• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିବାହକୁ ୩ ବର୍ଷ ହୋଇଥିଲା । ଘରେ ଖେଳୁଥିଲା ୨ ବର୍ଷର କଅଁଳା ଝିଅ । ହେଲେ ପତ୍ନୀର ଚରିତ୍ର ଉପରେ ସନ୍ଦେହ କରି ସ୍ୱାମୀ ଘଟାଇଛି ଜଘନ୍ୟ କାଣ୍ଡ । ପତ୍ନୀକୁ ହତ୍ୟା କରିବାକୁ ବିଷଧର ସାପକୁ ଅସ୍ତ୍ର କରିଛି ସ୍ୱାମୀ । ସାପୁଆ ଠାରୁ ସାପ ଆଣି ପତ୍ନୀ ଓ ଝିଅ ଶୋଇଥିବା ବେଳେ ଘରେ ଛାଡି ଦେଇଥିଲା । ଫିଲ୍ମର କାହାଣୀ ଭଳି ଲାଗୁଥିବା ଏଭଳି ଘଟଣା ଘଟିଛି ଗଞ୍ଜାମ କବିସୂର୍ଯ୍ୟନଗରରେ ।

ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ହତ୍ୟା । ଘରେ ସାପ ଛାଡି ପତ୍ନୀ-ଝିଅକୁ ମାରିଦେଲା ସ୍ୱାମୀ । ସୈତାନ ସ୍ୱାମୀ ହେଉଛି କେ. ଗଣେଶ ପାତ୍ର । ପତ୍ନୀର ଚରିତ୍ର ଉପରେ ସନ୍ଦେହ କରି ଏମିତି କାଣ୍ଡ ଘଟାଇଛି, ଯାହାକୁ କେହି କେବେ କଳ୍ପନା ବି କରିନଥିବେ । ସନ୍ଦେହ ଏମିତି ଘାରିଛି ଯେ, ଏହି ପାପୀ ୨ ବର୍ଷର କଅଁଳା ଝିଅର ମୁହଁକୁ ବି ଚାହିଁନି । ମାଆ-ଝିଅ ଶୋଇଥିବା ବେଳେ ଘରେ ଛାଡିଦେଇଥିଲା ବିଷଧର କୋଳଥିଆ ନାଗ । ଆଉ ସେହି ସାପ କାମୁଡାରେ ପ୍ରାଣ ହରାଇଛନ୍ତି ଉଭୟ । କବିସୂର୍ଯ୍ୟନଗର ପୋଲିସ ଘଟଣାର ତଦନ୍ତ କରିବା ସହ ମାସକ ମଧ୍ୟରେ ପର୍ଦ୍ଦାଫାସ କରିଛି ।

ଗତ ଅକ୍ଟୋବର ୭ତାରିଖ । ଗଞ୍ଜାମ କବିସୂର୍ଯ୍ୟନଗରର ଅଢ଼େଇବର ଗାଁ । ରାତି ପାହିଲା ବେଳକୁ ଘରେ ପଡିଥିଲା ମାଆ ଓ କୁନି ଝିଅର ମୃତଦେହ । ଶରୀରରେ ସାପ କାମୁଡା ଚିହ୍ନ ରହିଥିଲା । ଗାଁରେ ହୁରି ପଡିଲା ଉଭୟଙ୍କୁ ସାପ ମାରି ଦେଇଛି । ହେଲେ ସନ୍ଦେହ କରିଥିଲେ ପତ୍ନୀ ବାସନ୍ତୀଙ୍କ ବାପା । ଥାନାରେ ଜ୍ୱାଇଁ ପୁଅ ନାଁରେ ହତ୍ୟା ଅଭିଯୋଗ କରିଥିଲେ । ତଦନ୍ତ ବେଳେ ପୋଲିସ ଆଗରେ ସତ ମାନି ଯାଇଥିଲା ଗଣେଶ ।

୩ ବର୍ଷ ତଳେ ବାସନ୍ତୀଙ୍କ ସହ ଗଣେଶଙ୍କ ବିବାହ ହୋଇଥିଲା । ହେଲେ ବାସନ୍ତୀଙ୍କୁ ସନ୍ଦେହ କରିଆସୁଥିଲେ ଗଣେଶ । ଘରେ ପ୍ରତିଦିନ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ବାସନ୍ତୀଙ୍କୁ ଗଣେଶ ମାରଧର ବି କରୁଥିଲେ । ଏପରିକି ଉଭୟ ପକ୍ଷ ଥାନାରେ ବି ଅଭିଯୋଗ କରିଥିଲେ । ତେବେ ଆପୋଷ ବୁଝାମଣା ପରେ ଉଭୟ ଏକାଠି ରହୁଥିଲେ । ଫିଲ୍ମ ଷ୍ଟାଇଲରେ ଏଭଳି ହତ୍ୟାକାଣ୍ଡକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ଲାଗି ରହିଛି ।

  • Reported by:
  • Pitabasa Das