ପୋଲିସ ପଞ୍ଝାରେ ମନ୍ଦିର ଲୁଟେରା ଗ୍ୟାଙ୍ଗ । ନୟାଗଡ଼ ଦକ୍ଷିଣକାଳୀ ମନ୍ଦିର ଚୋରି ଲିଙ୍କରୁ ପୋଲିସ ହାତରେ ଧରାପଡିଛି ରାଜ୍ୟସ୍ତରୀୟ ମନ୍ଦିର ଲୁଟେରା ଗ୍ୟାଙ୍ଗ । ଅତ୍ୟାଧୁନିକ ଜ୍ଞାନକୌଶଳ AI କୁ ବ୍ୟବହାର କରି ଏହି ସଫଳତା ପାଇଛି ନୟାଗଡ଼ ପୋଲିସ । ୪ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ସୁନା ଅଳଙ୍କାର ଜବତ କରିଛି ।
ଅଧିକ ପଢ଼ନ୍ତୁ: ଗହଣା ସୋ ରୁମରୁ ସୁନା ଚୋରାଉଥିଲା ନିଜେ କର୍ମଚାରୀ !
ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲାର ସୁଶାନ୍ତ କର୍ମୀ, ସୁବର୍ଣ୍ଣପୁରର ଲକ୍ଷ୍ମୀନାରାୟଣ ନାୟକ ଓ ସାହିଲ ପାତ୍ର ଏବଂ ନୟାଗଡ଼ର ଗୌରହରି ନାୟକ । ଏମାନେ ମନ୍ଦିରଗୁଡିକୁ ଟାର୍ଗେଟ କରି ସୁନା, ରୁପା ଅଳଙ୍କାର ଲୁଟ୍ କରୁଥିଲେ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୟାଗଡ଼ ଏସପି ଏସ୍. ସୁଶ୍ରୀ ।
ସୂଚନା ମୁତାବକ, ନୟାଗଡ଼ ଗୋପୀନାଥ ଓ ଦକ୍ଷିଣକାଳୀ ମନ୍ଦିରରୁ ଗତକିଛି ଦିନ ତଳେ ଚୋରି ହୋଇଥିଲା । ଏହି ଘଟଣାରେ ଚୋରକୁ ଧରିବାକୁ ସିସିଟିଭି ଫୁଟେଜ ସହ AIର ସହାୟତା ନେଇଥିଲା ପୋଲିସ । ଏପରିକି ଚୋରର ଫଟୋ ଓ ଭିଡ଼ିଓ ଜାରି କରିଥିଲା । ଶେଷରେ ଟାଉନ ଥାନା ଆଇଆଇସି, ନୟାଗଡ଼ SDPOଙ୍କୁ ନେଇ ଗଠିତ ଏକ ସ୍ପେଶାଲ ସ୍କ୍ୱାଡ୍ ଲୁଟେରା ଗ୍ୟାଙ୍ଗକୁ ଧରିଛି ।
ସେମାନଙ୍କଠାରୁ ନୟାଗଡ଼ ଦକ୍ଷିଣକାଳୀ ମନ୍ଦିର ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଶେଷ କରି ମନ୍ଦିରରୁ ଚୋରି ହୋଇଥିବା ବିପୁଳ ପରିମାଣର ସୁନା ଅଳଙ୍କାର ଜବତ କରିଛି ପୋଲିସ । ଏଥିରେ ୩୪ ଗ୍ରାମ ସୁନା, ଦେଢ କେଜିରୁ ଅଧିକ ପରିମାଣର ରୁପା ଏବଂ ୩୪ କେଜି ପିତ୍ତଳ ସହ ୪୦ ହଜାର ଟଙ୍କା ଜବତ ହୋଇଛି । ଅଧିକ ତଦନ୍ତ ପାଇଁ ଚୋରଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ନୟାଗଡ଼ ଏସପି ।