ମଣିଷ ମାରିବା ପରେ ଏହାର ଦୁଇ ଗୋଡ଼ କାଟିଦିଆଯାଇଥିଲା। କଟା ଗୋଡ଼କୁ ପୋଖରୀରେ ଫିଙ୍ଗିବା ପରେ ଶବକୁ ଏକ ଟ୍ରଲି ବ୍ୟାଗରେ ଭର୍ତ୍ତି କରି ଗଙ୍ଗା ନଦୀରେ ଫିଙ୍ଗିବା ଯୋଜନା ସମୟରେ ସବୁକିଛି ଧରାପଡ଼ିଗଲା। ଏହି ଘଟଣାରେ ମା-ଝିଅଙ୍କୁ ପୁଲିସ ଗିରଫ କରିଛି। ଏଭଳି ଘଟଣା କଲିକତାରେ ଘଟିଛି।
ମଣିଷ ଶବକୁ କୁକୁର ଶବ କହି ଖସିଯାଉଥିଲେ
ଫେବ୍ରୁଆରି ୨୫ ତାରିଖ ସକାଳ ପ୍ରାୟ ୮ଟା। ଉତ୍ତର କଲିକତାର କୁମାରଟୁଲିରେ ଗଙ୍ଗା କୂଳରେ ଏକ ନୀଳ ରଙ୍ଗର ଟ୍ରଲି ବ୍ୟାଗ ସହିତ ଦୁଇ ମହିଳାଙ୍କୁ ଦେଖିବାକୁ ମିଳିଥିଲା। ବ୍ୟାଗରେ ରକ୍ତ ଲାଗିଥାଏ। ଏହି ଦୁଇ ମହିଳା ବ୍ୟାଗକୁ ଘୋଷାରି ନେଉଥିଲେ। ସ୍ଥାନୀୟ ଲୋକମାନେ ସେମାନଙ୍କ ସନ୍ଦେହଜନକ ଗତିବିଧି ଦେଖି ସେମାନଙ୍କୁ ଘେରିଯାଇଥିଲେ। ବ୍ୟାଗ୍ ଖୋଲିବାକୁ କହିବାରୁ ମହିଳା ଦ୍ବୟ ପ୍ରଥମେ ବ୍ୟାଗ ଖୋଲିବାକୁ ମନା କରିଥିଲେ। ବଳପୂର୍ବକ ବ୍ୟାଗ୍ ଖୋଲିବାକୁ ଉଦ୍ୟମ କରିବାରୁ ଏଥିରେ ସେମାନଙ୍କ ପୋଷା କୁକୁରର ଶବ ଥିବା କହିଥିଲେ। କିନ୍ତୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ଅଧିକ ବଢ଼ିଯାଇଥିଲା।
Also Read
ପୁଲିସକୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ପୁଲିସ ଉପସ୍ଥିତିରେ ବ୍ୟାଗକୁ ଖୋଲାଯାଇଥିଲା। ଏଥିରେ ଜଣେ ମହିଳାଙ୍କ ରକ୍ତାକ୍ତ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ପୁଲିସ ମା-ଝିଅଙ୍କୁ ଥାନାକୁ ନେଇ ଜେରା କରିଥିଲା। ଏହି ଅଭିଯୁକ୍ତମାନେ ଥିଲେ ଫାଲଗୁନି ଘୋଷ ଏବଂ ତାଙ୍କ ମା ଆରତୀ ଘୋଷ। ଆଉ ଏହି ମୃତ ଦେହଟି ଥିଲା ଫାଲଗୁନି ଘୋଷଙ୍କ ଶ୍ୱଶୁରଙ୍କ ଭଉଣୀ ସୁମିତା ଘୋଷ (୫୫)ଙ୍କର।
ମୁହଁକୁ ଇଟାରେ ଛେଚି ମାରିଥିଲେ
ଫାଲଗୁନି ପୁଲିସକୁ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି। ମୃତ ସୁମିତା ତାଙ୍କ ଶଶୁରଙ୍କ ଭଉଣୀ। ସେ ଆସାମର ଜୋରହାଟର ମୂଳ ବାସିନ୍ଦା। ତେବେ ସୁମିତା ତାଙ୍କ ସ୍ବାମୀଙ୍କଠାରୁ ଅଲଗା ରହୁଥିଲେ। ଗଲା ଫେବ୍ରୁଆରି ୧୧ରେ କଲିକତା ବାସଭବନରେ ଏହି ମା-ଝିଅଙ୍କ ସହିତ ରହୁଥିଲେ। ତେବେ ରବିବାର ସନ୍ଧ୍ୟାରେ ସୁମିତା ଓ ଫାଲଗୁନିଙ୍କ ମଧ୍ୟରେ ବିବାଦ ହୋଇଥିଲା। ସୁମିତାଙ୍କୁ ଠେଲିଦେବାରୁ କାନ୍ଥରେ ତାଙ୍କ ମୁଣ୍ଡ ପିଟି ହୋଇଯାଇଥିଲା। ତେବେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ଚେତା ଫେରିଲା ପରେ ପୁଣି ଥରେ ପାଟିତୁଣ୍ଡ ହୋଇଥିଲା। ଫାଲଗୁନି ରାଗରେ ତାଙ୍କ ମୁହଁ ଓ ବେକକୁ ଇଟାରେ ଆଘାତ କରିଥିଲେ। ଫଳରେ ସୁମିତାଙ୍କ ମୃତ୍ୟୁ ହୋଇଛି। ଏହାପରେ ଫାଲଗୁନି ଓ ତାଙ୍କ ମା ଉଭୟ ମିଶି ମୃତ ଦେହକୁ ଏକ ଟ୍ରଲି ବ୍ୟାଗରେ ରଖିଥିଲେ। ଏହାକୁ ବାହାରେ ଫିଙ୍ଗିବାକୁ ଯୋଜନା କରିଥିଲେ।
ଟ୍ରଲି ବ୍ୟାଗରେ ଶବ ନପଶିବାରୁ ଗୋଡ଼ କାଟିଦେଲେ
ପୁଲିସ ତଦନ୍ତ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆଣିଛି। ରବିବାର ଅପରାହ୍ନ ପ୍ରାୟ ୪ଟା ରୁ ୫ ଟା ମଧ୍ୟରେ ସୁମିତାଙ୍କ ମୁଣ୍ଡକୁ କାନ୍ଥରେ ଅନେକ ଥର ପିଟି ହତ୍ୟା କରାଯାଇଥିଲା। ମୃତଦେହ ମଧ୍ୟମଗ୍ରାମର ୫୫ ବର୍ଷୀୟା ଆରତୀ ଘୋଷ ଏବଂ ୩୪ ବର୍ଷୀୟା ଫାଲଗୁନି ଘୋଷଙ୍କ ଭଡା ଘରେ ୪୦ ଘଣ୍ଟାରୁ ଅଧିକ ସମୟ ପାଇଁ ପଡ଼ି ରହିଥିଲା। ସେମାନେ ଏହାକୁ ଫିଙ୍ଗି ଦେବାକୁ ନିଷ୍ପତ୍ତି ନେଇଥିଲେ। ମା ଏବଂ ଝିଅ ମୃତଦେହକୁ ଟ୍ରଲି ବ୍ୟାଗରେ ଭର୍ତ୍ତି କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା ସେଥିରେ ପଶିନଥିଲା। ତେଣୁ ସେମାନେ ତାଙ୍କ ଗୋଡ କାଟି ନିକଟସ୍ଥ ପୋଖରୀରେ ଫିଙ୍ଗି ଦେଇଥିଲେ।
ଟ୍ୟାକ୍ସିରେ ବୋହିଲେ ଶବ
ମଙ୍ଗଳବାର ସକାଳ ପ୍ରାୟ ୫ଟା ୩୦ରେ ମା-ଝିଅ ସେମାନଙ୍କ ବାସଭବନକୁ ଏକ ଭ୍ୟାନ ଡକାଇଥିଲେ। ଉଭୟ ମୁହଁରେ ମୁଖା ପିନ୍ଧିଥିଲେ। ଗାଡ଼ିରେ ଟ୍ରଲି ବ୍ୟାଗ ରଖିଲେ। ପରେ ସେମାନେ ସେହି ଗାଡ଼ିରେ ଆସିଥିଲେ। ଉତ୍ତର ୨୪ ପରଗନାର ମଧ୍ୟଗ୍ରାମ ଘରୁ କୋଲକାତାର କୁମାରତୁଲି ଘାଟକୁ ଯାନବାହାନ ବଦଳାଇବା ସମୟରେ କିଛି ଅସ୍ୱାଭାବିକ ବ୍ୟବହାର ସେମାନେ ଦେଖାଇନଥିଲେ।
ସମ୍ପତ୍ତି କବଜା ପାଇଁ ଭିତିରିଆ ହତ୍ୟା ଷଡ଼ଯନ୍ତ୍ର
ଆସାମର ଜୋରହାଟର ବାସିନ୍ଦା ସୁମିତା ପାଞ୍ଚ ବର୍ଷ ଧରି ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ। ଫାଲଗୁନି, ଯିଏ ତାଙ୍କ ନିଜ ସ୍ୱାମୀ ଜୋରହାଟର ବାସିନ୍ଦା ଶୁଭଙ୍କର ଘୋଷଙ୍କଠାରୁ ଛାଡପତ୍ର ପାଇଁ ଆବେଦନ କରୁଥିବା ବେଳେ ସୁମିତାର ସମ୍ପତ୍ତି ଦଖଲ କରିବାକୁ ଭିତିରିଆ ଷଡ଼ଯନ୍ତ୍ର କରୁଥିଲେ। ଉଭୟ ମହିଳା ନିଃସନ୍ତାନ ଥିଲେ, ଯାହା ଫଳରେ ସୁମିତାଙ୍କ ଅଳଙ୍କାର ଏବଂ ସମ୍ପତ୍ତି ଉପରେ ଫାଲଗୁନିଙ୍କ ନଜର ଥିଲା। ୨୩ ତାରିଖ ରବିବାର ଅପରାହ୍ନରେ ଏହି ସମ୍ପତ୍ତି ବିବାଦ ଉଗ୍ର ରୂପ ନେଇ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।
ମାମଲାକୁ ସ୍ଥାନାନ୍ତର କଲେ କୋର୍ଟ
ଉତ୍ତର ପୋର୍ଟ ଥାନା ମାମଲା ରୁଜୁ କରିଥିବା ବେଳେ କଲିକତା ଡାକ୍ତରଖାନାରୁ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଫେବ୍ରୁଆରି ୨୬ ତାରିଖରେ ଦୁଇ ଅଭିଯୁକ୍ତଙ୍କୁ କଲିକତାର ଏକ କୋର୍ଟରେ ହାଜର କରାଯାଇଥିଲା। ପରବର୍ତ୍ତି ସମୟରେ ଉଭୟଙ୍କୁ ଗୋଟିଏ ଦିନ ପାଇଁ ପୁଲିସ ରିମାଣ୍ଡରେ ପଠାଯାଇଥିଲା। ଏହି ହତ୍ୟାକାଣ୍ଡଟି ମଧ୍ୟମଗ୍ରାମରେ ଘଟିଥିବାରୁ କୋର୍ଟ ବାରସାତ ପୁଲିସ ତଦନ୍ତ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ଟଙ୍କା, ସୁନା ପାଇଁ ବିକଳ ହେଉଥିଲେ ହତ୍ୟାକାରୀ
ଫାଲଗୁନି ସୁମିତାଙ୍କ ସମ୍ପତ୍ତି ଉପରେ ନିୟନ୍ତ୍ରଣ ହାସଲ କରିବାକୁ ଚେଷ୍ଟା କରିଥିଲେ। ଏଥି୍ରେ ସୁମିତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୩ ଲକ୍ଷ ୫୦ ହଜାର ଏବଂ ଏକ ବ୍ୟାଙ୍କ ଲକରରେ ଗଚ୍ଛିତ ୭୦ ଭରି ଓଜନର ସୁନା ଅଳଙ୍କାର। ୨୩ ତାରିଖ ରବିବାର ଦିନ ସୁମିତାଙ୍କ ମୁଣ୍ଡକୁ ଇଟାରେ ଆଘାତ କରି ହତ୍ୟା କରିବା ପରେ ଫାଲଗୁନି ପ୍ରଥମେ ସୁମିତାଙ୍କ ଏଟିଏମ କାର୍ଡର ପିନ୍ ବଦଳାଇ ଦେଇଥିଲେ। ତା’ପରେ ସେ ସୁମିତାଙ୍କ ଆକାଉଣ୍ଟରୁ ୨୫ ହଜାର ଟଙ୍କା ଉଠାଇ ବୁର୍ରାବଜାର ଯାଇଥିଲେ। ସେ ମୃତଦେହ ପରିବହନ ପାଇଁ ଏକ ଟ୍ରଲି ବ୍ୟାଗ୍ କିଣିଥିଲେ। ଅଭିଯୁକ୍ତ ବୁର୍ରାବଜାରର ଏକ ଅଳଙ୍କାର ଦୋକାନକୁ ମଧ୍ୟ ଯାଇଥିଲେ। ୫୦ ହଜାର ଟଙ୍କା ମୂଲ୍ୟର ସୁନା ପାଇଁ ଅର୍ଡର ଦେଇଥିଲେ।