• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରେମରେ ବ୍ରେକ୍ ଅପ୍, ପ୍ରେମିକାର ପ୍ରତାରଣା ନା ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ? କେଉଁ କାରଣରୁ ଜୀବନ ହାରିଲେ ରାଜଧାନୀର ବହୁ ଚର୍ଚ୍ଚିତ ଡିଜେ ଆଜେକ୍ସ ? ତାକୁ ନେଇ ଲାଗିରହିଥିବା ସସ୍‌ପେନ୍ସ ଭିତରେ ପୋଲିସ ହାତରେ ଲାଗିଛି ମୃତ୍ୟୁ ପୂର୍ବରୁ ବାନ୍ଧବୀ ଜିଜ୍ଞାସା ଓ ଆଜେକ୍ସଙ୍କ ମଧ୍ୟରେ ହୋଇଥିବା ୯୭ ସେକେଣ୍ଡର ଫୋନ କଲ୍ । କେବଳ ବାନ୍ଧବୀ ନୁହେଁ, ନିଜ ଭଉଣୀଙ୍କୁ ବି ଆଜେକ୍ସ ପଠାଇଛନ୍ତି ଶେଷ ମେସେଜ୍ । ତେବେ କ’ଣ ଅଛି ସେହି ଶେଷ ଫୋନ କଲ୍‌ ଏବଂ ଶେଷ ମେସେଜରେ ? ଜାଣନ୍ତୁ ପୂରା ଘଟଣା.. 

ରାଜଧାନୀର ଚର୍ଚ୍ଚିତ ଡିଜେ ଆଜେକ୍ସଙ୍କ ମୃତ୍ୟୁ ପଛରେ ଦାୟୀ କିଏ ? ମୃତ୍ୟୁର ୬ ଦିନ ପରେ ବି କାହିଁକି ହୋଇପାରୁନି ସ୍ପଷ୍ଟ ? ବାନ୍ଧବୀ ଜିଜ୍ଞାସାଙ୍କ ବିରୋଧରେ ଦଫା ୩୦୬ ଲାଗିଥିଲେ ବି ନରମ ଆଭିମୁଖ୍ୟ ରଖୁଛି ପୋଲିସ ? ଏଭଳି ନାନା ପ୍ରଶ୍ନ ଭିତରେ ଉତ୍ତର ଖୋଜୁଛିି ଆଜେକ୍ସଙ୍କ ପରିବାର । ଆଉ ତାହାରି ଭିତରେ ସାମ୍ନାକୁ ଆସିଛି ମୃତ୍ୟୁ ପୂର୍ବରୁ ଆଜେକ୍ସ ଓ ବାନ୍ଧବୀ ଜିଜ୍ଞାସା ମଧ୍ୟରେ ହୋଇଥିବା ୯୭ ସେକେଣ୍ଡର ଟେଲିଫୋନିକ କଥାବାର୍ତ୍ତା ।

ସେଦିନ ଥିଲା ମାର୍ଚ୍ଚ ୧୮, ସମୟ ସଂଧ୍ୟା । ଯେଉଁ ସଂଧ୍ୟା ଥିଲା ଆଜେକ୍ସ ପାଇଁ ଶେଷ ସଂଧ୍ୟା । ଯେଉଁ କଲ୍ ଥିଲା ଜିଜ୍ଞାସାଙ୍କ ଉଦ୍ଦେଶ୍ୟରେ ଲାଷ୍ଟ କଲ୍ । ଯାହା ଲାଗିଛି ପୋଲିସ ହାତରେ । ମିଳିଥିବା ସୂଚନା ଅନୁଯାୟୀ, ଏହି ଫୋନ କଲରେ ଜିଜ୍ଞାସାଙ୍କୁ ବୁଝାଉଛନ୍ତି ଆଜେକ୍ସ । ସମ୍ପର୍କ ନତୁଟାଇବା ପାଇଁ ବାରମ୍ବାର ନେହୁରା ହେଉଛନ୍ତି ଆଜେକ୍ସ । ଆଉ ଏହି କଲର ଠିକ୍ ପରେ ପରେ ଆଜେକ୍ସ ନେଇଛନ୍ତି ଚରମ ପଦକ୍ଷେପ ।

ସ୍ଥିତି ଏମିତି ହେଲା ଯେ, ୯୭ ସେକେଣ୍ଡର ଏହି ଫୋନ କଲ୍ ପରେ ପରେ ଜିଜ୍ଞାସାଙ୍କ ଭିଡ଼ିଓ କଲକୁ ଆଉ ରିସିଭି କରିନାହାଁନ୍ତି ଆଜେକ୍ସ ଓରଫ୍ ଅକ୍ଷୟ ମହାରଣା । ଆଶଙ୍କା କରାଯାଉଛି, ଭିଡ଼ିଓ କଲ୍ ପୂର୍ବରୁ ହିଁ ଆଜେକ୍ସଙ୍କ ମୃତ୍ୟୁ ହୋଇଯାଇଛି । କେବଳ ଏତିକି ନୁହେଁ, ଆତ୍ମହତ୍ୟା ପୂର୍ବରୁ ସେହି ୧୮ରେ ନିଜ ଭଉଣୀଙ୍କୁ ହ୍ୱାଟସଆପ୍ ମେସେଜ୍ କରି ଫୋନ, ବ୍ୟାଙ୍କ ଆକାଉଣ୍ଟ ସହ ଏଟିଏମର ପାସୱାର୍ଡ ସେୟାର କରିଛନ୍ତି । 

ସେପଟେ ଡିଜେ ଆଜେକ୍ସ ମୃତ୍ୟୁ ମାମଲାର ଜାରି ରହିଛି ଖୋଳତାଡ଼। ଖାରବେଳ ନଗର ଥାନାରେ ପହଞ୍ଚି ଜବତ ଡିଜିଟାଲ ଏଭିଡେନ୍ସ ଗୁଡ଼ିକୁ ଯାଞ୍ଚ କରିବା ସହ ପୋଲିସ ହାତରୁ ଏସବୁକୁ ନେଇଛି ସାଇବର ଟିମ୍ । ଯେଉଁଥିରେ ରହିଛି ଆଜେକ୍ସଙ୍କ ମୋବାଇଲ୍ ଏବଂ ଲାପଟପ । ସୋସିଆଲ ମିଡିଆ ମେସେଜ ସହ ମୃତ୍ୟୁ ପୂର୍ବରୁ ଇ ମେଲରେ ପଠାଇଥିବା ଫଟୋ ଓ ଭଏସ୍ ଟେକ୍ସଟ ଗୁଡ଼ିକୁ ବି ପୋଲିସ ଯାଞ୍ଚ କରିବ ।

କେବଳ ଏତିକି ନୁହେଁ, ଜିଜ୍ଞାସାଙ୍କୁ ଛାଡ଼ି ଆଜେକ୍ସଙ୍କ ସହ ଆଉ ଜଣେ ଯୁବତୀଙ୍କ ସମ୍ପର୍କ ଥିବା କଥା ସାମ୍ନାକୁ ଆସିଥିବାରୁ ତାଙ୍କୁ ବି ପୋଲିସ ଜେରା କରିବ। କାରଣ ସଂପୃକ୍ତ ଯୁବତୀ, ଆଜେକ୍ସ ଓ ଜିଜ୍ଞାସାଙ୍କ ମଧ୍ୟରେ ହୋଇଥିବା ଏକ କନଫରେନ୍ସ କଲ୍‌ର ପ୍ରମାଣ ପାଇଛି ପୋଲିସ । ଜିଜ୍ଞାସାଙ୍କ ପୁରୁଷ ବନ୍ଧୁ ରଶ୍ମିରଂଜନଙ୍କୁ
ବି ପୋଲିସ ଜେରା କରିିବ । ଯାହା ସବୁ ଅଭିଯୋଗ ଆସୁଛି, ସେସବୁକୁ ଆମେ ଗୁରୁତ୍ୱର ସହ ନେଇଛୁ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି ।

ତେବେ ଆଜେକ୍ସଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗ ଆଧାରରେ ଆଇପିସି ଦଫା ୩୦୬ ଲଗାଇ ତଦନ୍ତ କରୁଛି ପୋଲିସ । ଏଭଳି ସ୍ଥିତିରେ ଅଭିଯୋଗ ଯଦି ପ୍ରମାଣିତ ହୁଏ, ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବ । ତେବେ ଏନେଇ ଜିଜ୍ଞାସା, ତାଙ୍କ ପରିବାର ଏବଂ ପୁରୁଷବନ୍ଧୁଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

(ରିପୋର୍ଟର- କଟକରୁ ଗୌତମ ପଣ୍ଡା ଏବଂ ଭୁବନେଶ୍ୱରରୁ ଆଲୋକ ମହାନ୍ତି)