• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପତ୍ନୀ ହତ୍ୟା ମାମଲାରେ ଉତ୍ତରପ୍ରଦେଶର ଲାଖୀମପୁର ଖେରୀ ପୋଲିସ ଜଣେ ଡାକ୍ତରଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଡାକ୍ତର ଆଶୁତୋଷ ଆୱସ୍ତି ନିଜ ଡାକ୍ତର ପତ୍ନୀ ବନ୍ଦନାଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ପରେ ମୃତଦେହକୁ ଏକ ବାକ୍ସରେ ରଖି ଡାକ୍ତରଖାନାକୁ ନେଇଥିଲେ । ସେଠାରୁ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଗଡ଼ମୁକ୍ତେଶ୍ୱର ନେଇ ସେଠାରେ ଶବସତ୍କାର କରିଥିଲେ । ଏହା ପରେ ପତ୍ନୀ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ କଲେ ଡାକ୍ତର ।

ଡକ୍ଟର ଆଶୁତୋଷ ଆୱସ୍ତି ଫେବୃଆରୀ ୨୦୧୪ରେ ବିବାହ କରିଥିଲେ । ଗୋଣ୍ଡା ଜିଲ୍ଲାର ବାସିନ୍ଦା ବନ୍ଦାନା ଶୁକ୍ଲାଙ୍କ ସହ ତାଙ୍କର ବିବାହ ହୋଇଥିଲା । ଉଭୟ ଆଶୁତୋଷ ଏବଂ ବନ୍ଦନା ବିଏମ୍ଏସ୍ ଡାକ୍ତର ଥିଲେ । ସେମାନେ ଲଖୀମପୁର ସୀତାପୁର ରାସ୍ତାରେ ଗୌରୀ ନାମକ ଏକ ଡାକ୍ତରଖାନା ଖୋଲିଥିଲେ । ଉଭୟ ସ୍ୱାମୀ-ସ୍ତ୍ରୀ ଏଠାରେ ଅଭ୍ୟାସ କରୁଥିଲେ । ମାର୍ଚ୍ଚ ୨୦୧୮ ରେ ଡକ୍ଟର ଆଶୁତୋଷ ଆୱସ୍ତି ଛାତରୁ ପଡ଼ିଯାଇଥିଲେ । ସେତେବେଳେ ତାଙ୍କର ପିଠିର ଏକ ଶିର ଦବିଯାଇଥିଲା । ଯାହାଫଳରେ ଏହାପରଠୁ ତାଙ୍କ ଶରୀରରେ ଅନେକ ସମସ୍ୟା ଦେଖାଦେଇଥିଲା । ଧିରେ ଧିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ଝଗଡ଼ା ହେବା ମଧ୍ୟ ଆରମ୍ଭ ହେଲା ।

୨୦୨୦ରେ ଡାକ୍ଟର ବନ୍ଦନା ଟେଷ୍ଟ୍ ଟ୍ୟୁବ୍ ଜରିଆରେ ଦୁଇ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଥିଲେ । ଏହା ସତ୍ତ୍ୱେ ବି ଡାକ୍ଟର ଆଶୁତୋଷ ଏବଂ ଡକ୍ଟର ବନ୍ଦନାଙ୍କ ମଧ୍ୟରେ ବିବାଦ ଥମିଲା ନାହିଁ । ଦିନକୁ ଦିନ ଉଭୟଙ୍କ ମଧ୍ୟରେ ମାରିପିଟ୍ ବଢ଼ିବାରେ ଲାଗିଲା । ୨୬ ନଭେମ୍ବର ୨୦୨୨, ଅପରାହ୍ନ ପ୍ରାୟ ୫ଟା । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହେଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଆଶୁତୋଶ କୌଣସି ଏକ ଭାରି ଜିନିଷରେ ବନ୍ଦନାଙ୍କ ମୁଣ୍ଡରେ ଆଘାତ ଦେଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ପତ୍ନୀଙ୍କ ମୃତ୍ୟୁ ବିଷୟରେ ଆଶୁତୋଷ ପ୍ରଥମେ ନିଜ ପିତା ଗୌରୀ ଶଙ୍କର ଆୱାସ୍ତିଙ୍କୁ ଜଣାଇଥିଲେ । ବାପ-ପୁଅ ଉଭୟ ମିଶି ମୃତଦେହକୁ ଲୁଚାଇବେ ବୋଲି ଯୋଜନା କରିଥିଲେ । ବନ୍ଦନାଙ୍କ ମୃତଦେହକୁ ଏକ ବଡ ବାକ୍ସରେ ରଖି ପିକଅପ୍ ଭ୍ୟାନ୍‌ରେ ସହର ବାହାରେ ଥିବା ନିଜ ଡାକ୍ତରଖାନାକୁ ନେଇଥିଲେ । ଏହା ପରେ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ୨୮୪ କିଲୋମିଟର ଦୂରରେ ଥିବା ଗଡ଼ମୁକ୍ତେଶ୍ୱରକୁ ନେଇଥିଲେ । ଯେଉଁଠାରେ ସେ ୧୩୦୦ ଟଙ୍କାର ଏକ ଟିକଟ କାଟିଥିଲେ । ଆଉ ସେହି ନଦୀ କୂଳରେ ଶବ ସତ୍କାର କରିଥିଲେ । ଏହାପରେ ବାପ ପୁଅ ସେଠାରୁ ଫେରି ଥାନାରେ ବନ୍ଦନା ନିଖୋଜ ହୋଇଯାଇଥିବା ନେଇ ରିପୋର୍ଟ କଲେ । 

ନିଖୋଜ ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ମୃତ ବନ୍ଦନାଙ୍କ ଫୋନ ଯାଞ୍ଚ କରିବା ସହ ଅଞ୍ଚଳର ସିସିଟିଭି ମଧ୍ୟ ଯାଞ୍ଚ କରିଥିଲା ପୋଲିସ । ଏହା ବ୍ୟତୀତ ପାଖ ପଡୋଶୀଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଥିଲା । ଏଥିରୁ ଜଣାପଡ଼ିଥିଲା ଯେ, ୨୬ ନଭେମ୍ବର ରାତିରେ ଏକ ପିକଅପ୍ ଭ୍ୟାନ୍ ଆଶୁତୋଷ ଆୱସ୍ତିଙ୍କ ଘରକୁ ଆସିଥିଲା ।

ଏଭଳି ତଦନ୍ତ କରୁ କରୁ ପୋଲିସ ଆଶୁତୋଷଙ୍କ ଡାକ୍ତରଖାନାରେ ପହଞ୍ଚିଥିଲା । ସେଠାରେ ପୋଲିସ ଜାଣିବାକୁ ପାଇଲା ଯେ, ୨୭ ନଭେମ୍ବରରେ ଏକ ଆମ୍ବୁଲାନ୍ସ ଆସିଥିଲା । ସେଥିରେ ହସ୍ପିଟାଲରୁ ଏକ ମୃତଦେହ କୌଣସି ଏକ ଦୂର ସ୍ଥାନକୁ ନିଆଯାଇଥିଲା । ଯେତେବେଳେ ଆମ୍ବୁଲାନ୍ସ ଡ୍ରାଇଭରକୁ ଏନେଇ ପୋଲିସ ପଚରାଉଚରା କଲା, ସେତେବେଳେ ଆଶୁତୋଷଙ୍କ ଉପରେ ପୋଲିସର ସନ୍ଦେହ ବଢ଼ିଥିଲା । ଏହାପରେ ତାଙ୍କୁ ଗିରଫ ମଧ୍ୟ କରିଥିଲା । ଆଶୁତୋଷଙ୍କୁ ପୋଲିସ ପଚରାଉଚରା କରିବା ପରେ ସବୁ ସତ ପଦାକୁ ଆସିଥିଲା । ଏହାପରେ ଆଶୁତୋଷଙ୍କ ବାପାଙ୍କୁ ମଧ୍ୟ ପୋଲିସ ଗିରଫ କଲା । ଏହି ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।