• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବର୍ଷ ଆରମ୍ଭରୁ ଅଶାନ୍ତ ରାଜଧାନୀ । ମାତିଲେ ଲୁଟେରା । ଟାର୍ଗେଟରେ ସାଧାରଣ ଜନତା । କେଉଁଠି ଘର ସାମ୍ନାରେ କାଟିଲେ ବେକ, ତ ପୁଣି କେଉଁଠି କ୍ଲବରେ ପଶି କଲେ ଅତର୍କିତ ଆକ୍ରମଣ । ପୁଣି କେଉଁଠି ବୋମା ମାଡ଼ କରି ସୃଷ୍ଟି କଲେ ଆତଙ୍କ। ଆଜି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଂଚଳରୁ ଆସିଛି ଏଭଳି ଭିନ୍ନ ଭିନ୍ନ ଆତଙ୍କ ସୃଷ୍ଟିକାରୀ ଘଟଣା । ସବୁ ଘଟଣାକୁ ନେଇ ପୋଲିସର ଛାନବିନ ଜାରି । ହେଲେ କୌଣସି ମାମଲାରେ ମିଳିନାହିଁ ସଫଳତା ।

ବର୍ଷ ଆରମ୍ଭରୁ ଲୁଟେରାଙ୍କ ଟାର୍ଗେଟରେ ସାଧାରଣ ଜନତା । ଟଙ୍କା ପାଇଁ ବେକ କାଟିଲେ । କ୍ଲବରେ ପଶି ଯୁବକଙ୍କୁ ହାଣିଲେ ଏବଂ ଘର ଭିତରକୁ ବୋମା ମାଡ଼ କଲେ । ଭୋର ୩ ଟା, ଚନ୍ଦ୍ରଶେଖରପୁର ଥାନା ଡମଣା ଗ୍ରାମରେ ଲୁଟେରା ଆରମ୍ଭ କରିଛନ୍ତି ବର୍ଷର ପ୍ରଥମ ଶୀକାର । ନିଜ ଘର ଆଗରେ ଲୁଟେରାଙ୍କ ହାବୁଡରେ ପଡିଗଲେ ଗ୍ରାମର ଶିବାନନ୍ଦ ବାରିକ । ନିଜର ଓମଫେଡ ଦୋକାନ ଖୋଲିବା ପାଇଁ ଘରୁ ବାହାରୁ ଥିବା ବେଳେ ଗେଟ ସାମ୍ନାରେ ଲୁଟେରା ତାଙ୍କ ବେକ କାଟି ଲୁଟି ନେଇଗଲେ ଟଙ୍କା ବ୍ୟାଗ । ଯେଉଁଥିରେ ଥିଲା ୬ ହଜାର ଟଙ୍କା । ତେବେ ଅଧିକ ଟଙ୍କା ଥିବା ନେଇ ଲୁଟେରା ଭାବିବା ସହ ଶିବାନନ୍ଦଙ୍କୁ ଏଭଳି ଅତର୍କିତ ଆକ୍ରମଣ କରିଥିଲେ । ରକ୍ତାକ୍ତ ଅବସ୍ଥାରେ ପୋଲିସ ତାଙ୍କୁ ଉଦ୍ଧାର କକରିବା ସହ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରିଥିଲା ।

ସେହିଭଳି ଶୈଳଶ୍ରୀ ବିହାର ଅଞ୍ଚଳରେ ଥିବା କଳିଙ୍ଗ ୟୁଥ କ୍ଲବରେ ପଶି ଆତତାୟୀ ଦେଖାଇଥିଲେ ରକ୍ତ ଚରିତ୍ର ସିନ । କ୍ଳବର କେୟାର ଟେକର ସଂଗ୍ରାମ ସିଂଙ୍କୁ ୧୦ ରୁ ୧୨ ଜଣ ଦୁର୍ବୃର୍ତ୍ତ ଗୋଡେଇ ଗୋଡେଇ ଖଣ୍ଡାରେ ହାଣି ପକାଇଥିଲେ । ଯାହାର ସମସ୍ତ ଭିଜୁଆଲ ସିସିଟିଭିରେ ହୋଇଛି କଏଦ । ଦୁର୍ବୃର୍ତ୍ତଙ୍କ ଆକ୍ରମଣରେ ଗୁରୁତର ସଂଗ୍ରାମଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି ।

ସେହିଭଳି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ବିସ୍ଫୋରଣ ସମସ୍ତଙ୍କ ନିଦ ହଜାଇ ଦେଇଛି । ଝାରପଡା ଦୁର୍ଗାମଣ୍ଡପ ପଛରେ ଥିବା ଏହି ଘରେ ଘଟିଥିଲା ବିସ୍ଫୋରଣ । ଯେଉଁଥିରେ ଘରର ସମସ୍ତ କାନ୍ଥ ଭାଙ୍ଗି ଇଟା ଗୁଡିକ ଛିନଛତ୍ର ହୋଇପଡିଛି । ଘର ଭିତରେ ପାଖାପାଖି ୩୧ ଲକ୍ଷ ଟଙ୍କାର ବିଭିନ୍ନ କସମେଟିକ ସହ ଡିଓ ସାମଗ୍ରୀ ରହିଥିଲା । ତେବେ ଏହି ବିସ୍ଫୋରଣ ପଛରେ ବୋମାମାଡ ନେଇ ସନ୍ଦୋହ କରିବା ସହ ଏ ନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି । ହେଲେ କୌଣସି ସ୍ପଷ୍ଟତା ମିଳିପାରିନାହିଁ ।

ଘରେ ରହୁଥିବା କବିରାଜ ସ୍ୱାଇଁଙ୍କ ଅଭିଯୋଗ ଅନୁସାରେ କୌଣସି ଲୋକ ତାଙ୍କ ଘରକୁ ବୋମାମାଡ କରି ଏଭଳି ଘଟଣା ଘଟାଇଛି । ତେବେ ପୋଲିସର କହିବା ଅନୁସାରେ ଘରେ ଅଗ୍ନିକାଣ୍ଡ ଘଟିବା ପରେ ତାହା ମଧ୍ୟରେ ଥିବା ଡିଓ ଗୁଡିକ ବିସ୍ଫୋରଣ ଘଟିଥିଲା । ସେପଟେ ଇନସ୍ୟୁରାନ୍ସ ଟଙ୍କା ପାଇଁ ଏଭଳି ଅଗ୍ନିକାଣ୍ଡ ଘଟାଯାଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

ବର୍ଷ ଆରମ୍ଭରୁ ରାଜଧାନୀରେ ଏଭଳି ଘଟଣା ସମସ୍ତଙ୍କୁ ପୁଣିଥରେ ଡରାଇ ଦେଇଛି । ପୋଲିସର କାର୍ଯ୍ୟକାରିତା ଆଉ ଲୁଟେରାଙ୍କ ଦବଦବା ଭିତରେ ଆତଙ୍କିତ ଲୋକେ ।

  • Reported by:
  • CHANDAN PAIKRAY