• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦିନେ ଚେହେରା ଦେଖାଇ ଚର୍ଚ୍ଚାକୁ ଆସିଥିଲେ ମାଡ଼ାମ ଶର୍ମିଷ୍ଠା । ଆଉ ଏବେ ଲାଜ ସରମରେ ଜଡ଼ସଡ଼ । କ୍ୟାମେରା ଆଗରେ ମୁହଁ ଦେଖାଉବାକୁ ଆଉ ସାହସ ନାହିଁ । କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ପରଠୁ କେବେ ରାଜ୍ୟ ଭିତରେ ପୋଲିସ ସହ ଖେଳୁଥିଲେ ଲୁଚକାଳି ଖେଳ, ତ ଆଉ କେବେ ରାଜ୍ୟ ବାହାରକୁ ଖସିଯାଇ ଚକମା ଦେଉଥିଲେ ।

ହେଲେ ଏବେ କିନ୍ତୁ ଖେଳ ଖତମ୍ । ସମ୍ପୂର୍ଣ୍ଣ ନ୍ୟୁଜ୍ ୱେବ୍ ଚାନେଲ୍‌ର ମାଲିକାଣି ଶର୍ମିଷ୍ଠା ରାଉତ କ୍ରାଇମବ୍ରାଞ୍ଚ କବ୍ଜାରେ । ପ୍ରାୟ ଦେଢ଼ମାସର ଛାନ୍‌ଭିନ୍ ଭିତରେ ସହଯୋଗୀ ଝୁନା ଭୋଇ ଏବଂ ଲେଡି ଜର୍ଣ୍ଣାଲିଷ୍ଟ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରାଯାଇଛି । କୋଲକାତାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ବସ୍‌ରୁ ଭଦ୍ରକର ନଳଙ୍ଗାଠାରେ ଉଭୟଙ୍କୁ ଧରିଛି ଚାନ୍ଦବାଲି ପୋଲିସ୍ ଓ କ୍ରାଇମବ୍ରାଞ୍ଚ ଟିମ୍ ।

ଭଦ୍ରକ ପୋଲିସ ପକ୍ଷରୁ ମିଳିଥିବା ସୂଚନା କହୁଛି ଯେ, ମାର୍ଚ୍ଚ ୯ରେ ଭୁବନେଶ୍ୱର ଛାଡ଼ିଥିଲେ ଶର୍ମିଷ୍ଠା ଓ ଝୁନା । ତାପରଠୁ ଆଉ କୌଣସି ସୁରାଗ୍ ପାଇନଥିଲା ଚାନ୍ଦବାଲି ପୋଲିସ । (ILLU) କୁହାଯାଉଛି, ଏମାନେ ଭୁବନେଶ୍ୱରରୁ ପ୍ରଥମେ କୋଲକାତା ପଳାଇଥିଲେ, ସେଠାରୁ ଯାଇଥିଲେ ଗୌହାଟୀ । କିଛିଦିନ ପରେ ପୁଣି ଫେରିଥିଲେ କୋଲକାତା ।

ଗିରଫଦାରୀ ଭୟରେ ଉଭୟେ ପ୍ରାୟତଃ କୋଲକାତା ଓ ଗୌହାଟୀର ରେଳଷ୍ଟେସନ୍ ଗୁଡ଼ିକରେ ଆଶ୍ରୟ ନେଉଥିଲେ । ଏପଟେ କ୍ରାଇମ୍ ସିଣ୍ଡିକେଟ୍‌ର ଜଣଙ୍କ ପରେ ଜଣେ ସଦସ୍ୟ ଧରାପଡ଼ୁଥିଲେ । ସେପଟେ ସରି ସରି ଆସୁଥିଲା ଶର୍ମିଷ୍ଠାଙ୍କ ପାଖରେ ଥିବା ଟଙ୍କା । ଏଭଳି ସ୍ଥିତିରେ କୋଲକାତାରୁ ଏକ ବସ୍‌ରେ ଫେରୁଥିବା ବେଳେ ଧରା ପଡ଼ିଥିଲେ ।

ଗିରଫ ପରେ ପ୍ରଥମେ ତିହିଡ଼ି ଥାନାରେ ପଚରାଉଚରା କରାଯାଇଥିଲା, ସେଠାରୁ ଉଭୟଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରାଯାଇ ରିମାଣ୍ଡ ଆବେଦନ କରାଯାଇଥିଲା । ଶର୍ମିଷ୍ଠା ଧରାପଡ଼ିବା ପରେ ମାନସଙ୍କ ମା ଅଭିଯୁକ୍ତମାନଙ୍କୁ ଫାଶି ଦେବାକୁ ଦାବି କରିଛନ୍ତି । ତାସହ କହିଛନ୍ତି, ପୋଲିସ୍‌କୁ ଜଣାଇବା ସତ୍ତ୍ୱେ ଦିନ ଗଡ଼ାଇ ଚାଲିଥିବାରୁ ପୁଅର ମୃତ୍ୟୁ ଘଟିଲା ।

ଶର୍ମିଷ୍ଠା ରାଉତ ଏବଂ ସହଯୋଗୀ ଝୁନା ଭୋଇଙ୍କୁ ମିଶାଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ପହଞ୍ଚିଲା ୮ରେ । ଗତ ୨୧ ତାରିଖରେ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଂଜନ ସେଠୀ, ରାଜ୍ କମ୍ୟୁନିକେସନ୍‌ର ମାଲିକ ରଞ୍ଜନ ନାୟକ ଓରଫ୍ ରାଜ୍ ଓ ୨୩ ତାରିଖରେ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର ରାଉତଙ୍କୁ ଗିରଫ କରାଯାଇଥିଲା ।

ତାପୂର୍ବରୁ ଅନ୍ୟ ୩ ଜଣଙ୍କୁ ବି ଗିରଫ କରି ସୁନାଖଳା ନିକଟରେ ପୋତାଯାଇଥିବା ମାନସଙ୍କ ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ । ଏଣେ ଝୁନାଙ୍କ ସ୍ୱାମୀ ଅରୁଣ ଭୋଇ କହିଛନ୍ତି ଯେ, ପତ୍ନୀ ଯଦି ଦୋଷୀ ହେବ, ଯାହା ଦଣ୍ଡ ଦେବା କଥା ଦିଆଯାଉ । ସେପଟେ ଶର୍ମିଷ୍ଠାଙ୍କ ମା ବାସନ୍ତୀ ରାଉତ ପୁଅ ପରମେଶ୍ୱରଙ୍କୁ ଛାଡ଼ିଦିଆଯାଉ ବୋଲି କହିଛନ୍ତି ।

ଅପରାଧରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ତ ଗିରଫ କଲା ପୋଲିସ । ହେଲେ ଅପରାଧର ଉଦ୍ଦେଶ୍ୟ ଏଯାଏଁ ସାମ୍ନାକୁ ଆସିନି । ହତ୍ୟା ପଛରେ ଯେଉଁ ମେମୋରି ଚିପ୍ କଥା କୁହାଯାଉଥିଲା, ତାପଛର ରହସ୍ୟ କଣ ? ମେମୋରୀ ଚିପ୍‌ରେ ଏମିତି କଣ ଥିଲା ଯେ, ମାନସଙ୍କୁ ଅପହରଣ ସହ ହତ୍ୟା ପର୍ଯ୍ୟନ୍ତ କଥା ଗଲା? କେଉଁଠି ଅଛି ସେହି ମେମୋରି ଚିପ୍? ଦୟାଲ୍ ଆଶ୍ରମରୁ କେୟାରଟେକର ପାଇଥିବା ମାନସଙ୍କ ମୃତ୍ୟୁ ପୂର୍ବର ଚିଠି ଏବେ କେଉଁଠି ? କାହା ଛତ୍ରଛାୟାରେ ରହି ଶର୍ମିଷ୍ଠା ଚଳାଇଥିଲେ ନିଜର ସାମ୍ରାଜ୍ୟ? ଏଭଳି ଏକାଧିକ ପ୍ରଶ୍ନର ଉତ୍ତର ଅପେକ୍ଷାରେ ସମସ୍ତେ ।