• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ପୁଣି ସେହି ATM ଭ୍ୟାନ୍ । ପୁଣି ସେହି ଟଙ୍କା ଲୁଟପାଟ୍ । ଭ୍ୟାନରେ ଥିବା ଟଙ୍କା ଭର୍ତ୍ତି ଟ୍ରଙ୍କକୁ ମଝି ରାସ୍ତାରୁ ଉଠାଇନେଇ ଦୁର୍ବୃତ୍ତ ମାରିଛନ୍ତି ଚମ୍ପଟ। ଲକ୍ଷେ କି ଦୁଇ ଲକ୍ଷ ନୁହଁ। ନଗଦ ୧ କୋଟି ୭୩ ଲକ୍ଷ ଟଙ୍କା ଥିବା ଟ୍ରଙ୍କକୁ ଧରି ଦୁର୍ବୃତ୍ତ ସୀମାପାର୍ ଅଭିଯୋଗ । କଟକ ତିଗିରିଆ ଥାନା ଗୋଡିଝରିଆରେ ଘଟିଛି ଏହି ଘଟଣା । ଭ୍ୟାନରେ ଥିବା କର୍ମଚାରୀଙ୍କ କହିବା କଥା, ଆଠଗଡ଼ SBIରୁ ଗାଡ଼ିରେ ଟଙ୍କା ଲୋଡ୍ କରି ପ୍ରଥମେ ଆରତୀ ଷ୍ଟିଲ୍ ପ୍ଲାଣ୍ଟ ନିକଟ ATM, ଆଠଗଡ଼ ଓ ତିଗିରିଆ ଥାନା ଗୋଡ଼ିଝରିଆ ବଜାରରେ ଗୋଟିଏ ଲେଖାଏଁ ATMରେ ଟଙ୍କା ଭର୍ତ୍ତି କରିଥିଲେ । ସେହିଠାରୁ ତିଗିରିଆ ବଜାରରେ ଥିବା ATMରେ ଟଙ୍କା ଭର୍ତ୍ତି ପାଇଁ ଯାଉଥିବାବେଳେ ଗୋଡ଼ିଝରିଆ ନିକଟରେ ୮ ମୁଖାପିନ୍ଧା ଦୁର୍ବୃତ୍ତ ସ୍କର୍ପିଓ, ବାଇକ୍ ଓ ସ୍କୁଟରରେ ଆସି ଅଟକାଇଥିଲେ । ଆଉ ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ୧କୋଟି ୭୩ ହଜାର ଟଙ୍କା ଥିବା ବାକ୍ସକୁ ଲୁଟି ନେଇଥିବା ଅଭିଯୋଗ ହୋଇଛି।  

ଲୁଟ୍ ପାଇଁ ଆଉ ATM ଯାଉନାହାଁନ୍ତି ଲୁଟେରା । ATMରେ ଭର୍ତ୍ତି କରିବାକୁ ଟଙ୍କା ଧରି ଯାଉଥିବା ଭ୍ୟାନରୁ ହିଁ ମଝିରାସ୍ତାରୁ କରୁଛନ୍ତି ଲୁଟପାଟ୍ । ଆପଣଙ୍କର ମନେଥିବ ୨ ବର୍ଷ ତଳର ବ୍ରହ୍ମପୁର ଓ ଢେଙ୍କାନାଳ ଜିଲ୍ଲାରେ ଭ୍ୟାନରୁ ଟଙ୍କା ଭର୍ତ୍ତି ବାକ୍ସ ଲୁଟ୍ ଘଟଣା । ଆଜି ସେମିତି ଏକ ଘଟଣା ଘଟିଛି କଟକ ତିଗିରିଆ ଅଞ୍ଚଳରେ। ଅଭିଯୋଗ ହୋଇଛି ପ୍ରାୟ ୮ ଜଣ ମୁଖାପିନ୍ଧା ଦୁର୍ବୃତ୍ତ, ଭ୍ୟାନରୁ କୋଟିଏ ୭୩ ଲକ୍ଷ ଟଙ୍କା ଥିବା ବାକ୍ସକୁ ଲୁଟିଛନ୍ତି । ପୋଲିସ ଘଟଣାର ତନାଘନା ଜାରି ରଖିଛି।


ତେବେ ଆଠ ଆଠ ଜଣ ଲୁଟେରା ଲୁଟରେ ସାମିଲ୍ ଥିବା କୁହାଯାଉଥିବାବେଳେ ସେମାନେ କେମିତି ଜାଣିଲେ ଏହି ଭ୍ୟାନରେ ଟଙ୍କା ଯାଉଛି ? ଏ ହେଉଛି ଘରୋଇ ଟଙ୍କା ପରିବହନକାରୀ ସଂସ୍ଥା ସେକ୍ୟୁର ଭ୍ୟାଲୁର ଭ୍ୟାନ । ଏଥିରେଥିଲେ ଡ୍ରାଇଭର ସହ ସଂପୃକ୍ତ ସଂସ୍ଥାର ୨ ସୁରକ୍ଷାକର୍ମୀ ଏବଂ ଟଙ୍କା ଲୋଡ୍ କରୁଥିବା ଜଣେ କର୍ମଚାରୀ । ତେବେ ହାତରେ ବନ୍ଧୁକ ଥାଇ ବି କାହିଁକି ସଂପୃକ୍ତ ସୁରକ୍ଷାକର୍ମୀ ଜଣକ ଲୁଟେରାଙ୍କୁ ମୁକାବିଲା କରିପାରିଲେନି ? ଦୁଇ ଦୁଇ ଜଣ ସୁରକ୍ଷାକର୍ମୀ ଥାଇ ଏତେବଡ଼ ଲୁଟ୍ ହେଲା କେମିତି ? ଏଭଳି ନାନା ପ୍ରଶ୍ନ ଭିତରେ ପୋଲିସ ୪ କର୍ମଚାରୀଙ୍କୁ ଧରି ତଦନ୍ତ ଚଳାଇଛି । ତା’ସହ ଆଠଗଡ଼ ଓ ତିଗିରିଆ ପୋଲିସ ବିଭିନ୍ନ ପଏଣ୍ଟକୁ ନାକାବନ୍ଦୀ କରି ଛାନଭିନ୍ କରୁଛନ୍ତି । 

୨୦୨୧, ଅକଟୋବର ୧୧। ଆଠଗଡ଼ ତିଗିରିଆ ଯାଉଥିବାବେଳେ ଟଙ୍କା ପରିବହନକାରୀ ସଂସ୍ଥା CMSର ଗାଡ଼ିକୁ ହାଇଜାକ୍ କରିନେଇଥିଲେ ଦୁର୍ବୃତ୍ତ । ଯେଉଁଥିରେ ଥିଲା ୧ କୋଟି ୨୯ ଲକ୍ଷ। ଲୁଟର କିଛି ଘଣ୍ଟା ମଧ୍ୟରେ ଦୁର୍ବୃତ୍ତଙ୍କୁ ପିଛା କରି ଗୋଡ଼ାଇ ଗୋଡ଼ାଇ ଧରିବା ସହ କୋଟିଏରୁ ଅଧିକ ଟଙ୍କା ଜବତ କରିଥିଲା ପୋଲିସ । ଏହାର ୨ ବର୍ଷ ପରେ ଆଜି ସେହି ତିଗିରିଆ ଅଞ୍ଚଳରୁ ଆସିଛି ସମାନ ଅଭିଯୋଗ ।

କେବଳ ତିଗିରିଆ ନୁହଁ। ୨୦୨୧ ଅଗଷ୍ଟ ୧୮ରେ ଏହି ସେକ୍ୟୁର ଭ୍ୟାଲୁ ସଂସ୍ଥାର ଗାଡ଼ିକୁ ହାଇଜାକ ସହ ୨୪ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା । ପରେ ଅବଶ୍ୟ ଜଣାପଡ଼ିଥିଲା, ଲୁଟେରା ଆଉ କେହି ନୁହଁ, ନିଜେ ଡ୍ରାଇଭର ହିଁ ଥିଲା ତା’ର ମାଷ୍ଟରମାଇଣ୍ଡ । ସାଧାରଣତଃ ATM ଗୁଡ଼ିକରେ ଟଙ୍କା ଭର୍ତ୍ତି ଦାୟିତ୍ୱ ଘରୋଇ ସଂସ୍ଥା ଗୁଡ଼ିକ ହାତରେ ରହିଛି । ଆଉ ଏଭଳି ଲୁଟପାଟ୍ ଘଟଣାରେ ସେହି ସଂସ୍ଥାର କର୍ମଚାରୀ ମାନଙ୍କ ସଂପୃକ୍ତି ହିଁ ଅନେକାଂଶରେ ରହିଛି । ତେଣୁ ଏସବୁ ସଂସ୍ଥା ଗୁଡ଼ିକର ଦାୟିତ୍ୱ ଏବଂ ଭୂମିକାକୁ ନେଇ ଏବେ ପ୍ରଶ୍ନ ଉଠୁଛି। 

  • Reported by:
  • NILAKANTHA DORA