• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅପାଠୋଆ ଡାକ୍ତର । ରସିକିଆ ନକଲି ଡାକ୍ତରଙ୍କ ଆହୁରି ଖୋଲୁଛି ଗୁମର । ଅଭିଯୁକ୍ତ ରମେଶ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତାରଣାର ଚେର ଲମ୍ବି ଲମ୍ବି ଯାଉଛି । ବିବାହ, ବିଜନେସ୍, ବ୍ଲାକ ମନି ପରେ ଏବେ ରସିକିଆ ନକଲି ଡାକ୍ତର ମାଟ୍ରିକ ବି ପାସ୍ କରି ନଥିବା ସୂଚନା ମିଳିଛି । ସେ ମାଟ୍ରିକ ବି ପାସ୍ କରି ନଥିବା ସଂପର୍କୀୟମାନେ କହିଛନ୍ତି । ଏକଥା ଜଣାପଡ଼ିବା ପରେ ଅଭିଯୋଗର ଯାଞ୍ଚ କରାଯିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।

ତେବେ ୧୭ ବିବାହ ପରେ ପୁଣି ବାହା ହେବାକୁ ଯୋଜନା କରିଥିଲେ ନକଲି ଡାକ୍ତର ଜଣକ । ବାହାଘର ପାଇଁ ଅନେକ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ । ପୁଣି ଠକେଇ କରିବାକୁ ମାୟାଜାଲ ବୁଣିସାରିଥିଲେ । କଟକ, ବଡ଼ମ୍ବାରେ ସଂପୃକ୍ତ ନକଲି ଡାକ୍ତରଙ୍କ ୨ଟି କ୍ଲିନିକ ମଧ୍ୟ ରହିଛି । ତେବେ କ୍ଲିନିକରେ କାମ କରୁଥିବା କର୍ମଚାରୀଙ୍କୁ ସେ ଦୀର୍ଘ ମାସ ଧରି ଦରମା ଦେଇ ନଥିବା ମଧ୍ୟ ଅଭିଯୋଗ ରହିଛି । ଭୁବନେଶ୍ୱର ପାତ୍ରପଡ଼ାରେ ତାଙ୍କ ନାଁରେ ଥିବା ଗୋଟିଏ ଘର ଠାବ ହୋଇଛି ।

ରମେଶଚନ୍ଦ୍ର ସ୍ୱାଇଁଙ୍କର ୧୭ ଜଣ ସ୍ତ୍ରୀ ଥିବା ଗତକାଲି ଜଣାପଡ଼ିଛି । ବଡ଼କଥା ହେଲା ଧୋକ୍କା ଖାଇଥିବା ସମସ୍ତ ମହିଳା ସମ୍ଭ୍ରାନ୍ତ ଶ୍ରେଣୀର । ସେ ବି ଅଲଗା ଅଲଗା ରାଜ୍ୟରୁ । କେବଳ ମହିଳାଙ୍କୁ ପ୍ରତାରଣା ନୁହେଁ MBBSରେ ଆଡମିଶନ କରାଇଦେବା ନାଁରେ ରମେଶ କରିଥିବା ଠକେଇର ତାଲିକା ବି ଲମ୍ବି ଚାଲିଛି । ହାଇଦ୍ରାବାଦ ପରେ ଏବେ ଓଡ଼ିଶାରୁ ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି । ଜଗତସିଂହପୁରର ଜଣେ ବ୍ୟକ୍ତି ରମେଶଙ୍କ ନାଁରେ ୧୮ ଲକ୍ଷ ଠକିଥିବା ଅଭିଯୋଗ କରିଛନ୍ତି ।

ଏହି କରିରକର୍ମା ନକଲି ଡାକ୍ତରଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ଓଗାଳିବା ପାଇଁ ଏକ ସ୍ପେଶାଲ୍ ଟିମ୍ ଗଠନ କରିଛି କମିଶନରେଟ୍ ପୋଲିସ୍ । ଯେଉଁଥିରେ ଅଛନ୍ତି ଭୁବନେଶ୍ୱର ମହିଳା ଥାନା IIC, ୨ ଜଣ ସବ୍ ଇନ୍ସପେର ଏବଂ ଜଣେ ଏନ୍ଜିଓ କାଉନ୍ସେଲର । ତାଛଡା ନକଲି ଡାକ୍ତରଙ୍କ ମୋବାଇଲ ଫୋନ୍ ଫୋରେନସିକ୍ ଲ୍ୟାବ ପଠାଯିବା ସହ ଅର୍ଥ କାରବାରର ବି ତଦନ୍ତ ହେବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।