• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସେଦିନ ଥିଲା ରବିବାର.. ଆଜି ବି ସେହି ରବିବାର.. ଆତତାୟୀର ଅନ୍ଧାଧୂନ ଫାୟାରିଂରେ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଠିକ୍ ସପ୍ତାହେ ପୁରିଲା । ଯେଉଁ ପୁଅ 
ମୁଣ୍ଡ ଉପରେ ବାପାଙ୍କ ହାତ ଥିଲା, ସେହି ପୁଅ ହାତରେ ଆଜି ବାପାଙ୍କ ଅସ୍ଥି କଳସ । ଅସ୍ଥିକୁ ଧରି ବିସର୍ଜନ ପାଇଁ ପ୍ରୟାଗରାଜ ଯାଇଛନ୍ତି ଶୋକସନ୍ତପ୍ତ ପୁଅ ଓ ସଂପର୍କୀୟ । ଘର, ପରିବାର, ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନ ଏବେ ବି ବୁଡ଼ି ରହିଛନ୍ତି ଶୋକସାଗରରେ । ସେପଟେ ସପ୍ତାହେ ପରେ ବି ଗୋଟିଏ ପ୍ରଶ୍ନରେ ଛନ୍ଦି ହୋଇରହିଛନ୍ତି ରାଜ୍ୟବାସୀ । ତା’ ହେଉଛି, କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କଲା ଗୋପାଳକୃଷ୍ଣ ଦାସ ?

କ୍ରାଇମବ୍ରାଞ୍ଚ ତଦନ୍ତର ସପ୍ତମ ଦିନରେ ଆଜି ଗୋପାଳର ମାନସିକ ସ୍ଥିତିର ଯାଞ୍ଚ କରିଛି ବିଶେଷଜ୍ଞ ଟିମ୍ । କାରଣ ଗୋପାଳ ବାଇପୋଲାର ଡିଜିଜ୍ ର ଶୀକାର ହୋଇଥିଲେ ଏବଂ ସେଥିପାଇଁ ଔଷଧ ଖାଉଥିଲେ ବୋଲି ଗୋପାଳଙ୍କ ପତ୍ନୀ ଏବଂ ଡାକ୍ତର କହିଥିଲେ । ତେଣୁ ଝାରସୁଗୁଡ଼ା ସ୍ଥିତ ସେକେଣ୍ଡ ବାଟାଲିୟନରେ ଗୋପାଳକୁ ରଖି ଆଜି ଦିନ ତମାମ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ କରିଛନ୍ତି ଏସ୍‌ସିବିର ୪ ଜଣିଆ ଡାକ୍ତରୀ ଟିମ୍ । ସେହିପରି ଅଭିଯୁକ୍ତ ନିକଟରୁ ସତ ଜାଣିବାକୁ ଲେୟାରଡ୍‌ ଭଏସ୍ ଆନାଲିସିସ-LVA ପରୀକ୍ଷା କରାଯାଇଛି ।

ଇସ୍ରାଏଲ୍ ଟେକନିକ୍ ଦ୍ୱାରା ହେଉଥିବା ପରୀକ୍ଷା ବେଳେ ଦେଖାଯାଏ ଅଭିଯୁକ୍ତ ଘଟଣା ସଂପର୍କରେ ବୟାନ ଦେବାବେଳେ ସ୍ୱରରେ କେଉଁ ସବୁ ପରିବର୍ତ୍ତନ ଘଟୁଛି ? ତଦନ୍ତ ଅଧିକାରୀ କିମ୍ବା ଫରେନସିକ ଏକ୍ସପର୍ଟଙ୍କ ଦ୍ୱାରା ପ୍ରଶ୍ନ ପଚରାଯିବାବେଳେ ଅଭିଯୁକ୍ତ ଇମୋସନାଲ ହେଉଛି ନା ନାହିଁ ? ବିଶ୍ଲେଷଣ ପରେ ସେସବୁର ସ୍ପଷ୍ଟତା ଆସେ ।

ସେହିପରି ଗୋପାଳର ବ୍ୟକ୍ତିତ୍ୱ, ବ୍ୟାବହାରିକ ଶୈଳୀ ଜାଣିବା ପାଇଁ କେନ୍ଦ୍ରରୁ ଆସିଥିବା CFSL ଟିମ୍ ଫରେନସିକ୍ ସାଇକୋଲଜିକାଲ ଆସେସମେଣ୍ଟ କରିଥିବା 
କୁହାଯାଉଛି ।

ଦ୍ୱିତୀୟ ପର୍ଯ୍ୟାୟରେ ୪ ଦିନିଆ ରିମାଣ୍ଡରେ ଆସିଥିବା ଗୋପାଳର ଆଜି ଥିଲା ପ୍ରଥମ ଦିନ । ପ୍ରଥମ ପର୍ଯ୍ୟାୟରେ ବି ୪ଦିନ ରିମାଣ୍ଡରେ ନେଇ ହତ୍ୟାକାଣ୍ଡ ସଂପର୍କରେ ବହୁ ତଥ୍ୟ ଆଦାୟ କରିଥିଲା କ୍ରାଇମବ୍ରାଞ୍ଚ । କିନ୍ତୁ କାହିଁକି ସଂଘଟିତ ହେଲା ଅପରାଧ ? ଗୋପାଳ ଯଦି ନିଜେ ହିଁ ହତ୍ୟାକାଣ୍ଡ ଭିଆଇଛି ତା’ପଛର କାରଣ କ’ଣ ? ମାନସିକ ସମସ୍ୟା, ପୂର୍ବ ଶତ୍ରୁତା, କୋଇଲା ଲିଙ୍କ୍ ନା ଟପ୍ ଲେବେଲରେ ପଲିଟିକାଲ୍ ଷଡ଼ଯନ୍ତ୍ର ? ଏ ସଂପର୍କରେ ତଦନ୍ତକାରୀ ସଂସ୍ଥାକୁ ଗୋପାଳ କେତେ ସତ କହୁଛି ? କାହିଁକି ସପ୍ତାହେ ପରେ ବି ସତ ସାମ୍ନାକୁ ଆଣିପାରୁ ନାହାଁନ୍ତି ବୋଥ୍ରା ଆଣ୍ଡ୍ କୋ ? ଏହାକୁ ନେଇ ନାନା ଚର୍ଚ୍ଚା ଲାଗି ରହିଥିବାବେଳେ ୫ଦିନ ଧରି ବ୍ରହ୍ମପୁରରେ ଡେରା ପକାଇବା ସହ ଗୋପାଳର ପରିବାର ଓ ସଂପର୍କୀୟଙ୍କଠୁ ତଥ୍ୟ ଆଦାୟ କରିଥିବା କ୍ରାଇମବ୍ରାଞ୍ଚର ଆଉ ଏକ ଟିମ୍ ଆଜି ଫେରିଆସିଛି । 

ନବ ଦାସ ହତ୍ୟା ମାମଲାରେ କେବଳ ଗୋପାଳକୁ ହିଁ ଏକମାତ୍ର ହତ୍ୟାକାରୀ ଭାବେ ଦର୍ଶାଉଥିବା କ୍ରାଇମବ୍ରାଞ୍ଚ ଟିମ୍ ହତ୍ୟାର ଉଦ୍ଦେଶ୍ୟ ସଂପର୍କରେ କେବେ ଏବଂ କେତେ ସତ ସାମ୍ନାକୁ ଆଣୁଛି, ତାକୁ ଅପେକ୍ଷା ।