣେ ବ୍ୟକ୍ତିର ଜୀବନ ବି ଯିବାର ଯଥେଷ୍ଠ ଆଶଙ୍କା ରହିଛି। କେମିତି ଭୟାନକ ଚିନ୍ତା ଅଜିତ କରିପାରନ୍ତି, ଏକଥା ଶୁଣିଲେ ମୁଣ୍ଡ ଘୁରାଇ ଦେଉଛି।
ଇଂଲଣ୍ଡରେ ମାମଲାର ଶୁଣାଣି
୧୮ ବର୍ଷ ଧରି ଇଂଲଣ୍ଡରେ ରହୁଥିବା ଅଜିତଙ୍କ ଏହି ଭୟଙ୍କର ଚରିତ୍ର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟରେ ସାମନାକୁ ଆସିଲା। ଏଚଏମପି ୱାଣ୍ଡସୱର୍ଥରୁ ଭିଡିଓ ଲିଙ୍କ୍ ମାଧ୍ୟମରେ ହାଜର ହୋଇଥିବା ଅଜିତଙ୍କୁ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଜେଲ୍ ହାଜତକୁ ପଠାଯାଇଛି। ନଭେମ୍ବର ୭ ତାରିଖରେ ହେବାକୁ ଥିବା ଶୁଣାଣି ଉପରେ ପୂରା ହତ୍ୟା ମାମଲାର ଭବିଷ୍ୟତ ନିର୍ଭର କରୁଛି।