Advertisment

୧୮ ବର୍ଷ ଘରେ ରହିବା ପରେ ପୁଣି ଆଜୀବନ ଜେଲ୍‌ରେ ବିତାଇବ ହତ୍ୟାକାରୀ

ଯେଉଁଥିରେ ତପନକୁ ପୁଣିଥରେ ଦୋଷୀ ସାବ୍ୟସ୍ତ କରିବା ସହିତ ତାର ବେଲବଣ୍ଡ୍ ଖାରଜ କରିଦେଇଛନ୍ତି ହାଇକୋର୍ଟ।

author-image
Chandan Shishu
Murder convict

Murder convict

ହତ୍ୟା ମାମଲାରେ ମିଳିଥିଲା ଆଜୀବନ ଜେଲ୍ ଦଣ୍ଡାଦେଶ। ହେଲେ ବେଲ୍‌ରେ ବାହାରି ୧୮ ବର୍ଷ ହେଲା ଘରେ ରହୁଥିଲା ଦୋଷୀ। ତାକୁ ପୁଣିଥରେ ଦୋଷୀ ସାବ୍ୟସ୍ତ କରି ଆଉ ଥରେ ଜେଲ୍‌କୁ ପଠାଇଦେବା ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ।  ଦୋଷୀ ସାବ୍ୟସ୍ତ ଯୁବକ ହେଲେ ତପନ କୁମାର ପ୍ରଧାନ,  ଘର ଦେବଗଡ଼ ରିଆମାଳ ଥାନା ତାଳବାହାଳୀ। ୨୦୦୧ ଜୁଲାଇ ୧ ରାତିରେ ସେହି ଗାଁର ଭଗବତୀ ପ୍ରଧାନଙ୍କୁ ହତ୍ୟା ଅଭିଯୋଗରେ, କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲା ତପନ।  ୨୦୦୩ ଜାନୁଆରୀ ୮ରେ ତପନକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ଦେବଗଡ଼ ଅତିରିକ୍ତ ସେସନ୍ ଜଜ୍। ତେବେ ତପନ ଏହି ରାୟକୁ ଚାଲେଞ୍ଜ କରି ସେହି ବର୍ଷ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ଏବଂ ସେଠାରୁ ଜାମିନ ପାଇ ୨୦୦୪ ମସିହା ଅଗଷ୍ଟ ୩୧ରେ ଜେଲ୍‌ରୁ ବାହାରିଥିଲା।

Advertisment

ଏହି ଘଟଣାକୁ ୧୮ ବର୍ଷ ବିତିବା ପରେ ଏବେ ଆସିଛି ହାଇକୋର୍ଟଙ୍କ ଚୂଡ଼ାନ୍ତ ରାୟ। ଯେଉଁଥିରେ ତପନକୁ ପୁଣିଥରେ ଦୋଷୀ ସାବ୍ୟସ୍ତ କରିବା ସହିତ ତାର ବେଲବଣ୍ଡ୍ ଖାରଜ କରିଦେଇଛନ୍ତି ହାଇକୋର୍ଟ। ଏଥିସହ ତଳକୋର୍ଟଙ୍କ ରାୟକୁ ସଂରକ୍ଷିତ ରଖି ଆଜୀବନ ଜେଲ୍ କାଟିବା ପାଇଁ ଆସନ୍ତା ୨୬ ତାରିଖ ସୁଦ୍ଧା ତପନକୁ ଆତ୍ମସମର୍ପଣ କରିବାକୁ କହିଛନ୍ତି।  ନଚେତ୍ ପୋଲିସକୁ ତାକୁ ହେପାଜତକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଏବେବି ନିଜକୁ ନିର୍ଦ୍ଦୋଷ ବୋଲି କହିଛି ତପନ। 

ନଜର ପକାନ୍ତୁ ଏହି ଜଘନ୍ୟ ହତ୍ୟାକାଣ୍ଡର ପୂରା ଘଟଣାକ୍ରମ ଉପରେ:

 ସୂଚନା ଅନୁସାରେ, ବିବାଦର ସୂତ୍ରପାତ ହୋଇଥିଲା ତାଳବାହାଳୀ ଗାଁର ଜଣେ ଝିଅ ଘରୁ ଲୁଚି ପଳାଇଯିବାକୁ ନେଇ। ଝିଅର ପରିବାର ଲୋକେ ତାକୁ ଖୋଜି ଖୋଜି ସେହି ଗାଁର ଦୟାନିଧି ପ୍ରଧାନଙ୍କ ଘରେ ପହଞ୍ଚିଥିଲେ ଏବଂ ନିଖୋଜ ଝିଅ ସଂପର୍କରେ ଦୟାନିଧିଙ୍କ ଦୁଇ ଝିଅ ଭଗବତୀ ଓ ବିଶାଖାଙ୍କୁ ପଚାରିଥିଲେ। ତେବେ ୨୦୦୧, ଏପ୍ରିଲ ୧ ତାରିଖରେ ଗାଁକୁ ଫେରି ଆସିଥିଲେ ସମ୍ପୃକ୍ତ ନିଖୋଜ ଝିଅ ଓ ତପନ ପ୍ରଧାନ। ତେବେ କଥା ଏତିକିରେ ସରିନଥିଲା। ସେମାନଙ୍କ ନାଁରେ ଅପପ୍ରଚାର କରିଥିବା ଅଭିଯୋଗ ଆଣି ଉଭୟଙ୍କ ପରିବାର ଲୋକେ ଭଗବତୀ ଓ ବିଶାଖାଙ୍କ ସହ ଝଗଡ଼ା କରିଥିଲେ। 

Advertisment

ସେଠାରେ ତପନ ଭଗବତୀଙ୍କୁ ସେହିଦିନ ରାତିରେ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଆଉ ସତକୁ ସତ, ଏହି ଘଟଣାର ପରଦିନ ସକାଳୁ ଘର ବାଡ଼ିପଟୁ ଭଗବତୀଙ୍କ ରକ୍ତାକ୍ତ ମୃତଦେହ ଦେଖିବାକୁ ପାଇଥିଲେ ଭଉଣୀ ବିଶାଖା। ଏହାପରେ ଥାନାରେ ଏତଲା ହେବା ପରେ, ପୋଲିସ ହତ୍ୟା ମାମଲା ରୁଜୁ କରି ତପନକୁ ଗିରଫ କରିବା ସହିତ ତାଙ୍କ ଘରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଥିଲା। ଏଭଳି ନିର୍ମମ ହତ୍ୟାକାଣ୍ଡକୁ ୨୧ ବର୍ଷ ବିତି ଯାଇଥିବା ବେଳେ, ହାଇକୋର୍ଟଙ୍କ ରାୟରେ ଖୁସି ପ୍ରକାଶ କରିଛନ୍ତି ମୃତ ଭଗବତୀଙ୍କ ସାନ ଭଉଣୀ ବିଶାଖା।
ବିଶାଖା ପ୍ରଧାନ, ମୃତ ଭଗବତୀଙ୍କ ସାନ ଭଉଣୀ
(ଫାଭିଓ) କଟକରୁ ଗୌତମ ପଣ୍ଡା ଓ ଦେବଗଡ଼ରୁ ସିଦ୍ଧାର୍ଥ ଗୁରୁଙ୍କ ରିପୋର୍ଟ, ଓଟିଭି...

Murder Convict
Advertisment
Advertisment