Advertisment

ଧନୁ ତୀର ଧରି ୫ ଦିନ ହେଲା ଡରାଉଥିଲା, ଶେଷରେ ଧରାପଡ଼ିଲା

ଧନୁତୀର ଧରି ଗତ ଶନିବାର ଠାରୁ ବଡଜଲ ସ୍କୁଲକୁ ଅକ୍ତିଆରରେ ରଖିଥିଲା ଯୁବକ ଜଣକ। ଏପରିକି ତାର ତୀର ଓ ବାଟୁଳୀ ମାଡରେ ଲହୁ ଲୁହାଣ ହୋଇଥିଲେ ଥାନାଧିକାରୀଙ୍କ ସହ ଦୁଇ ଜଣ ପୋଲିସ ଓ ପ୍ରଧାନଶିକ୍ଷକ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Odisha

Odisha

ଧନୁ-ତୀର ଧରି ୫ଦିନର ଆତଙ୍କରାଜର ଅବସାନ। କାବୁ ହେଲା ସ୍କୁଲ କବଜାକାରୀ ଯୁବକ। ବଣାଇ ବଡଜଲ ସ୍କୁଲ କୋଠାରୁ ତାକୁ ପୋଲିସ, ଅଗ୍ନିଶମ ବାହିନୀ ଓ ଡିଭିଏଫ୍ ଧରିଛି। ଲୁହା ଓ ଷ୍ଟିଲ କବାଟକୁ ଢାଲ ବନାଇ ଦୁର୍ବୃତ୍ତକୁ ଧରିବାକୁ ସକ୍ଷମ ହୋଇଛନ୍ତି ସୁରକ୍ଷା କର୍ମୀ। ପରେ ତାକୁ ମହୁଲପାଲି ଥାନା ଆଣାଯାଇଛି। ଧନୁତୀର ଧରି ଗତ ଶନିବାର ଠାରୁ ବଡଜଲ ସ୍କୁଲକୁ ଅକ୍ତିଆରରେ ରଖିଥିଲା ଯୁବକ ଜଣକ। ଏପରିକି ତାର ତୀର ଓ ବାଟୁଳୀ ମାଡରେ ଲହୁ ଲୁହାଣ ହୋଇଥିଲେ ଥାନାଧିକାରୀଙ୍କ ସହ ଦୁଇ ଜଣ ପୋଲିସ ଓ ପ୍ରଧାନଶିକ୍ଷକ। ଡିଭିଏଫ୍, ଦୁଇ ପ୍ଲାଟୁନ୍ ପୋଲିସ, ଅଗ୍ନିଶମ ବାହୀନି ପହଁଚିଥିଲେ ବି ତାକୁ କାବୁ କରିପାରିନଥିଲେ। ଏହାରି ଭିତରେ ସେ ଆଜି ୮ପୃଷ୍ଠାର ଚିଠି ଲେଖି ଶହେ କୋଟି ଟଙ୍କା ଦାବି କରିଥିଲା।

Advertisment

ପୂରା କାହାଣୀଟି ହେଲା...

ସ୍କୁଲ ଛୁଟି ହେବା ପରେ କୋଠା ଉପରକୁ ଚଢିଗଲା ଜଣେ ଅଜଣା ବ୍ୟକ୍ତି। ହାତରେ ବାଟୁଳୀ, ଧନୁ ତୀର ଆଉ କିଛି ମାରଣାସ୍ତ୍ର। ରାତି ପାହିବା ପରେ ଆରମ୍ଭ ହୋଇଗଲା ଆତଙ୍କରାଜ୍। ପାଖ ଆଖରେ ଯାହାକୁ ଦେଖିଲା ବାଟୁଳୀ ମାରିଲା। ଯିଏ ବୁଝାଇବାକୁ ଆସିଲା ତାକୁ ଧମକାଇଲା।
କଥା ନଶୁଣିଲେ ବିନ୍ଧୁଥିଲା ତୀର। କେଉଁଠୁ ଆସିଛି, କଣ ଚାହୁଁଛି, ଦାବି କଣ, କିଛି କହୁନଥିଲା। ସମସ୍ତେ ଅବାକ୍, ଆଶ୍ଚର୍ଯ୍ୟ, କେହି କିଛି ବୁଝି ପାରୁନଥିଲେ।

ସୋମବାର ସ୍କୁଲ ଖୋଲିଲା। ହେଲେ ନା ଶିକ୍ଷକ ନା ପିଲା, କାହାକୁ ବି ସ୍କୁଲ ହତା ପଶାଇ ଦେଲାନି। ତୀର ମାରିବାକୁ ବାରମ୍ବାର ଧମକ ଦେଉଥିଲା। ଏପରିକି ଜୋର କରିବାରୁ ପ୍ରଧାନ ଶିକ୍ଷକଙ୍କୁ ବାଟୁଳୀ ମାରି ଲହୁ ଲୁହାଣ କରିଦେଲା। ଭୟଭୀତ ହୋଇ ଛାତ୍ରଛାତ୍ରୀଙ୍କୁ ନେଇ ପାଖ ସ୍କୁଲରେ ପାଠ ପଢାଇଲେ ଶିକ୍ଷକ।

Advertisment

ତିନି ଦିନର ଆତଙ୍କରାଜ ପରେ ଯୁବକଙ୍କୁ କାବୁ କରିବାକୁ ଆରମ୍ଭ ହେଲା ଅପରେସନ୍। ସଶସ୍ତ୍ର ପୋଲିସ, ସନ୍ଧାନୀ କୁକୁର ଓ ଅଗ୍ନିଶମ ବାହୀନି ପହଁଚିଲେ। ସ୍କୁଲକୁ ଚାରିପଟୁ ଘେରିଗଲେ ୨ ପ୍ଲାଟୁନ୍ ପୋଲିସ। ତଥାପି ଏତେ ସହଜ ନଥିଲା ତାକୁ କାବୁ କରିବା। ଯେଉଁଠି ଆଲୁଅ ଦେଖାଗଲା, ମୋବାଇଲ୍ କି ଗାଡି ଲାଇଟ୍ ପଡିଲା, ସେହି ଜାଗାକୁ ମାରୁଥିଲା ତୀର। ଗୁରୁତର ଆହତ ହେଲେ ମହୁଲପଡା ଥାନା ଅଧିକାରୀଙ୍କ ସହ ଆଉ ଜଣେ ପୋଲିସ କର୍ମଚାରୀ । ରାତି ସାରା ଜାଲ ବିଛାଇ ଜଗି ରହିଲା ପୋଲିସ। ତଥାପି ଆୟତକୁ ଆସିଲାନି ଦୁର୍ବୃତ୍ତ। ୪ ଦିନ ପରେ ବି ସେ କଣ ଚାହୁଁଛି କିଛି ସ୍ପଷ୍ଟ ହୋଇପାରୁନଥିଲା ।

୫ ଦିନ ଧରି ସ୍କୁଲକୁ କବଜା କରି ରଖିବା ପରେ ଆଜି ସାମ୍ନାକୁ ଆସିଥିଲା ତାର ପରିଚୟ । ସ୍କୁଲ କୋଠାରୁ ତଳକୁ ଲେଖି ପକାଇଥିଲା ୮ ପୃଷ୍ଠାର ଦାବି । ନାଁ ସଦନ ମୁଣ୍ଡା। ବୟସ- ପ୍ରାୟ ୪୦ ବର୍ଷ। ଘର- ସୁନ୍ଦରଗଡ ଲହୁଣୀପଡ଼ା ବ୍ଲକ୍ ଫୁଲଝର ପଂଚାୟତରେ। ହେଲେ ଆଶ୍ଚର୍ଯ୍ୟ
କରିଥିଲା ତାର ଦାବି। ଚିଠିରେ ମାଗିଥିଲା ଶହେ କୋଟି ଟଙ୍କା। ସେହି ଟଙ୍କାକୁ ଯେମିତି ଯେବେ ପାରିବ ଉଠାଇବାକୁ ସୁବିଧା କରିବାକୁ ବି କହିଥିଲା। ଏଥିସହ ମୋ ଘର ଭାଙ୍ଗିଯାଇଛି, ଚାରିପଟେ ପାଚେରୀ କରିବାର ଅଛି, ନଳକୂଅ ଦରକାର, ସୋଲାର ମେସିନ ଓ ପାଇପ୍ ସାଙ୍ଗକୁ ବାଡିରେ ଚାଷ ପାଇଁ ବ୍ୟବସ୍ଥା କରିବାକୁ କହିଥିଲା ।

Advertisment
Advertisment