• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖୁସିର ମାହୋଲ ଭିତରେ ହଠାତ୍‌ ଶୁଭିଲା କାନ୍ଦଣାର ସ୍ୱର । ଝିଅ ଜନ୍ମର ଖୁସିରେ ପରିବାର ଲୋକ ଝୁମୁଥିବା ବେଳେ ବାପା, ଅଜା ଓ କାକା ଆତ୍ମହତ୍ୟା କରିଛନ୍ତି । ମହାରାଷ୍ଟ୍ରର ନାସିକରୁ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଗୋଟିଏ ପରିବାରର ତିନି ଜଣ ଜୀବନ ହାରି ଦେଇଛନ୍ତି । ବାପା ଏବଂ ଦୁଇ ପୁଅ ବିଭିନ୍ନ କୋଠରୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ପରଠାରୁ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ।

ସତପୁର ଅଞ୍ଚଳର ରାଧାକୃଷ୍ଣ ନାଗର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଫଳ ବ୍ୟବସାୟୀ ଦୀପକ ଶିରୋଡ (ବାପା, ବୟସ ୫୫ବର୍ଷ), ପ୍ରସାଦ ଶିରୋଡ (ବଡ ପୁଅ ବୟସ ୨୫ ବର୍ଷ), ରାକେଶ ଶିରୋଡ (୨୩ ବର୍ଷ) ରବିବାର ଦିନ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଅଶୋକନଗରର ଶେଷ ବସଷ୍ଟପରେ ଶିରୋଡ ପରିବାରର ଫଳ ଦୋକାନ ଥିଲା ।

ଅଧିକ ପଢ଼ନ୍ତୁ: ସିଲ୍‌ଭର ସିଟିରେ ସୈତାନୀ କାଣ୍ଡ ! ୨ ବର୍ଷୀୟ ପୁଅର ତଣ୍ଟି କାଟି ସାବତ ମାର ଆତ୍ମହତ୍ୟା

ଶିରୋଡ ପରିବାର ମୁଳତଃ ଦେବଲା ଅଞ୍ଚଳର ଉମରାନର ବାସିନ୍ଦା । ଗତ ୧୦ ବର୍ଷ ହେଲା ବ୍ୟବସାୟ ପାଇଁ ସମସ୍ତେ ନାସିକରେ ରହୁଥିଲେ । ବାପା ଦୀପକ ଶିରୋଡ ଅଶୋକ ନଗରର ଶେଷ ବସଷ୍ଟାଣ୍ଡରେ ଫଳ ବିକ୍ରି କରୁଥିବା ବେଳେ ପୁଅ ପ୍ରସାଦ ଏବଂ ରାକେଶ ଶିବାଜୀ ନଗର ଅଞ୍ଚଳରେ ଚାରି ଚକିଆ ଯାନରେ ବୁଲି ବୁଲି ଫଳ ବିକ୍ରି କରୁଥିଲେ ।

କଠିନ ପରିଶ୍ରମ କରୁଥିଲେ ସୁଦ୍ଧା ଶିରୋଡ ପରିବାର ଋଣଗ୍ରସ୍ତ ହୋଇପଡ଼ିଥିଲା । ସେଥିପାଇଁ ବାପ ଓ ଦୁଇ ପୁଅ ବିଷାଦଗ୍ରସ୍ତ ଥିଲେ । ଦୀପକ ଶିରୋଡଙ୍କ ପରିବାରର ଲୋକ ୨୯ ଜାନୁଆରୀ ମଧ୍ୟାହ୍ନ ୧୨ଟା ସମୟରେ କିଛି କାମ ପାଇଁ ବାହାରକୁ ଚାଲି ଯାଇଥିଲା । ଘରେ କେହି ନଥିବା ବେଳେ ବାପପୁଅ ତିନି ଜଣ ଏପରି ଚରମ ନିଷ୍ପତ୍ତି ନେଇଥିଲେ । ପରିବାର ଲୋକ ଘରକୁ ଫେରିବା ପରେ କବାଟ ବାଡ଼େଇଥିଲେ । ହେଲେ କେହି କବାଟ ନଖୋଲିବା ପରେ ପାଖପଡୋଶୀଙ୍କୁ ଡାକିଥିଲେ । ପଡ଼ୋଶୀ କବାଟ ଭାଙ୍ଗି ଘର ଭିତରକୁ ପଶିବା ପରେ ସମସ୍ତଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଘରର ତିନି ଜଣ ଫାଶୀ ଲଗାଇ ଝୁଲି ପଡ଼ିଥିଲେ ।

ତେବେ ଏହି ଦିନ ହିଁ ବଡ଼ ପୁଅ ପ୍ରସାଦଙ୍କ ସ୍ତ୍ରୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ସକାଳେ ତାଙ୍କର ଡେଲିଭରି ହୋଇଥିଲା । ହେଲେ ଖୁସିର ଏପରି ମୁହୂର୍ତ୍ତରେ ଏବେ ଶିରୋଡ ପରିବାରରେ କାନ୍ଦବୋବାଳି ପଡ଼ିଛି । ତିନି ମୁଖିଆକୁ ହରାଇ ସମସ୍ତେ ରାହା ଧରି କାନ୍ଦୁଛନ୍ତି ।