• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁନି ପିଲାଙ୍କ ପେଟକୁ ଲାତ । ଆଖିରେ ଆଙ୍ଗୁଠି ଗେଞ୍ଜି ଚାଲିଛି ହରିଲୁଟ୍ । କିଲେ କି ବସ୍ତେ ନୁହେଁ ବାଟମାରଣା ଚାଲିଛି କୁଇଣ୍ଟାଲ କୁଇଣ୍ଟାଲ ମିଡ୍-ଡେ ମିଲ୍ ଚାଉଳ । କେମିତି ଚାଲିଛି ମହାଲୁଟ୍ ? ଆସନ୍ତୁ ଜାଣିବା । ମିଡ୍‌ ଡେ’ ମିଲ୍‌ ପାଇଁ ସ୍କୁଲ ଗୁଡ଼ିକୁ ୫୦ କିଲିଆ ଚାଉଳ ବସ୍ତା ସବୁ ଆସୁଛି । ହେଲେ କେଉଁଥିରୁ ୨ କିଲୋ ତ କେଉଁଥିରୁ ଅଢ଼େଇ କିଲୋ ଲେଖାଏଁ ଗାଏବ ।

ଏଭଳି ଅଭିଯୋଗ ପାଇବା ପରେ ସତ ପରଖିବାକୁ ଆମ ଓଡିଭି ଟିମ୍‌ ସାଙ୍ଗରେ ଏକ ଡିଜିଟାଲ୍ ଓଜନ ମାପକ ଯନ୍ତ୍ର ନେଇ ପହଞ୍ଚିଥିଲା ଜୟପୁର ସହରର ପାରାବେଡ଼ା ପ୍ରାଥମିକ ସ୍କୁଲରେ । ଆଖି ଦେଖା ତଥ୍ୟ ହାସଲ ପାଇଁ ବସ୍ତା ପରେ ବସ୍ତା ଆଣି ଓଜନ କରାଗଲା, ଅଧିକାଂଶ ଥିରେ ଚାଉଳ କମ୍ ଥିବା ଜଣାପଡ଼ିଥିଲା । ଗୋଟିଏ ୫୦ କିଲିଆ ବସ୍ତାରେ ଅଛି ୪୭ କିଲୋ ୫୬୦ ଗ୍ରାମ ସେଥିରେ ପୁଣି ବସ୍ତା ଓଜନ ବି ସାମିଲ ଅର୍ଥାତ୍ ଅଢ଼େଇ କିଲୋ ପାଖାପାଖି ଚାଉଳ ଗାଏବ । ସେମିତି ଆଉ ଏକ ୫୦ କିଲିଆ ବସ୍ତାରେ ୪୮ କିଲୋ ୧୧୦ ଗ୍ରାମ୍ ରହିଥିବା ବେଳେ କେଉଁଥିରେ ୪୭ କିଲୋ ୯୫୦ ଓ ୪୮ କିଲୋ ୧୨୦ ଗ୍ରାମ ବି ରହିଛି । ବୁଝୁ ବୁଝୁ ଜଣାପଡ଼ିଲା ସ୍କୁଲରେ ଓଜନ ମାପ ଯନ୍ତ୍ର ନାହିଁ, ଦାୟିତ୍ୱରେ ଥିବା ଶିକ୍ଷକ କେବଳ ବସ୍ତା ସିଲ୍ ଦେଖି ଗଣତି କରି ରଖୁଛନ୍ତି ।

ସେମିତି ଜୟପୁର ବ୍ଲକ୍ ଅନ୍ତର୍ଗତ ଡିମଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଡଙ୍ଗରଛିଞ୍ଚି ଆଶ୍ରମ ବିଦ୍ୟାଳୟରେ ଦେଖିବାକୁ ମିଳିଥିଲା ସମାନ ସ୍ଥିତି । ସବୁଠି ଶିକ୍ଷକ ଓ ସ୍କୁଲ କମିଟିଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଦିନ ଦ୍ୱିପହରରେ ଚାଲିଥିବା ଏ ବାଟମାରଣା ସମ୍ପର୍କରେ କେହି ଅଭିଯୋଗ କରୁନାହାନ୍ତି କାହଁକି ? ପଚାରିବାରେ ଏଣେ କାଗଜପତ୍ରରେ ପିଲାଙ୍କ ମୁଣ୍ଡପିଛା ହିସାବରେ କିନ୍ତୁ ମଧ୍ୟାହ୍ନ ଭୋଜନ ଚାଉଳ ପାଇଁ ସଠିକ୍ ଓଜନର ଚାଉଳ ଆସୁଛି, କିନ୍ତୁ ବସ୍ତାରେ ସେତିକି ରହୁନି । କହିବାକୁ ଗଲେ ସିଧା ପିଲାଙ୍କ ପେଟକୁ ଗୋଇଠା । ଏମିତି ନୁହେଁ ଯେ, ଏକଥା ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଜାଣୁନାହାନ୍ତି, ହେଲେ ଉପରିସ୍ଥ କର୍ମଚାରୀଙ୍କ ନାଲିଆଖି ଯୋଗୁଁ କଥା ବୁଲେଇ ବଙ୍କେଇ କହୁଛନ୍ତି ।

ତାହାଲେ ଏଠି ପ୍ରଶ୍ନ ମଧ୍ୟାହ୍ନ ଭୋଜନ ଚାଉଳର ଏ ମହାଲୁଟ୍ କରୁଛି କିଏ ? ଠିକାଦାର ଓ ଯୋଗାଣ ବିଭାଗର ସଲାସୁତୁରାରେ ଘୋଟାଲା ଚାଲିନି ତ ? ଚାଉଳ ଯୋଗାଣକାରୀ ଠିକାଦାରଙ୍କ ସହ ବ୍ଲକ୍ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଫିସ୍ କର୍ମଚାରୀ ସାମିଲ ନାହାନ୍ତି ତ ନା ସ୍କୁଲ କର୍ତ୍ତୃପକ୍ଷଙ୍କ ମିଲି ଭଗତରେ ଏସବୁ ଚାଲିଛି ? ତେଣେ ତଥ୍ୟ କହୁଛି କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ୍‌କୁ ଦୁଇ ଭାଗରେ ବିଭକ୍ତ କରି ନିର୍ଦ୍ଦିଷ୍ଟ ଦୁଇଟି ଠିକା ସଂସ୍ଥାକୁ ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ ଦାୟିତ୍ୱ ଦେଇଛି ଜିଲ୍ଲା ପ୍ରଶାସନ । ତେବେ କେମିତି ପ୍ରଶାସନର ନାକ ତଳେ ଚାଲିଛି ଏତେବଡ଼ ବ୍ୟବସ୍ଥିତ ଚୋରି । ଜୟପୁର ଉପଜିଲ୍ଲାପାଳ କହିଛନ୍ତି-ଏକଥା ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଚରାଯିବ, ଦରକାର ପଡ଼ିଲେ ନୋଟିସ୍ କରି ରିପୋର୍ଟ ମଗାଯିବ ।