• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦୁଇ ପିଲାଙ୍କୁ ବିଷ ପିଆଇ ଦେଲା ମା’ । ପରେ ଉଭୟ ସ୍ୱାମୀ ସ୍ତ୍ରୀ ମିଶି ଲଗାଇ ଦେଲେ ରଶି । ଚାହୁଁଚାହୁଁ ଗୋଟିଏ ପରିବାର ଛାରଖାର ହୋଇଗଲା । ଅକାଳରେ ଝଡ଼ିଗଲା ୪ ଜୀବନ । ଦୁନିଆକୁ ଭଲ କରି ଜାଣିନଥିବା ଦୁଇ କୁନିପୁଅ ଦୁନିଆ ଛାଡ଼ିଦେଲେ । ପରେ ପରେ ସେମାନଙ୍କୁ ଜନ୍ମଦେଇ ଦୁନିଆକୁ ଆଣିଥିବା ବାପା-ମା’ ମଧ୍ୟ ଚାଲିଗଲେ ଆରପାରିକୁ ।

ବର୍ତ୍ତମାନର ଏହି ଖବର ସମସ୍ତଙ୍କୁ ଚକିତ କରିଛି । ଏକାସଙ୍ଗେ ଗୋଟିଏ ପରିବାରର ଚାରି ଚାରି ଜଣଙ୍କ ମୃତ୍ୟୁ ନେଇ ସବୁଠି ଚର୍ଚ୍ଚା ଲାଗିଥିବା ବେଳେ ମୃତ୍ୟୁର କାରଣକୁ ନେଇ ଲାଗି ରହିଛି ସସ୍‌ପେନ୍ସ । କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ଦମ୍ପତି ? ମା’ ହୋଇ କିପରି ତାଙ୍କର ଦୁଇ ପୁଅଙ୍କୁ ଦେଇଦେଲେ ବିଷ ? ଏକା ସଂଗେ ସ୍ୱାମୀ-ସ୍ତ୍ରୀ ରଶି ଲଗାଇ ଆତ୍ମହତ୍ୟା କରିବା ପଛର କ’ଣ ରହିଥାଇପାରେ କାରଣ ? ଏପରି ଅନେକ ପ୍ରଶ୍ନକୁ ନେଇ ପୋଲିସ ତଦନ୍ତ କରୁଥିବା ଜଣାପଡ଼ିଛି । ସେପଟେ ଏହି ଘଟଣା ଘଟିବା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଅଧିକ ପଢ଼ନ୍ତୁ: କିଲର୍‌ ଚାଇନିଜ୍‌ ଆପ୍‌; ‘ଟଙ୍କା ଦିଅ ନହେଲେ ଭାଇରାଲ ହେବ ଅନ୍ତରଙ୍ଗ ଫଟୋ’

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏହି ଘଟଣା ସାମ୍ନାକୁ ଆସିଛି । ରତିବାଦ ପୋଲିସ ଷ୍ଟେସନ ଅଧୀନସ୍ଥ ନୀଳବାଡ ଅଞ୍ଚଳର ଗୋଟିଏ ପରିବାରର ୪ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି । ଏ ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ପାଇଥିବା ସୂଚନା ଦେଇଛି ।

ଏହି ଘଟଣାରେ ଏସିପି ଚନ୍ଦ୍ର ପ୍ରକାଶ ପାଣ୍ଡେ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କହିବା ଅନୁଯାୟୀ ପ୍ରଥମେ ଦୁଇ ପିଲାଙ୍କୁ ବିଷ ଦିଆଯାଇଥିଲା । ମୃତ ଦୁଇ ବାଳକଙ୍କ ମଧ୍ୟରେ ଜଣେ ୮ ବର୍ଷର ଏବଂ ଜଣେ ୩ ବର୍ଷର ରହିଛନ୍ତି । ପରେ ସ୍ୱାମୀ-ସ୍ତ୍ରୀ ନିଜ ଗଳାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ମୃତ ବ୍ୟକ୍ତି ଜଣକ ଏକ ଘରୋଇ ବୀମା କମ୍ପାନୀରେ କାର୍ଯ୍ୟ କରୁଥିଲେ । କମ୍ପାନୀର କ୍ଷତି ହେତୁ ତାଙ୍କ ଉପରେ କିଛି ଋଣ ରହିଥିଲା । ଯାହାକୁ ନେଇ ସେ ସବୁବେଳେ ଚିନ୍ତିତ ରହୁଥିଲେ । ଅତ୍ୟଧିକ ଚିନ୍ତା କରଣରୁ ତାଙ୍କ ପରିବାର ଏପରି ଚରମ ନିଷ୍ପତ୍ତି ନେଇଥିବା ଏସିପି ଚନ୍ଦ୍ର ପ୍ରକାଶ ପାଣ୍ଡେ ସୂଚନା ଦେଇଛନ୍ତି ।

ଖାଲି ସେତିକି ନୁହେଁ, ମୃତ୍ୟୁର କାରଣ କେବଳ ଋଣ ନା ଅନ୍ୟ କିଛି ସେନେଇ ପୋଲିସ ତଦନ୍ତ କରୁଛି । ସମସ୍ତ ମୃତଦେହକୁ ପୋଲିସ ଜବତ କରିବା ପରେ ପୋଷ୍ଟମର୍ଟମ କରିବାକୁ ପଠାଇଦେଇଛି ।

ସେପଟେ ଜବତ ହୋଇଥିବା ସୁଇସାଇଡ୍ ନୋଟ୍‌ରେ ଋଣ କାରଣରୁ ସାରା ପରିବାର ହତ୍ୟା କରିଥିବା ଲେଖା ରହିଛି । ମୃତ୍ୟୁ ପୂର୍ବରୁ ବ୍ୟକ୍ତି ଜଣକ ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି, ‘ମୋର ଗୋଟିଏ ଭୁଲ ମୋ ଛୋଟିଆ ପରିବାର ଆଖିରେ ଲୁହ ଦେଉଛି । ଆମ ପରିବାର ଖୁସିର ସହିତ ଜୀବନ ବିତାଉଥିଲା । କୌଣସି ଅସୁବିଧା ନଥିଲା, କି ଆମେ କୌଣସି କଥାକୁ ନେଇ ଚିନ୍ତିତ ରହୁନଥିଲୁ । ହେଲେ ମୋର ଭୁଲ ନିଷ୍ପତ୍ତି ପାଇଁ ଆମ ପରିବାର ଏପରି କଠୋର ନିଷ୍ପତ୍ତି ନେଇଛି’ ବୋଲି ସୁଇସାଇଡ୍‌ ନୋଟ୍‌ରେ ଲେଖାରହିଛି । ଖାଲି ଏତିକି ନୁହେଁ, ବ୍ୟକ୍ତି ଜଣକ ଆହୁରି ଅନେକ କିଛି କଥା ଲେଖିଥିବା ମଧ୍ୟ ପୋଲିସ ସୂଚନା ଦେଇଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଛି ।