• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ମୋର କିଡନୀ ଖରାପ୍‌ ସାର୍ । ପାଖରେ ଟଙ୍କା ସରି ସରି ଆସିଲା । ଚିକିତ୍ସା ପାଇଁ ଅଧିକ ଟଙ୍କା ଆବଶ୍ୟକ ପଡ଼ୁଥିଲା । ଟଙ୍କା ଯୋଗାଡ଼ ନହେବା ପରେ ବାଧ୍ୟ ହୋଇ ଚୋରି କରିଛି ।’ ଲୁଟ୍‌ କରି ଧରାପଡ଼ିବା ପରେ ନିଜ ଦୁଃଖ ‍ବଖାଣିଲା ଲୁଟେରା । ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରେ ବାଇକରେ ଯାଉଥିବା ଦମ୍ପତିଙ୍କ ଠାରୁ ହୋଇଥିବା ଡକାୟତି ଘଟଣାରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ପଚରାଉଚରା ବେଳେ ଜଣେ ଅଭିଯୁକ୍ତ ତାର କିଡନୀ ଖରାପ ବୋଲି କହିଛି । ଚିକିତ୍ସା ପାଇଁ ପାଖରେ ଟଙ୍କା ନଥିବାରୁ ଡକାୟତି କରିଥିବା ଜଣାପଡ଼ିଛି । ଏହି ଡକାୟତିରେ ଅଭିଯୁକ୍ତର ଦୁଇ ବନ୍ଧୁଙ୍କର ମଧ୍ୟ ସମ୍ପୃକ୍ତି ରହିଛି ।

ତିନି ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୧୪ ହଜାର ଟଙ୍କା, ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ବାଇକ୍ ଜବତ କରିଛି । ମାମଲାଟି ପରୁସରାମପୁର ପୋଲିସ ଷ୍ଟେସନ ଅଞ୍ଚଳର ବୋଲି ଜଣାପଡ଼ିଛି । ଜୁନ୍ ୧୮ରେ ଜୟ ପ୍ରକାଶ ବର୍ମା ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ସହ ବାଇକ୍ ଯୋଗେ କୌଣସି ସ୍ଥାନକୁ ଯାଉଥିଲେ । ତେବେ ବାଟରେ ତିନିଜଣ ଦୁର୍ବୃତ୍ତ ବାଇକ ଆରୋହୀ ଜୟ ପ୍ରକାଶଙ୍କ ବାଇକକୁ ଅଟକାଇଥିଲେ ଓ ଦମ୍ପତିଙ୍କ ଠାରୁ ଲୁଟ୍ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ତେବେ ପେଶାଦାର ଅପରାଧୀ ହୋଇନଥିବାରୁ ଚୋରି କରିବା ପରେ ଭୟଭୀତ ହୋଇ ପଡ଼ିଥିବାରୁ ଏକ ଖମ୍ବରେ ତାଙ୍କ ଗାଡ଼ି ବାଡ଼େଇ ହୋଇଥିଲା । ଫଳରେ ଡିକି ଭିତରେ ଲୁଚେଇ ରଖିଥିବା ନମ୍ବର ପ୍ଲେଟ୍ ଗଳି ପଡ଼ିଥିଲା । ଜୟ ପ୍ରକାଶ ଏନେଇ ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ପୋଲିସ ତଦନ୍ତ ପରେ ଜଣାପଡିଲା ବାଇକଟି ଜଣେ ହୋମଗାର୍ଡଙ୍କର ।

ଏନେଇ ହୋମଗାର୍ଡକୁ ପଚରାଉଚରା କରାଯାଇଥିଲା, ଆଉ ବାଇକ୍‌ଟି ପୁଅ ଚଳାଉଛି ବୋଲି ସେ କହିଥିଲେ । ତେବେ ପୋଲିସ ହୋମଗାର୍ଡଙ୍କ ପୁଅକୁ ପଚରାଉଚରା କରିବା ପରେ ସେ ନିଜ ଅପରାଧ ସ୍ୱୀକାର କରିଥିଲା । ଏହାସହ ଡକାୟତିରେ ତାଙ୍କ ସହ ଥିବା ଦୁଇ ବନ୍ଧୁଙ୍କ ନାମ ମଧ୍ୟ କହିଥିଲା । ଏବେ ପୋଲିସ୍‌ ହୋମଗାର୍ଡଙ୍କ ପୁଅ ସୌରଭ ଏବଂ ତାଙ୍କର ଦୁଇ ବନ୍ଧୁ ହରିନାରାୟଣ ସିଂ ଏବଂ ପ୍ରିନ୍ସ ସିଂଙ୍କୁ ଗିରଫ କରିଛି ।

ପୋଲିସର ପଚରାଉଚରା ବେଳେ ସୌରଭ ତାଙ୍କ କିଡନୀ ଖରାପ ଥିବା କହିଥିଲେ । ଚିକିତ୍ସା ପାଇଁ ଟଙ୍କା ଆବଶ୍ୟକ ପଡ଼ିବାରୁ ସେ ବନ୍ଧୁଙ୍କୁ କହିଥିଲେ । ତା’ପରେ ତିନିଜଣ ଟଙ୍କା ଲୁଟିବାକୁ ଯୋଜନା କରିଥିଲେ । ତେବେ ଏସପି ଦୀପେନ୍ଦ୍ର ଚୌଧୁରୀ ଘଟଣାର ସତ୍ୟତା ସମ୍ପର୍କରେ ଜାଣିବା ପାଇଁ ତିନିଜଣଙ୍କୁ ପଚରାଉଚରା କରୁଛନ୍ତି ।