• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାନସ ମର୍ଡର ମିଷ୍ଟ୍ରିର ମହାଖୁଲାସା କଲେ ମାଡ଼ାମ୍ ଶର୍ମିଷ୍ଠା । ଅପହରଣ, ହତ୍ୟା ଆଉ ଶବ ପୋତିବା ଯାଏଁ ସମସ୍ତ ଘଟଣାରେ ଦୋଷ ସ୍ୱୀକାର କରି ଗୋଟି ଗୋଟି କରି ଡେମୋ ଦେଖାଇଲେ । ୫ ଦିନିଆ ରିମାଣ୍ଡର ଚତୁର୍ଥ ଦିନରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଧରି ଅପରାଧର ଛାପ ଥିବା ୩ଟି ଜିଲ୍ଲାକୁ ନେଇ କ୍ରାଇମବ୍ରାଞ୍ଚ ଡେମୋ କରାଇଛି । ପ୍ରଥମେ ଚାନ୍ଦବାଲି, ପରେ ଭୁବନେଶ୍ୱର ଦୟାଲ ଆଶ୍ରମ, ଏହାପରେ ନୟାଗଡ଼ ରଣପୁରକୁ ନିଆଯାଇଥିଲା ଶର୍ମିଷ୍ଠାଙ୍କୁ । ଏସବୁ କ୍ରାଇମସ୍ପଟରେ ସିନ୍ ରିକ୍ରିଏସନ ବେଳେ ଶର୍ମିଷ୍ଠା ଜାଗା ତ ଦେଖାଇଲେ, ତାସହ କାନ୍ଦି କାନ୍ଦି ବଖାଣିଲେ ଅପରାଧ ଆଉ ଷଡ଼ଯନ୍ତ୍ରର ସତ । ତେବେ ଏହି ଜଘନ୍ୟ ଅପରାଧ ପଛରେ ବାସ୍ତବରେ ମେମୋରୀ ଚିପ୍ ନା ଅନ୍ୟ କାରଣ ? ତାକୁ ନେଇ ମୁହଁ ଖୋଲୁନଥିବା କ୍ରାଇମବ୍ରାଞ୍ଚ ଏହାର ଖୋଳତାଡ଼ କରୁଛି ।

କ୍ୟାମେରାମ୍ୟାନ୍ ମାନସଙ୍କୁ ଚାନ୍ଦବାଲିରୁ କେମିତି ହେଲା ଅପହରଣ ? ଭୁବନେଶ୍ୱର ଦୟାଲ ଆଶ୍ରମରେ କେମିତି କରାଯାଇଥିଲା ହତ୍ୟା ? ନୟାଗଡ଼ ରଣପୁରରେ ଶବ ପୋତି ଦିଆଗଲା କେମିତି ? ତିନି ତିନିଟି କ୍ରାଇମସ୍ପଟରେ କ୍ରାଇମବ୍ରାଞ୍ଚର କ୍ରାଇମ୍ ସିନ୍ ରିକ୍ରିଏସନ୍ । ଅପରାଧର ପ୍ରତିଟି ଦୃଶ୍ୟପଟ୍ଟକୁ ଶର୍ମିଷ୍ଠା କେଉଁଠି କାନ୍ଦି କାନ୍ଦି ଡେମୋ ଦେଖାଇଲେ ତ ଆଉ କେଉଁଠି ଲୋକଙ୍କଠୁ ମୁହଁ ଲୁଚାଇଲେ । ସମୟ ସକାଳ ପ୍ରାୟ ସାଢ଼େ ୮ଟା ।

 

କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ଶର୍ମିଷ୍ଠାଙ୍କ ସହ ୨ଟି ବୋଲେରୋରେ ସଦଳବଳେ ବାହାରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଟିମରେ ଥିଲେ ତଦନ୍ତ ଅଧିକାରୀ କଳ୍ପନା ସାହୁଙ୍କ ସହ ୧୦ରୁ ୧୫ ଅଫିସର । ଶର୍ମିଷ୍ଠାଙ୍କୁ ଧରି ଟିମ୍ ପ୍ରଥମେ ଚାନ୍ଦବାଲି ପଳାସପୁର ଯାଇଥିଲା, ଯେଉଁଠୁ ମାନସଙ୍କୁ ଉଠାଇ ଆଣିଥିଲେ ଶର୍ମିଷ୍ଠା ଏବଂ ତାଙ୍କ ସହଯୋଗୀ । ସେଠାରେ ପହଞ୍ଚିବା ପରେ ବଧିମୁହାଁ ସାହିର ଦୋଳ ମଣ୍ଡପରେ ବସି କେମିତି ମାନସଙ୍କୁ ଅପହରଣର ଷଡଯନ୍ତ୍ର କରାଯାଇଥିଲା ତାର ତଥ୍ୟ ଉଗାରିଥିଲେ ଶର୍ମିଷ୍ଠା । ଆଉ ଏପଟେ ଶର୍ମିଷ୍ଠାଙ୍କ ଜଘନ୍ୟକାଣ୍ଡ ସମ୍ପର୍କରେ ଜାଣିବା ପାଇଁ ଏବଂ ତାଙ୍କୁ ଥରେ ଦେଖିବା ପାଇଁ ଜମିଯାଇଥିଲା ପ୍ରବଳ ଭିଡ଼ ।

ପଳାସପୁରରେ ଅସମ୍ଭାଳ ଭିଡ଼ ଯୋଗୁ ଅଳ୍ପ ସମୟ ମଧ୍ୟରେ ସିନ୍ ରିକ୍ରିଏସନ୍ ସାରି ଶର୍ମିଷ୍ଠାଙ୍କୁ ଧରି ଭୁବନେଶ୍ୱର ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ତାପୂର୍ବରୁ କ୍ରାଇମବ୍ରାଞ୍ଚ ପକ୍ଷରୁ କର୍ଡ଼ନ କରି ରଖାଯାଇଥିଲା ଦୟାଲ ଆଶ୍ରମ ପରିସରକୁ । କାରଣ ଏ ଥିଲା ସେହି ମର୍ଡର ସ୍ପଟ୍ । ଯେଉଁଠି ଅତି ଅମାନୁଷିକ ଭାବେ ଶର୍ମିଷ୍ଠା, ନିରଂଜନଙ୍କ ସମେତ ଅନ୍ୟ ସହଯୋଗୀ ମିଶି ଆକ୍ରମଣ କରିଥିଲେ ମାନସଙ୍କୁ । ଆଉ ଯେଉଁ କୋଠରୀରେ ରଖି ମାନସଙ୍କୁ ମାଡ଼ ମରାଯାଇଥିଲା, ସେହି କୋଠରୀକୁ ଯାଇ ଭୋ ଭୋ ହୋଇ କାନ୍ଦିବା ସହ ଲୋମଟାଙ୍କୁରା କାଣ୍ଡର ବର୍ଣ୍ଣନା କରିଥିଲେ ଶର୍ମିଷ୍ଠା ଫେବ୍ରୁୟାରୀ ୭ର ଷଡ଼ଯନ୍ତ୍ରର ଗୁମର ଖୋଲିଲେ । ୧୦ରୁ ୧୫ ମିନିଟ୍ ଯାଏଁ ହୋଇଥିବା ସିନ୍ ରିକ୍ରିଏସନ ବେଳେ ସେଠାରେ ବି ଜମିଥିଲା ଲୋକଙ୍କ ଗହଳି ।

ସେହିପରି ଭୁବନେଶ୍ୱର ଦୟାଲ୍ ଆଶ୍ରମରେ ହତ୍ୟା ପରେ ଶର୍ମିଷ୍ଠା ଆଣ୍ଡ କୋ ମାନସଙ୍କ ମୃତଦେହକୁ କାରରେ ଆଣି ପୋତିଦେଇଥିଲେ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ବଧିପାଟଣା ଅଞ୍ଚଳରେ। କେମିତି ପୋତିଦେଇଥିଲେ ? ସାଙ୍ଗରେ କିଏ କିଏ ଆସିଥିଲେ ? ମୃତଦେହକୁ ପୋତିଦେବା ପରେ କୁଆଡ଼େ ଗଲେ ଶର୍ମିଷ୍ଠା ଏବଂ ତାଙ୍କ ସହଯୋଗୀ ? ପ୍ରତିଟି ଘଟଣାର ଡେମୋ ଦେଖାଇ କ୍ରାଇମବ୍ରାଞ୍ଚ ଅାଗରେ ସତ ଉଗାରିଥିଲେ ଶର୍ମିଷ୍ଠା । ମାନସଙ୍କ ଶବ ପୋତିବା ପାଇଁ ୧୦ କେଜି ଲୁଣ କିଣିଥିଲେ ଅଭିଯୁକ୍ତ ।

ଝୁନାଙ୍କ ସହ ମିଶି ଶର୍ମିଷ୍ଠା ଝୋଟ ଅଖା, ସୁତୁଲି, ଗ୍ଲୋଭସ କିଣିଥିଲେ ଭୁବନେଶ୍ୱର ୧ ନମ୍ବର ମାର୍କେଟରୁ । ରାସ୍ତାରେ ଯିବା ବେଳେ ରାଜସୁନାଖଳାରୁ ୧୦ କେଜି ଲୁଣ କିଣିଥିଲେ । ରାଜସୁନାଖଳାରୁ କୋଦାଳ, ଗଇଁତି କିଣିଥିଲେ ଭାଗ୍ୟଧର, ରଞ୍ଜନ ନାୟକ । ଆଉ ସବୁ ଜିନିଷ ଧରି ମାନସଙ୍କ ଶବକୁ ବଧିପାଟଣାରେ ପୋତିଥିଲେ ବୋଲି ଶର୍ମିଷ୍ଠା କ୍ରାଇମବ୍ରାଞ୍ଚକୁ ସୂଚନା ଦେଇଛନ୍ତି । ତେବେ ଅପରାଧଠୁ ଷଡ଼ଯନ୍ତ୍ର ଯାଏଁ ପ୍ରତିଟି ଦୃଶ୍ୟପଟ୍ଟକୁ ବଖାଣିଲେ ଶର୍ମିଷ୍ଠା । ହେଲେ କାହିଁକି ଘଟିଲା ଅପରାଧ, ରିମାଣ୍ଡର ଚତୁର୍ଥ ଦିନ ପରେ ବି ସାମ୍ନାକୁ ଆସିପାରିଲାନି ମେମୋରୀ ଚିପଅର ସତ । ତେବେ ହତ୍ୟା ପଛରେ କେବଳ ମେମୋରି ଚିପ୍ ନୁହେଁ, ବରଂ ଆହୁରି କିଛି ରହସ୍ୟ ଥିବା ଅନୁମାନ ଲଗାଇଛି କ୍ରାଇମବ୍ରାଞ୍ଚ । ସେହି ଚିପକୁ ଧରି ଶର୍ମିଷ୍ଠାଙ୍କୁ ମାନସ ବ୍ଲାକମେଲ କରୁଥିଲେ କି ନାହିଁ ସେନେଇ ବି ତଦନ୍ତ ଜାରି ରହିଛି ।