• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୟଙ୍କର.. ବୀଭତ୍ସ.. ବର୍ବର । ଯେଉଁ ପ୍ରେମିକାଟି ଜୀବନ ଦେଇ ଭଲ ପାଉଥିଲା, ସେହି ପ୍ରେମିକା ଯେ ପ୍ରେମିକ ହାତରେ ଖଣ୍ଡ ଖଣ୍ଡ ହୋଇଯିବ, କେହି କେବେ କଳନା ହିଁ କରିନଥିବେ । କିନ୍ତୁ ଦୁର୍ଭାଗ୍ୟ, ରାଜଧାନୀ ଦିଲ୍ଲୀର ଛାତି ଉପରେ ପ୍ରେମିକା ହୋଇଛି ୩୫ ଖଣ୍ଡ । ଯାହା ଆପଣଙ୍କୁ ହୁଏତ ବିଚଳିତ କରୁଥାଇପାରେ । କିନ୍ତୁ ଏହା ସତ ।

ଜହ୍ଲାଦ ପ୍ରେମିକ ନାଁ ହେଉଛି ଅଫତାବ୍ ଅମିନ ପୁନାଓ୍ୱାଲା । ଆଉ ପ୍ରେମିକା ହେଉଛନ୍ତି ଶ୍ରଦ୍ଧା । ସେମାନଙ୍କ କପୁଲ ଫଟୋ ଦେଖିଲେ ଆପଣ ବି ଅନୁମାନ କରିପାରିବେ ସେମାନଙ୍କ ସଂପର୍କ କେତେ ନିବିଡ଼ । ହେଲେ ସେହି ସଂପର୍କରେ ସଇତାନ ସାଜିଲା ଅଫତାବ୍ । ୨୦୨୨, ମେ ୧୮ ତାରିଖ । ପ୍ରେମିକା ଶ୍ରଦ୍ଧାଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା ଓ ପରେ ଆରିରେ ଶରୀରକୁ ଖଣ୍ଡ ଖଣ୍ଡ କଲା ଅଫତାବ୍ ।

ସେହି କଟା ମୃତଦେହକୁ ରଖିଥିଲା ଏକ ୩ଶହ ଲିଟର ଫ୍ରିଜ୍‌ରେ । ୧୮ ଦିନ ଧରି ସେହି ଫ୍ରିଜ୍‌ରୁ ମୃତଦେହର ଖଣ୍ଡ ସବୁକୁ ନେଇ ଦିଲ୍ଲୀର ୧୮ଟି ସ୍ଥାନରେ ଚତୁରତାର ସହ ଫିଙ୍ଗିଚାଲିଥିଲା । ତାପୁଣି ରାତି ପ୍ରାୟ ୨ଟାରେ ଫିଙ୍ଗୁଥିଲା ଶରୀରର କଟା ଅଂଶ । ହେଲେ ଲୁଚି ରହିଲାନି ଏହି ଅପରାଧ । ୬ ମାସର ତଦନ୍ତ ପରେ ଦିଲ୍ଲୀ ଓ ମୁମ୍ବାଇ ପୋଲିସ ଘଟଣାର ପର୍ଦ୍ଦାଫାସ କରିଛନ୍ତି । ଅଭିଯୁକ୍ତ ଅଫତାବ୍‌କୁ ବି ଗିରଫ କରିଛନ୍ତି ।

୨୮ ବର୍ଷିୟ ଅଫ୍‌ତାବ ଓ ୨୬ ବର୍ଷିୟା ଶ୍ରଦ୍ଧା । ପୋଲିସର କହିବା କଥା, ୬ ମାସ ତଳେ ମୁମ୍ବାଇର ଏକ ମଲ୍ଟି ନ୍ୟାସନାଲ କମ୍ପାନୀର କଲ୍ ସେଣ୍ଟରରେ କାମ କରୁଥିଲେ ଉଭୟେ । ସେଠାରୁ ହିଁ ଉଭୟଙ୍କ ଚିହ୍ନା ପରିଚୟ ହୋଇଥିଲା, ଆଉ ସେହି ପରିଚୟରୁ ପ୍ରଥମେ ଡେଟିଂ ଓ ପରେ ବନିଯାଇଥିଲେ ପ୍ରେମ ପକ୍ଷୀ । ଦିନ କେଇଟା ପରେ ବିବାହ ପାଇଁ ନିଜ ନିଜ ପରିବାରକୁ ଜଣାଇଥିଲେ । କିନ୍ତୁ ମିଳିନଥିଲା ସ୍ୱୀକୃତି ବରଂ ବିରୋଧର ଶୀକାର ହେବାରୁ ଉଭୟେ ଦିଲ୍ଲୀ ଆସି ଲିଭ୍ ଇନ୍‌ରେ ରହୁଥିଲେ । ମହରୁଲିର ଏକ ଫ୍ଲାଟ୍‌ରେ ସେମାନେ କିଛି ଦିନ ଅତିବାହିତ କରିଥିଲେ ।

ତାହାରି ଭିତରେ ବିବାହ ପାଇଁ ଜିଦ୍ ଧରିଥିଲେ ଶ୍ରଦ୍ଧା । ଯାହାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ । ସେହି ବିବାଦରୁ ଶ୍ରଦ୍ଧାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଶରୀରକୁ ୩୫ ଖଣ୍ଡ କରି ଫିଙ୍ଗିଚାଲିଥିଲା ବିଭିନ୍ନ ସ୍ଥାନରେ । ତେବେ ଶ୍ରଦ୍ଧା ସହ ଦୀର୍ଘଦିନ ଧରି ଯୋଗାଯୋଗ ନହେବାରୁ ସାଙ୍ଗସାଥୀ ଓ ପରିବାର ମନରେ ଆଶଙ୍କା ଉପୁଜିଥିଲା । ଶ୍ରଦ୍ଧାଙ୍କ ବାପା ଦିଲ୍ଲୀ ଆସି ସଂପୃକ୍ତ ଫ୍ଲାଟକୁ ଯାଇଥିଲେ । ଫ୍ଲାଟରେ ତାଲା ପଡ଼ିଥିବା ଦେଖି ଶ୍ରଦ୍ଧାଙ୍କ ବାପା ସିଧାସଳଖ ଥାନାକୁ ଯାଇ ଏତଲା ଦେଇଥିଲେ । ଏତଲା ଆଧାରରେ ପୋଲିସ ଅଫତାବକୁ ଆଣି ଜେରା କରିଥିଲା । ଆଉ ଘନ ଘନ ଜେରା ବେଳେ ପୋଲିସ ଆଗରେ ଅଫତାବ୍ ମାନିଥିଲା ସବୁ ଦୋଷ ।

ଏବେ ପ୍ରଶ୍ନ, ଅଫତାବ୍‌କୁ କେମିତି ଦୋଷୀ ସାବ୍ୟସ୍ତ କରିବ ପୋଲିସ ? କାରଣ ଏହି ଜଘନ୍ୟ ଅପରାଧର କୌଣସି ପ୍ରତ୍ୟକ୍ଷଦର୍ଶୀ ନାହାଁନ୍ତି କି ପ୍ରତ୍ୟକ୍ଷ ପ୍ରମାଣ ପାଇନି ପୋଲିସ । ୬ ମାସ ତଳେ ଫିଙ୍ଗାଯାଇଥିବା ମୃତଦେହର ଖଣ୍ଡ ସବୁ ବି ନଷ୍ଟ ହୋଇଯାଇଥିବ । ପୋଲିସ କିଛି ଅଂଶ ଜବତ କରିଥିଲେ ବି ତାହା ଶ୍ରଦ୍ଧାଙ୍କର ନା କାହାର, ସ୍ପଷ୍ଟ ହୋଇନାହିଁ । ଏଭଳି ସ୍ଥିତିରେ ଅଫତାବ୍‌ର ସ୍ୱୀକାରୋକ୍ତି ଆଧାରରେ ତଦନ୍ତ କରୁଥିବା ପୋଲିସ ପାଇଁ କୋର୍ଟରେ ପ୍ରମାଣ ଉପସ୍ଥାପନ କରିବା ବଡ଼ ଚାଲେଞ୍ଜ ହେବ କି ?

୨୦୧୦ ଡିସେମ୍ବର ୧୧ । ଓଡ଼ିଆ ଝିଅ ଅନୁପମାଙ୍କୁ ଡେରାଡୁନ୍‌ରେ ହତ୍ୟା କରି ଏଭଳି ୭୦ ଖଣ୍ଡ କରିଥିଲା ଇଞ୍ଜିନିୟର ସ୍ୱାମୀ ରାଜେଶ । ସେ ବି ଶରୀର ଖଣ୍ଡକୁ ଫ୍ରିଜ୍‌ରେ ରଖି ପ୍ରତିଦିନ ଜଙ୍ଗଲରେ ଫୋପାଡୁଥିଲା । ୨୦୧୩, ଜୁନ୍ ୩ । ଭୁବନେଶ୍ୱର ନୟାପଲ୍ଲୀରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋମନାଥ ପରିଡ଼ା ପତ୍ନୀ ଉଷଶ୍ରୀଙ୍କୁ ହତ୍ୟା କରି ୩ଶହ ଖଣ୍ଡ କରି ଷ୍ଟିଲ କଣ୍ଟେନରରେ ଲୁଚାଇ ରଖିଥିଲେ ।