Advertisment

ଏଯାଏଁ ଜଣାପଡ଼ିନି ମୋଟିଭ୍, ଚୁପ୍ କାହିଁକି କ୍ରାଇମବ୍ରାଞ୍ଚ ? ନାର୍କୋଟେଷ୍ଟରେ ମିଛ ବି କୁହାଯାଇପାରେ..

ନାର୍କୋଟେଷ୍ଟରେ ଗୋପାଳର ସତ ମିଛକୁ ନେଇ ବି ସସପେନ୍ସ । କୋର୍ଟରେ କେତେ ଗ୍ରହଣୀୟ ହେବ ରିପୋର୍ଟ, ଉଠିଲା ପ୍ରଶ୍ନ ।

author-image
Satyendu Shekher Mishra
Crime Branch

Crime Branch

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପଛର ଉଦ୍ଦେଶ୍ୟ ଗଲା କୁଆଡ଼େ ? ୨୦ ଦିନ ହେଲା, ମର୍ଡର, ମୋଟିଭ୍ ଓ ମିଷ୍ଟ୍ରିର ଗୁମର ଫିଟାଉନି କ୍ରାଇମବ୍ରାଞ୍ଚ । ଡେମୋ ସହ LVA, ସାଇକୋଲଜିକାଲ, ପଲିଗ୍ରାଫ୍ ଓ ନାର୍କୋଟେଷ୍ଟ ପରେ ବି ସସପେନ୍ସ ଉପରୁ ପରଦା ନହଟାଇ ନୀରବ କାହିଁକି ବୋଥ୍ରା ଆଣ୍ଡ କୋ ? ସତ ଜାଣିବାର ଶେଷ ଅସ୍ତ୍ର ଭାବେ ବ୍ରଜରାଜନଗରରୁ ସୁଦୂର ଗୁଜରାଟକୁ ନେଇ ନାର୍କୋଟେଷ୍ଟ କରି ଗୋପାଳ ମନର ରହସ୍ୟକୁ ଭେଦିସାରିଛି ତ କ୍ରାଇମବ୍ରାଞ୍ଚ ।

Advertisment

ଗାନ୍ଧୀନଗର ଡିରେକ୍ଟୋରେଟ୍ ଅଫ୍ ଫରେନ୍ସିକ ସାଇନ୍ସ-DFSରେ ସୋଡ଼ିୟମ ପେଣ୍ଟୋଥାଲ୍ ଭଳି ଡ୍ରଗ୍ସ ଦେଇ ପ୍ରାୟ ୭ ଘଣ୍ଟା ଧରି ନାର୍କୋଟେଷ୍ଟ କରାଯାଇଛି ଗୋପାଳର । ହେଲେ ନାର୍କୋଟେଷ୍ଟ ବେଳେ ଜଣେ ଅଭିଯୁକ୍ତ ଅବଚେତନ ଅବସ୍ଥାରେ ଥାଇ କଣ ସତ ଉଗାରି ଦେଇପାରେ ? ନା ବୟାନକୁ ଏପଟ ସେପଟ କରିପାରିବ ସେ ? ତେବେ ନିଶ୍ଚେତକ ବିଶେଷଜ୍ଞଙ୍କ କହିବା କଥା, ନାର୍କୋଟେଷ୍ଟ ବେଳେ ଜଣେ ଅଭିଯୁକ୍ତ ମିଛ ବି କହିପାରେ ।

ଯେଉଁଦିନ ଗିରଫ ହୋଇଥିଲା ଅଭିଯୁକ୍ତ ଗୋପାଳ, ସେଦିନ କୁହାଯାଉଥିଲା ସେ ଜଣେ ବାଇପୋଲାର ରୋଗୀ । ଅର୍ଥାତ ଗୋପାଳ ସୁସ୍ଥ ମାନସିକଧାରୀ ନୁହଁ । କିନ୍ତୁ ପରବର୍ତ୍ତୀ ସମୟରେ ସେହି ଗୋପାଳକୁ ଧରି ବୟାନ ରେକର୍ଡ କରାଯିବା ସହ ମାନସିକ ସ୍ଥିତି ଜାଣିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସହାୟତାରେ ସାଇକୋଲଜିକାଲ ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ଏବେ ବି ସାମ୍ନାକୁ ଆସିନି ।

Advertisment

ତେବେ ବରିଷ୍ଠ ଆଇନଜୀବୀଙ୍କ କହିବା କଥା, ଆଇପିସି ଧାରା-୮୪ ଓ ୯୦ ଅନୁସାରେ କୌଣସ ଅସୁସ୍ଥ ମସ୍ତିଷ୍କ ବ୍ୟକ୍ତିଙ୍କ ନାର୍କୋ ଏବଂ ପଲିଗ୍ରାଫ୍ ଟେଷ୍ଟକୁ ସାକ୍ଷ୍ୟ ପ୍ରମାଣ ଭାବେ ଗ୍ରହଣ କରାଯାଏ ନାହିଁ । ଏକଥା ଜାଣିବି ତଦନ୍ତକାରୀ ସଂସ୍ଥା ବୟାନ ରେକର୍ଡ କଲା କେମିତି ବୋଲି ପ୍ରଶ୍ନ ଉଠାଇବା ସହ ଷଡ଼ଯନ୍ତ୍ରକାରୀଙ୍କୁ ଖସାଇବାକୁ କେବଳ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ।

ତେବେ ନବ ଦାସଙ୍କୁ ଗୁଳିକାଣ୍ଡ ପଛରେ ବ୍ୟାବସାୟିକ, ବ୍ୟକ୍ତିଗତ ଶତ୍ରୁତା, ରାଜନୈତିକ ଷଡ଼ଯନ୍ତ୍ର ନା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ମତରେ ଏହା ଏକ ଆରେଞ୍ଜ୍ଡ଼ ମର୍ଡର ? ତାକୁ ନେଇ ଲାଗିରହିଥିବା ସସପେନ୍ସ ଭିତରେ ମୋଟିଭ୍‌କୁ ନେଇ ନବଙ୍କ ପରିବାର ଏକପ୍ରକାର ଅନ୍ଧାରରେ । ଝିଅ ଦିପାଲୀ ଦାସ ଗଣମାଧ୍ୟମକୁ ମାପିଚୁପି ପ୍ରତିକ୍ରିୟା ରଖିଛନ୍ତି । କ୍ରାଇମବ୍ରାଞ୍ଚର ଚୁଡାନ୍ତ ରିପୋର୍ଟକୁ ଅପେକ୍ଷା କରିଛୁ ବୋଲି କହି ତଦନ୍ତକୁ ନେଇ ସେ ପୁରା ସନ୍ତଷ୍ଟ କି ଅସନ୍ତୁଷ୍ଟ ସ୍ପଷ୍ଟ କରିନାହାଁନ୍ତି ଦୀପାଲି।

ଭିନ୍ନ ସ୍ଥାନରେ ହୋଇଥିବା ତଦନ୍ତ କାର୍ଯ୍ୟ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି । ଏହାବାଦ୍ ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି.ଦାସ ତଦନ୍ତ ପ୍ରକ୍ରିୟା ତଦାରଖ କରୁଛନ୍ତି । ଯାହାର ବୈଧତାକୁ ନେଇ ବିଜେପି ବାରମ୍ବାର ପ୍ରଶ୍ନ ଉଠାଇଥିବା ବେଳେ ଏ ଯାଏଁ ସରକାର ସ୍ପଷ୍ଟୀକରଣ ରଖିପାରିନାହାଁନ୍ତି ।

Naba Das Firing
Advertisment
Advertisment