• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରେମ କାହାପାଇଁ ମଧୁଝରା ଗୀତି ତ କାହା ପାଇଁ ବିରହର ଗୀତି । ପ୍ରେମ ବିନା ଜୀବନ ମରୁଭୂମି ସଙ୍ଗେ ସମାନ । ପ୍ରେମରେ ବିଶ୍ୱାସ ହିଁ ବଞ୍ଚିବା ପାଇଁ ବାଟ ଦେଖାଏ । ଆଉ ପ୍ରେମରେ ଛଳନାପୂର୍ଣ୍ଣ ଅଭିନୟ ଖୁବ୍‌ ଯନ୍ତ୍ରଣାଦାୟକ । ଏପରି ଯନ୍ତ୍ରଣା ସହିବାର ଦକ୍ଷତା ସମସ୍ତଙ୍କ ପାଖରେ ନଥାଏ । ବେଳେବେଳେ ବିରହ ପ୍ରେମରେ ଜୀବନ ବି ଚାଲିଯାଏ । ପ୍ରୟାଗରାଜର କର୍ଣ୍ଣେଲଗଞ୍ଜରେ ଏପରି ଏକ ଦୁଃଖଦ ଘଟଣା ଘଟିଛି । ଭଡାଘରେ ରହୁଥିବା ଜଣେ ଯୁବକ ନିଜକୁ ନିଜେ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି । ପ୍ରେମ ପାଇଁ ସେ ଜୀବନ ହାରି ଦେଇଥିବା କୁହାଯାଉଛି । 

ୟୁପିର ଫତେହପୁର ଜିଲ୍ଲାର ବାସିନ୍ଦା ୨୩ ବର୍ଷୀୟ କୃଷ୍ଣା । ଜିମରେ ଥିବା ମେସିନ୍ ସଜାଡ଼ିବା କାମ କରୁଥିଲେ । କର୍ଣ୍ଣେଲଗଞ୍ଜରେ କାଟାର ମନମୋହନ ପାର୍କ ନିକଟରେ ସେ ଏକ ଭଡା ଘରେ ରହୁଥିଲେ । କିଛି ଦିନ ହେବ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ  ଗଢ଼ି ଉଠିଥିଲା । ହେଲେ କୌଣସି କାରଣବଶତଃ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା । ଗର୍ଲଫ୍ରେଣ୍ଡ ତାଙ୍କ ଠାରୁ ଦୂରେଇ ଯାଇଥିଲେ । ଆଉ ଏହି ବିଚ୍ଛେଦକୁ ସହ୍ୟ କରିପାରୁ ନଥିଲେ କୃଷ୍ଣା । ସମସ୍ତଙ୍କ ସହ ମିଳାମିଶା ବନ୍ଦ କରିଦେବା ସହ ଘରେ ବସି ରହୁଥିଲେ । ଶେଷରେ ଆଜି ନିଜେ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ।

ତେବେ ଗୁଳି ଚଳାଇବାର ଶବ୍ଦ ଶୁଣାଗଲା ପରେ ଆଖପାଖର ଲୋକମାନେ ଯୁବକଙ୍କ କୋଠରୀ ଆଡକୁ ଦଉଡ଼ି ଆସିଥିଲେ । ହେଲେ କୋଠରୀର ଭିତରୁ ପଟୁ ତାଲା ପଡିଥିଲା । ଝରକା ପଟୁ ଦେଖିବା ପରେ ସମସ୍ତଙ୍କ ହୋସ୍‌ ଉଡ଼ି ଯାଇଥିଲା । ବେଡ୍‌ ଉପରେ ଯୁବକ ଜଣକ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏନେଇ ସଙ୍ଗେ ସଙ୍ଗେ ଘଟଣା ପୋଲିସକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । ଏବେ ମାମଲାର ତଦନ୍ତ ଆରମ୍ଭ କରିଛି ପୋଲିସ୍‌ ।

ପୋଲିସ୍‌ ସୂଚନା ଅନୁସାରେ, ମୃତ ଯୁବକଙ୍କ କୋଠରୀରୁ ଏକ ସୁଇସାଇଡ୍‌ ନୋଟ ମଧ୍ୟ ଉଦ୍ଧାର କରାଯାଇଛି । ସୁଇସାଇଡ୍‌ ନୋଟରେ ମୃତକ ନିଜ ଗର୍ଲଫ୍ରେଣ୍ଡଙ୍କ ସହ ମନୋମାଳିନ୍ୟ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ପ୍ରେମିକା ଚାଲିଯିବାର ଦୁଃଖକୁ ସହ୍ୟ କରିନପାରି ଶେଷରେ ସେ ଏହି ଭୟାନକ ପଦକ୍ଷେପ ନେଇଛନ୍ତି । ଘଟଣାସ୍ଥଳରୁ ମିଳିଥିବା ବନ୍ଧୁକକୁ ନେଇ ମଧ୍ୟ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସୂଚନା ଦିଆଯାଇଛି ।