• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଗ ଘର ଓ କାର୍ଯ୍ୟାଳୟରେ EOWର ରେଡ୍, ତା ପରେ ରାତିରୁ ଉଠାଇ ନେଇ ଗିରଫ । ବରିଷ୍ଠ ସାମ୍ବାଦିକ ତଥା ଘରୋଇ ନ୍ୟୁଜ୍ ଚ୍ୟାନେଲ୍ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ ପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ଗଣମାଧ୍ୟମକୁ କିଛି କହିବାକୁ ଚାହୁଁଥିଲା ବେଳେ ଇଓଡବ୍ଲୁ ଅଧିକାରୀଙ୍କ ଜବରଦସ୍ତି ତାଙ୍କୁ ଭିଡ଼ି ଭିଡ଼ି ନେଇଯାଇ ମୁହଁ ବନ୍ଦ କରିବାକୁ ଚେଷ୍ଟା କରାଯାଇଥିଲା ।

ରାତିରୁ ଅର୍ଦ୍ଧେନ୍ଦୁଙ୍କୁ ଉଠାଇ ନିଆଯିବା ପରେ ସକାଳେ ଯଦିଓ ତାଙ୍କୁ ଗିରଫ କରାଯାଇଥିବା ନେଇ EOW ଏସ୍ପି ଦିଲ୍ଲୀପ ତ୍ରିପାଠୀ ସୂଚନା ଦେଇଥିଲେ, ହେଲେ କେଉଁ ପରିସ୍ଥିତିରେ ଏବଂ କାହିଁକି ଗିରଫ କରାଗଲା, ସେନେଇ ଏପର୍ଯ୍ୟନ୍ତ କ୍ୟାମେରା ଆଗରେ ମୁହଁ ଖୋଲିନି ଇଓଡବ୍ଲୁ ।

କୁହାଯାଉଛି ଯେ, ଦିଲ୍ଲୀର ଜଣେ ବ୍ୟବସାୟୀ ଅର୍ଦ୍ଧେନ୍ଦୁଙ୍କ ନାଁରେ କରିଥିବା ୧ କୋଟି ଟଙ୍କା ଠକେଇ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ତେବେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଅର୍ଧେନ୍ଦୁ କହିଛନ୍ତି ପୁରୀ କରିଡର ପ୍ରକଳ୍ପର ଗୁମର ଖୋଲିବାରୁ ସରକାର ଆକ୍ରୋଶମୂଳକ ଭାବେ ତାଙ୍କ ବିରୋଧରେ ଏଭଳି ପଦକ୍ଷେପ ନେଇଛନ୍ତି ।

ଦିଲ୍ଲୀର ବ୍ୟବସାୟୀ ଗଗନଦୀପ ସିଂ ଚାୱଲାଙ୍କ ଅଭିଯୋଗ ଆଧାରରେ ଇଓଡବ୍ଲୁରେ ଅର୍ଦ୍ଧେନ୍ଦୁଙ୍କ ନାଁରେ ହୋଇଥିବା ଏଫ୍‌ଆଇଆର୍‌ କପି ଯେଉଁଥିରେ ତାଙ୍କ ବିରୋଧରେ ଆଇପିସିର ୧୨୦-B, ୪୦୬, ୪୨୦, ୪୬୭, ୪୬୮, ୪୭୧ ଭଳି ଦଫା ଲାଗିଛି । ତେବେ ଏଭଳି କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇ ଅର୍ଦ୍ଧେନ୍ଦୁ କହିଛନ୍ତି ସଂପୃକ୍ତ ବ୍ୟକ୍ତିଙ୍କ କମ୍ପାନି ସହ ଯନ୍ତ୍ରାଂଶ କିଣାବିକାକୁ ନେଇ ଡିଲ୍ ହୋଇଥିଲା । ଏହା ମୁତାବକ ବାକି ଟଙ୍କାର ହିସାବ କିତାବ ସାଙ୍ଗକୁ ଚେକ୍ ଦେବାକୁ କଥାବାର୍ତ୍ତା ବି ସରିଛି । ଯାହା ଇଓଡବ୍ଲୁ ଓ କଂପାନୀ କର୍ତ୍ତୃପକ୍ଷ ମଧ୍ୟ ଜାଣିଛନ୍ତି । ଏଥିସହ ଇଓଡବ୍ଲୁର ନୋଟିସ୍ ଉପରେ ଆସନ୍ତା ୧ ତାରିଖ ପରେ ଉପସ୍ଥିତ ରହିବାକୁ ଜଣାଇଥିଲେ ମଧ୍ୟ ଇଓଡବ୍ଲୁ କାହିଁକି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଅର୍ଦ୍ଧେନ୍ଦୁ ।

ଏପଟେ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ଇଓଡବଲ୍ୟୁର କାର୍ଯ୍ୟାନୁଷ୍ଠାନକୁ ଅଯୌକ୍ତିକ ବୋଲି ଦର୍ଶାଇଛନ୍ତି ଆଇନଜୀବୀ ବରିଷ୍ଠ ଆଇନ୍‌ଜୀବୀ । ସୌରଚନ୍ଦ୍ର ମହାପାତ୍ରଙ୍କ ଯୁକ୍ତି କୋଟିଏରୁ ଅଧିକ ଟଙ୍କାର ଠକେଇ ହେଲେ ଅର୍ଥନୈତିକ ଅପରାଧ ଶାଖା ହସ୍ତକ୍ଷେପ କରିବା କଥା, ତା ଛଡ଼ା ଦୁଇଜଣଙ୍କ ମଧ୍ୟରେ କମର୍ସିଆଲ୍ ଟ୍ରାନ୍ଜାକ୍ସନ୍‌ ଭଳି ସଂପୂର୍ଣ୍ଣ ବ୍ୟକ୍ତିଗତ ମାମଲା ରହିଛି । ତେଣୁ ସଂପୃକ୍ତ ସଂସ୍ଥା ସାଧାରଣ ଭାବେ ପୋଲିସରେ ଅଭିଯୋଗ କରିପାରିଥାନ୍ତେ । ନିଜର ପାଉଣାଟା ଆଦାୟ କରିବା ଲାଗି ସିଭିଲ୍ କୋର୍ଟକୁ ଯିବା କଥା, ଏଥିସହ ହଡ଼ପ କିମ୍ବା ଠକାମି ପାଇଁ ୪୦୬ କିମ୍ବା ୪୨୦ ଦଫା ସହିତ ଏତେଗୁଡିଏ ଦଫା ଲାଗିବା ଯୁକ୍ତିଯୁକ୍ତ ନୁହେଁ ବୋଲି ସୌରଚନ୍ଦ୍ର ଯୁକ୍ତି ବାଢ଼ିଛନ୍ତି । ବରିଷ୍ଠ ସାମ୍ବାଦିକ ମଧ୍ୟ ଇଓଡବ୍ଲୁର ଏଭଳି କାର୍ଯ୍ୟାନୁଷ୍ଠାନକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ଇଓଡବ୍ଲୁରେ ମାମଲା ପରେ ପରେ ଘରଭଡ଼ା ବାବଦକୁ ୫ ଲକ୍ଷ ଟଙ୍କା ନଦେଇ ଘରମାଲିକଙ୍କୁ ଗାଳିଗୁଲଜ କରିବା ଅଭିଯୋଗରେ ଭୁବନେଶ୍ୱର ବଡ଼ଗଡ଼ ଥାନା ଓ ପ୍ଲାଏଉଡ୍ କିଣିବା ବାବଦରେ ଜଣେ ବ୍ୟବସାୟୀଙ୍କୁ ଦେବାକୁ ଥିବା ପ୍ରାୟ ୬ ଲକ୍ଷ ଟଙ୍କା ଫାଙ୍କି ଧମକଚମକ ଦେବା ଅଭିଯୋଗରେ ପୃଥକ ପୃଥକ ଆଉ ଦୁଇଟି ମାମଲା ରୁଜୁ ହୋଇଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୁପ୍ରିମ୍‌କୋର୍ଟରେ ହୋଇଥିବା ମାମଲାରେ ଅର୍ଦ୍ଧେନ୍ଦୁ ଜଣେ ଆବେଦନକାରୀ ଥିଲେ । ତାଙ୍କରି ଆବେଦନ ଉପରେ ହିଁ ରାୟ ଆସିଥିଲା । ତେବେ ଆଗରୁ ସବୁ ଠିକ୍ ଠାକ୍ ଥିବା ସତ୍ତ୍ୱେ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ଗୋଟିକ ପରେ ଗୋଟିଏ ମାମଲା ରୁଜୁ ହେବା, ଗିରଫ କରି ଆଇନ୍ ଜାଲରେ ଛନ୍ଦାଯିବା ଭୃକୁଞ୍ଚନ ସୃଷ୍ଟି କରିଛିି । ଏପରିକି ଆକ୍ରୋଶମୂଳକ ପଦକ୍ଷେପ ନେଇ ଅର୍ଦ୍ଧେନ୍ଦୁଙ୍କ ଅଭିଯୋଗ ପଛରେ ସତ୍ୟତା ନାହିଁ ତ ବୋଲି ପ୍ରଶ୍ନ ଉଠିଛି ।