Advertisment

୪୦ ମିନିଟ୍‌ର ବାଗୁଡ଼ି ଖେଳ ପରେ ଧରାପଡ଼ିଲେ ଲୁଟେରା

ଲୁଟେରାଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଧରିଲା ପୋଲିସ। ପ୍ରାୟ ୪୦ ମିନିଟରେ ଚେଷ୍ଟା ପରେ ୩ ଜଣଙ୍କୁ କାବୁ ସହ କୋଟିଏରୁ ଅଧିକ ଟଙ୍କା ବି ଉଦ୍ଧାର କଲା। ଆଜି କଟକ ଆଠଗଡ଼ରୁ ତିଗିରିଆ ଯାଉଥିବା ଏକ ଏଟିଏମ୍ ଟଙ୍କା ବୋଝେଇ ସିଏମ୍ଏସ୍ ଭ୍ୟାନକୁ ୪ ଡକାୟତ ହାଇଜାକ୍ କରି ନେବା ପରେ ଟଙ୍କା ବାକ୍ସ ଧରି ଅନ୍ୟ ଏକ ଗାଡ଼ିରେ ଫେରାର ମାରୁଥିଲେ

author-image
Sarbeswar
ATM LOOT

ATM LOOT

ଭୁବନେଶ୍ୱର: ଲୁଟେରାଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଧରିଲା ପୋଲିସ। ପ୍ରାୟ ୪୦ ମିନିଟରେ ଚେଷ୍ଟା ପରେ ୩ ଜଣଙ୍କୁ କାବୁ ସହ କୋଟିଏରୁ ଅଧିକ ଟଙ୍କା ବି ଉଦ୍ଧାର କଲା। ଆଜି କଟକ ଆଠଗଡ଼ରୁ ତିଗିରିଆ ଯାଉଥିବା ଏକ ଏଟିଏମ୍ ଟଙ୍କା ବୋଝେଇ ସିଏମ୍ଏସ୍ ଭ୍ୟାନକୁ ୪ ଡକାୟତ ହାଇଜାକ୍ କରି ନେବା ପରେ ଟଙ୍କା ବାକ୍ସ ଧରି ଅନ୍ୟ ଏକ ଗାଡ଼ିରେ ଫେରାର ମାରୁଥିଲେ । ହେଲେ ଖବର ପାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲା ପୋଲିସ। ଢେଙ୍କାନାଳ ସଦର ଥାନା ପୋଲିସର ଏକ ଟିମ୍ ଲୁଟେରାଙ୍କ ଗାଡ଼ିକୁ ପିଛା କରି ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଧରିବା ସହ ଟଙ୍କା, ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଉଦ୍ଧାର କରିବାରେ ସଫଳ ହୋଇଛି। ସେପଟେ ଏ ଘଟଣାରେ ପାଇଁ କଟକ ଓ ଢେଙ୍କାନାଳ ଜିଲ୍ଲା ପୋଲିସକୁ ସାବାସି ଦେଇଛନ୍ତି ଡିଜିପି।

Advertisment

ବିଲ ଗହୀର ଭିତରେ ରହିଥିଲେ ମାଳ ମାଳ ପୋଲିସ। ଗୋଟେ ପଟେ ଲୁଟେରାକୁ ଜେରା, ଅନ୍ୟପଟେ ଗଣା ଚାଲିଥିଲା ବିଡ଼ା ବିଡ଼ା ଟଙ୍କା। ପୂରା ଫିଲ୍ମ ସୁଟିଂ ବେଳର ରିଲ ଭଳି ଲାଗୁଥିଲା ପୂରା ଦୃଶ୍ୟ। କଟକ ଆଠଗଡ଼ରୁ ଅନୁଗୁଳ ଅଭିମୁଖେ ଯାଉଥିଲା ସିଏମ୍ଏସର ଏଟିଏମ୍ ଟଙ୍କା ବୋଝେଇ ଭ୍ୟାନ୍। ଦିନ ପ୍ରାୟ ଗୋଟାଏ ହେବ। ଖୁଣ୍ଟାକଣ୍ଟା ନିକଟରେ ହଠାତ ଏକ ଡିଜାୟାର ଗାଡ଼ିରେ ଆସି ଭ୍ୟାନକୁ ଅଟକାଇଥିଲେ ୪ରୁ ୫ ଜଣ ମୁଖାପିନ୍ଧା ଲୁଟେରା । ସିଏମ୍ଏସ ଭ୍ୟାନର ଡ୍ରାଇଭର, ସିକ୍ୟୁରିଟି ଓ ଅନ୍ୟ ଦୁଇ କର୍ମଚାରୀ। କିଛି ବୁଝିବା ପୂର୍ବରୁ ସେମାନଙ୍କ ମୁଣ୍ଡରେ ବନ୍ଧୁକ ଓ ଖଣ୍ଡା ଲଗାଇଥିଲେ ଲୁଟେରା। ଲୁଟେରା ଦଳ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଗୁରୁତର ଆହତ କରି ପରେ ଟଙ୍କା ଭର୍ତ୍ତି ଭ୍ୟାନକୁ ହାଇଜାକ୍ କରିନେଇଥିଲେ।

ଏପଟେ ଡକାୟତି ଘଟଣା ନେଇ ତୁରନ୍ତ ଢେଙ୍କାନାଳ ସଦର ପୋଲିସକୁ ଖବର ଦେଇଥିଲେ ଭ୍ୟାନ୍ କର୍ମଚାରୀ। ଖବର ପାଇବା ମାତ୍ରେ ଲୁଟେରାଙ୍କୁ ଧରିବାକୁ ତୁରନ୍ତ ଯୋଜନା ପ୍ରସ୍ତୁତ କରିଥିଲା ଢେଙ୍କାନାଳ ସଦର ଥାନା ପୋଲିସ । ଏପଟେ ଲୁଟେରା ଶପ୍ତଶଯ୍ୟା ନିକଟରେ ସିଏମ୍ଏସ ଭ୍ୟାନକୁ ଛାଡ଼ି ଟଙ୍କା ବାକ୍ସ ସହ ଅନ୍ୟ ଏକ କାରରେ ଫେରାର ମାରିବା ସୂଚନା ପାଇ ସେମାନଙ୍କୁ ପିଛା କରିଥିଲା ପୋଲିସ। ସଦର ଥାନା ଗୁଣ୍ଡିଚାପଡ଼ାରେ କାରର ଟେର ପାଇ ତା ପଛେ ପଛେ ପିଛା କରିଥିଲା ପୋଲିସ ଭ୍ୟାନ। ଗାଁ ଗହଳି ରାସ୍ତାରେ ପ୍ରାୟ ୪୦ ମିନିଟ୍ ଧରି ଲୁଟେରା ଦଳ ଓ ପୋଲିସ ଟିମ୍ ମଧ୍ୟରେ ଚାଲିଥିଲା ଗୋଡ଼ାଗୋଡ଼ି। ତେବେ ଭୋଜଦେଇପୁର ନିକଟରେ ଆଗକୁ ଆଉ ରାସ୍ତା ନପାଇ ଗାଡ଼ି ଛାଡ଼ି ଫେରାର ମାରିବାକୁ ଉଦ୍ୟମ କରିଥିଲେ ୪ ଡକାୟତ। ହେଲେ ସେତେବେଳକୁ ଘଟଣା ପ୍ରଘଟ ହୋଇଥିବାରୁ ଗାଁ ଲୋକଙ୍କ ସହ ମିଶି ୩ ଡକାୟତ ସହ ଟଙ୍କା ବାକ୍ସକୁ ଉଦ୍ଧାର କରିଥିଲା ପୋଲିସ।

Advertisment

କେନ୍ଦ୍ରାଞ୍ଚଳ ଆଇଜିଙ୍କ ସୂଚନା ଅନୁସାରେ ଏ ଲୁଟ୍ ଘଟଣାରେ ସାମିଲ ଥିଲେ ୪ ଡକାୟତ। ତେବେ ୩ ଜଣଙ୍କୁ କାବୁ କରାଯାଇଥିବା ବେଳେ ଜଣେ ଫେରାର ମାରିବାରେ ସଫଳ ହୋଇଛି। ଅଭିଯୁକ୍ତମାନେ ଢେଙ୍କାନାଳ, ନୟାଗଡ଼, କନ୍ଧମାଳ ଓ ଆଠଗଡ଼ ଅଞ୍ଚଳର ବୋଲି ସୂଚନା ମିଳିଛି। ଏମାନେ ସମସ୍ତ ପେସାଦାର ଲୁଟେରା ବୋଲି ସୂଚନା ଦେଇଛି ପୋଲିସ। ସେପଟେ ଏଟିଏମ୍ ଭ୍ୟାନରେ ମୋଟ ୧ କୋଟି ୨୯ ଲକ୍ଷ ଟଙ୍କା ଥିବା ବେଳେ ୧ କୋଟି ୦୫ ଲକ୍ଷ ଟଙ୍କା ଉଦ୍ଧାର ହୋଇଛି। ବାକି ଟଙ୍କା ସମ୍ପର୍କରେ ଖୋଳତାଡ଼ କରୁଛି ପୋଲିସ। ଖସି ଯାଇଥିବା ଜଣେ ଲୁଟେରା କିଛି ଟଙ୍କା ନେଇଥିବା ଅନୁମାନ କରାଯାଉଛି।

ଆଠଗଡ଼ରୁ ନୀଳକଣ୍ଠ ଦୋରା ଓ ଢେଙ୍କାନାଳରୁ ରାଜଶ୍ରୀ ଶତପଥୀଙ୍କ ରିପୋର୍ଟ

Odisha Dhenkanal ATM Loot Crime
Advertisment
Advertisment