• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ସାମ୍ନାକୁ ଆସିଲା ନକ୍ସଲ ହିଂସା । ଯାତ୍ରା ମଝିରୁ ଟେକି ନେଇ ଅତି ନିର୍ମମ ଭାବେ କଲେ ହତ୍ୟା । ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ନକ୍ସଲଙ୍କ ଏଭଳି ହିଂସାକାଣ୍ଡ । ଜଣେ ସରପଞ୍ଚଙ୍କୁ ଟେକି ନେଇ ୫୦ରୁ ଅଧିକ ନକ୍ସଲ ହତ୍ୟା କରିଛନ୍ତି । ପ୍ରଥମେ ମୁଣ୍ଡକୁ ଟାଙ୍ଗିଆ ଚୋଟ, ପରେ ସମସ୍ତେ ମିଶି କରିଥିଲେ ଛୁରା ମାଡ଼ ।

ତେବେ ଏହି ଘଟଣାକୁ ନେଇ ଏବେ ପୁରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ହତ୍ୟା କରିବା ପରେ ନକ୍ସଲମାନେ ଏକ ପୋଷ୍ଟର ମଧ୍ୟ ଛାଡ଼ି ଯାଇଛନ୍ତି । ଯେଉଁଥିରେ ସ୍ପଷ୍ଟ ଲେଖାଯାଇଛି ଯେ, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ହତ୍ୟା କରାଯାଇଛି ।

କିରଣ୍ଡୁଲ ଥାନା ଠାରୁ ମାତ୍ର ୮ କିଲୋମିଟର ଦୂରରେ ନକ୍ସଲ ଏହି ରକ୍ତ ଖେଳ ଖେଳିଛନ୍ତି । ମୃତକ ହେଉଛନ୍ତି ହିରୋଲି ପଂଚାୟତର ସରପଞ୍ଚ ଜଗା କୁଂଜମିଙ୍କୁ । ଗତ ତିନି ଦିନ ହେଲା ହିରୋଲି ଗ୍ରାମରେ ଯାତ୍ରା ଚାଲିଛି । ବିଭିନ୍ନ ଗ୍ରାମର ଶହ ଶହ ଲୋକ ଏହି ଯାତ୍ରରେ ରୁଣ୍ଡ ହେବା ସହ ଦେବୀ ଦେବତାଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ଏହାସହ ଏଠାରେ ନାଚ ଗୀତର ଅସର ମଧ୍ୟ ଚାଲିଛି । ଏହି ସମୟରେ ଜଗା ମଧ୍ୟ ନାଚ ଗୀତରେ ମସଗୁଲ ଥିଲେ ।

ତେବେ ଜଣେ ନକ୍ସଲ ସାଧା ପୋଷାକରେ ଜଗାକୁ ଡାକି ନେଇ ନିକଟସ୍ଥ ଜମିକୁ ନେଇଥିଲା । ସେଠାରେ ପୂର୍ବରୁ ୫୦ରେ ଅଧିକ ସଶସ୍ତ୍ର ନକ୍ସଲ ଜଗି ବସିଥିଲେ । ଜଗା ସେଠାରେ ପହଂଚିବା ମାତ୍ରେ ନକ୍ସଲଙ୍କ ମଧ୍ୟରୁ ଜଣେ ଜଗାର ମୁଣ୍ଡକୁ ଟାଙ୍ଗିଆ ସାହାଯ୍ୟରେ ପ୍ରହାର କରିଥିଲା । ଜଗା ତଳେ ପଡିଯିବା ପରେ ଅନ୍ୟ ସମସ୍ତେ, ଛୁରୀ-ଭୁଜାଲିରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ହତ୍ୟା କରିବା ପରେ ସେଠାରେ ଏକ ପୋଷ୍ଟର ମଧ୍ୟ ଛାଡିଛନ୍ତି ନକ୍ସଲ । ଜଗା ପୋଲିସ ଇନ୍‌ଫର୍ମର ଥିଲା ବୋଲି ସେଥିରେ କୁହାଯାଇଛି । ଏହାସହ ଗାଙ୍ଗୁଲୁର ଏରିଆ କମିଟି ତରଫରୁ ଏହି ଘଟଣା ଘଟାଯାଇଥିବା ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।