• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗଣତି ସରିଲା । ଦେଶର ସବୁଠୁ ଚର୍ଚ୍ଚିତ ଆଇଟି ରେଡ୍ ସାରି ବଲାଙ୍ଗିର ବି ଛାଡ଼ିଲେ ଅଧିକାରୀ । ହେଲେ ଏବେ ପ୍ରଶ୍ନ ଆଗକୁ କ'ଣ ? କୁହାଯାଉଛି, ୬ ଦିନ ରେଡରୁ ଆଖି ତରାଟିଲା ଭଳି ୩୩୦ କୋଟିରୁ ଅଧିକ ନଗଦ ଟଙ୍କା ମିଳିବା ପରେ, ଏବେ ଆଇଟି ବିଭାଗର ଅଧିକାରୀ ପ୍ରମାଣ ଖୋଜାରେ ଲାଗିବେ । ଏଥିସହ କଳାଟଙ୍କା ପାହାଡ଼ର ଏ ଉତ୍ସ ଖୋଜିବାକୁ ମାମଲାରେ ଖୁବ୍‌ଶୀଘ୍ର ଏଣ୍ଟ୍ରି ମାରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ED । ସଂସ୍ଥାର ଯୁଗ୍ମ ନିର୍ଦ୍ଦେଶକ ଆଜି ଆଇଟିର ବରିଷ୍ଠ ଅଧିକାରୀଙ୍କୁ ଭେଟିବା ପରେ ଏଭଳି ସମ୍ଭାବନା ବଢ଼ିଛି ।

ତାଜୁବ ହେଲା ଭଳି ଚିତ୍ର..ଆଖି ଖୋସି ହେଲା ଭଳି ଛବି । କେତେବେଳେ ବସ୍ତାରେ ବୁହା ହେଉଥିଲା, କେତେବେଳେ ଟ୍ରଙ୍କରେ ତ ପୁଣି କେତେବେଳେ ଟ୍ରକରେ, ଭ୍ୟାନରେ ଯାଉଥିଲା ଦେଶୀ ମଦ ଭାଟିରୁ ଜବତ୍ ନଗଦ ଟଙ୍କାର ପାହାଡ । ସ୍ଥିତି ଏମିତି ଗଣତି କରି କରି କେବେ ମଣିଷ ଥକି ଯାଉଥିଲା, ତ ଅଚଳ କେବେ ହୋଇଯାଉଥିଲା ମେସିନ୍ । ହେଲେ ୬ ଦିନ କାଳ ନନ୍‌ଷ୍ଟପ୍ ଗଣତି, ରେଡ୍ ପରେ, ସୁରକ୍ଷା କର୍ମୀ ଓ ଆଇଟି ବିଭାଗର ଅଧିକାରୀ ଆଜି ବଲାଙ୍ଗିର ଛାଡ଼ି ଯାଇଛନ୍ତି । ରେଡ୍ ଓ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ମୁହଁ ଖୋଲି ନଥିଲେ ବି ଆଇଟି ବିଭାଗର ଯୁଗ୍ମ ନିର୍ଦ୍ଦେଶକ କହିଦେଲେ ରେଡ୍ ସରିଲା ।

ଗଣତି ବି ସରିଛି । ବ୍ୟାଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଡିଷ୍ଟିଲାରି ପ୍ରାଇଭେଟ୍ ଲିମିଟେଡର, କେବଳ ସୁଦପଡ଼ା ମଦ ଭାଟିରୁ ଜବତ ହୋଇଥିବା ୧୭୬ ବସ୍ତାରୁ ମିଳିଛି ୨୮୫ କୋଟି ୫୮  ଲକ୍ଷ ୫ ହଜାର ଟଙ୍କା । ଟିଟିଲାଗଡ଼ରୁ ମିଳିଥିବା ଟଙ୍କାର ପରିମାଣ ୧୧ କୋଟି । ଏଥିସହ ବ୍ୟାଙ୍କ ଲକରରୁ ସୁନା ଓ ହୀରା ବି ଜବତ ହୋଇଛି ।

ସେହିପରି ରେଡରୁ କେତେ ଜବତ ହେଲା, ସୁନା-ହୀରାର ପରିମାଣ କେତେ ଏଯାଏଁ ତାର କିଛି ବି ସୂଚନା ଦେଇନି ଆଇଟି ବିଭାଗ । ହେଲେ ରେଡ୍ ଥମିବା ପରେ ଏବେ ଆଗକୁ କଣ ? କୁହାଯାଉଛି, ଏବେ ଆଇଟି ପାଇଁ ପ୍ରମାଣ ଯୋଗାଡ଼ର କାମ । ଦେଶୀ ମଦ ଭାଟିରୁ ଏତେ ଟଙ୍କା ଅମଳ ହେଲା କେମିତି ? ଯଦି ହେଉଥିଲା ଏହାକୁ କ୍ୟାସ ଆକାରରେ କାହିଁକି ରଖାଯାଉଥିଲା ? ଏମଜିକ୍ୟୁ ଅନୁସାରେ ଦେଶୀ ମଦଭାଟିରେ କେତେ ମଦ ଉତ୍ପାଦନ ହେଉଥିଲା, କେତେ ବିକ୍ରି ହେଉଥିଲା ? ଏବାବଦକୁ କେତେ ସେଲ୍ସ ଟ୍ୟାକ୍ସ ଓ ଇନକମ୍ ଟ୍ୟାକ୍ସ ଦିଆଯାଉଥିଲା । ବାସ୍ତବରେ କେତେ ଟ୍ୟାକ୍ସ ଫାଙ୍କି ହୋଇଛି ? ଏସବୁର ଏବେ ଯାଞ୍ଚ କରିବ ଆୟକର ବିଭାଗ ।

ତେବେ ସବୁଠୁ ବଡ଼ କଥା ହେଉଛି, ଆୟ ଯାହା ହେଉ ନା କାହିଁକି, ଜଣଙ୍କ ପାଖରେ ଏତେ ପରିମାଣର ନଗଦ କ୍ୟାସ ଆସିବ କେଉଁଠୁ । ଦେଶୀ ମଦରୁ ଏତେ ବେଆଇନ ଟଙ୍କା ଅମଳ ଅସମ୍ଭବ ମନେ ହେଉଥିବାରୁ ଟଙ୍କାର ବାକି ଉତ୍ସ ସବୁ କଣ ? ଆଗରୁ ଏମିତି କେତେ ପରିମାଣର ବେଆଇନ୍ ଅର୍ଥ କେଉଁଠି କେଉଁଠି ବିନିଯୋଗ ହୋଇଛି ? ଠୁଳ ଥିବା ଏ ବେଆଇନ୍ ଜବତ୍ ଅର୍ଥର କିଏ କିଏ ଭାଗିଦାରୀ ଥିଲେ ? କେଉଁଠି କେଉଁଠି ବିନିଯୋଗ ହୋଇଥାନ୍ତା ଏ ବିପୁଳ ନଗଦ ଟଙ୍କା ? ଅନ୍ୟ କାହାର ବିପୁଳ କଳାଟଙ୍କାକୁ ଏଠି ରଖି ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାରର ଲକ୍ଷ୍ୟ ନଥିଲା ତ ? ୟା ପଛରେ ରାଜନୈତିକ ସଂପୃକ୍ତି ଅଛି ନା ନାହିଁ, ଯଦି ଅଛି କେଉଁ ରାଜନେତା ଏଥିରେ ଜଡ଼ିତ ?

କୁହାଯାଉଛି ମନି ଲଣ୍ଡ୍ରିଂ ସହ ଜଡ଼ିତ ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ଆଇଟି କ୍ଷମତା ପରିସରରେ ନଥିବାରୁ ଖୁବ୍‌ଶୀଘ୍ର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏଣ୍ଟ୍ରି ହୋଇପାରେ । ବିଶ୍ୱସ୍ତ ସୂଚନା ଅନୁସାରେ ଏଥିପାଇଁ ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଛି । ଇଡିର ଯୁଗ୍ମ ନିର୍ଦ୍ଦେଶକଙ୍କ ସହ ଏକ ତିନି ଜଣିଆ ଟିମ୍ ଆଜି ଭୁବନେଶ୍ୱର ସ୍ଥିତ ଆଇଟି କାର୍ଯ୍ୟାଳୟକୁ ଯାଇ ମାମଲା ସଂପର୍କରେ ଆଲୋଚନା କରିଛନ୍ତି ।

ତେବେ ଆଇଟି ତଦନ୍ତରୁ ବ୍ଲାକମନି ସୁରାକ୍ ଆଧାରରେ କେବେ ଇଡିକୁ ବିଧିବଦ୍ଧ ରିପୋର୍ଟ ଯାଉଛି, ଏବଂ ଇଡି କେବେ ଏ ବିପୁଳ କଳାଟଙ୍କାର ଉତ୍ସ ଖୋଜୁଛି, ଏବେ ତା’ଉପରେ ନଜର ।