• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

5T ଯୁଗରେ ରାଜ୍ୟ ସରକାରଙ୍କ ଜଣେ ସରକାରୀ ବାବୁଙ୍କ ସମ୍ପତ୍ତି ଠୁଳର କଳା କାହାଣୀ । ଯିଏ ଜଣେ MVI, କିନ୍ତୁ ଚାକିରୀ କାଳରେ ଏତେ ଧନ ସମ୍ପତ୍ତି ଗୋଟାଇ ବସିଲେ ଯେ, ଗଣି ଗଣି ହାଲିଆ ହୋଇଯାଇଛି ଭିଜିଲାନ୍ସ । ଭୁବନେଶ୍ୱରରେ ଯୁଆଡ଼େ ଚାହିଁବେ ସେଆଡ଼େ ପାଇବେ ଜମିବାଡ଼ି । ଏପରିକି ଯାନବାହନ ବି ମିଳିଛି । ହେଲେ ବାବୁଙ୍କ ଖାସିୟତ୍ ହେଉଛି, ଅଧିକାଂଶ ସମ୍ପତ୍ତି ଲେଖିଦେଇଛନ୍ତି ଶାଳକ ଓ ପୁତୁରା ନାଁରେ । ତେବେ କିଏ ସେହି କରିତକର୍ମା ବାବୁ ?

ସରକାରୀ ଚାକିରୀ..ପଦବୀ ମୋଟର୍ ଭେଇକିଲ୍ ଇନିସପେକ୍ଟର ବା MVI । ଆଉ ଏହି ଲାଭଜନକ ପଦବୀର ଅଧିକାରୀ ହେଉଛନ୍ତି ଜଣେ ସରକାରୀ ବାବୁ । ଯାହାଙ୍କ ନାଁ ପଞ୍ଚାନନ ବେହେରା,ନୟାଗଡ଼ର MVI । ହେଲେ ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଏବେ ଟେରା । କାରଣ ରାଜଧାନୀ ଭୁବନେଶ୍ୱରରେ ଭିଜିଲାନ୍ସ ଯେଉଁଠି ହାତ ମାରୁଛି ପ୍ରାୟତଃ ସେହି ସ୍ଥାନରୁ ବାହାରୁଛି MVI ବାବୁଙ୍କ ଜାଗାବାଡ଼ି ।

ଭିଜିଲାନ୍ସର ତଥ୍ୟ କହୁଛି, ଭୁବନେଶ୍ବରର ପ୍ରାଇମ୍ ଲୋକେସନରେ ରହିଛି ସତେଇଶଟି ପ୍ଲଟ୍ । ହଁ ଠିକ୍ ଶୁଣିଲେ, ଟୋଟାଲ୍ ୩୧ଟି ପ୍ଲଟ୍ । ସେହି ୩୧ଟି ପ୍ଲଟ୍ ମଧ୍ୟରେ ରହିଛି ୧୦ଟି ବେନାମୀ । ଆଉ ମୋଟ୍ ୩୧ଟି ପ୍ଲଟ ଭିତରୁ ଜମି ମାଫିଆ ଏବଂ ଦଲାଲଙ୍କ କବଜାରେ ଥିବା ପଥରଗାଡ଼ିଆରେ ୧୮ଟି ପ୍ଲଟର ମିଳିଛି ସନ୍ଧାନ ।

ବଳ ପ୍ଲଟ୍ କାହିଁକି, ଶୈଳଶ୍ରୀ ବିହାରରେ ୩ ହଜାର ସ୍କୋୟାର ଫୁଟର ଏବଂ ପାଣ୍ଡରା ସତ୍ୟବିହାରରେ ୨୪ଶହ ସ୍କୋୟାର ଫୁଟର ଗୋଟିଏ ଲେଖାଏଁ କୋଠା ବି ଭିଜିଲାନ୍ସ ଟିମ୍ ଠାବ କରିଛି । ଏପରିକି ୪ଟି ବେନାମୀ ୪ ଚକିଆ ଗାଡ଼ି ସହ ଅନ୍ୟ ସମ୍ପତ୍ତି ବି ପାଇଛି ଭିଜିଲାନ୍ସ । ବଡ଼ କଥା ହେଉଛି, ଅଧିକାଂଶ ସମ୍ପତ୍ତି ନିଜର ଶାଳକ ଏବଂ ପୁତୁରା ନାଁରେ ରଖିଛନ୍ତି MVI ବାବୁ ।

୧୯୮୯ ମସିହାରେ ଜନସ୍ୱାସ୍ଥ୍ୟ ବିଭାଗର ଜୁନିୟର ଇଞ୍ଜିନିୟର ଭାବେ ଚାକିରୀ ଆରମ୍ଭ କରିଥିଲେ ପଞ୍ଚାନନ । ଏହାପରେ ୨୦୦୩ରେ ବନିଗଲେ ଜୁନିୟର ଏମଭିଆଇ । ତା ପରେ ପ୍ରମୋସନ ପାଇ ଏମଭିଆଇ ହେଲେ । ଆଉ ୩୫ ବର୍ଷ ଧରି ଚାକିରୀ କରିବା ପରେ ଏବେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ପୈତୃକ ଘର ସମେତ ୭ଟି ଜାଗାରେ ଛାପା ମାରିଛି ଭିଜିଲାନ୍ସ ।

ଏଠି ପ୍ରଶ୍ନ ଉଠୁଛି, କେଉଁ ସୂତ୍ରରୁ ଏତେ ସମ୍ପତ୍ତି ଠୁଳ କରିଛନ୍ତି ପଞ୍ଚାନନ ? ଯେହେତୁ ସେ ମୋଟର୍ ଭେଇକିଲ୍ ଇନିସପେକ୍ଟର ଥିଲେ, ଏହାର ଫାଇଦା ଉଠାଇ କମର୍ସିଆଲ୍ ଗାଡ଼ି ଯାଞ୍ଚ, ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ, ମୋଟର ଭେହିକିଲ୍ ଭାଲୁଏସନ୍ ନାଁରେ ଅସଦ୍ ଉପାର୍ଜନ କରିନାହାଁନ୍ତି ତ ? ନିଜେ ବର୍ତ୍ତିଯିବା ପାଇଁ ଠୁଳ ସମ୍ପତ୍ତିକୁ ସଂପର୍କୀୟଙ୍କ ନାଁରେ କରିଥିଲେ କି ପଞ୍ଚାନନ ? ଅପେକ୍ଷା, ଆକଳନ ସରିବା ପରେ କି ତଥ୍ୟ ସାମ୍ନାକୁ ଆଣୁଛି ଭିଜିଲାନ୍ସ ।

ସରକାରୀ ପଦପଦବୀରେ ରହି ଆଖିତରାଟିଲା ଭଳି ସମ୍ପତ୍ତି ଠୁଳ କରିବାରେ ବାବୁ ପଞ୍ଚାନନ ଜଣେ ନୁହଁନ୍ତି । ଇତିମଧ୍ୟରେ ବହୁ ବଡ଼ବଡ଼ିଆ ଅଫିସର ବନ୍ଧା ହେଲେଣି । ଭିଜିଲାନ୍ସର ସବିଶେଷ ତଥ୍ୟ କହୁଛି, ୨୦୨୩ରେ ପଞ୍ଜିକୃତ ହୋଇଥିଲା ୮୫ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା । ଯେଉଁଥିରେ ୧୨୪ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିବାବେଳେ ୩୭ ଜଣ କ୍ଲାସ୍ ୱାନ୍ ଅଫିସର ଏବଂ ୧୯ ଜଣ ସେକେଣ୍ଡ କ୍ଲାସ୍ ଅଫିସରଙ୍କ ସମେତ ୮୯ ଜଣ ସରକାରୀ ବାବୁ ଧରାପଡ଼ିଲେଣି । ଏଭଳି ସ୍ଥିତିରେ ୬୦ ପ୍ରତିଶତ ଦଣ୍ଡବିଧାନ ହାରକୁ ନେଇ ରାଜ୍ୟ ସରକାର ଖୁସି ଅଛନ୍ତି ସତ, କିନ୍ତୁ ଦୁର୍ନୀତିର ଚେର କେମିତି ଉପୁଡ଼ାଯିବ, ଥଳକୂଳ ପାଉନାହାଁନ୍ତି ।

(ରିପୋର୍ଟ- ନୟାଗଡ଼ରୁ ଜୟେନ୍ଦ୍ର ବେହେରା)