• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପୋଲିସ ଉପରେ ସଙ୍ଗୀନ ଆଉ ସାଙ୍ଘାତିକ ଅଭିଯୋଗ ଆଣିଲେ ଜଣେ ଯୁବକ । କହୁଛନ୍ତି, ‘ମୁଁ ଶୌଚ ହେବା ପାଇଁ ଯାଇଥିଲି। ପୋଲିସ ବାଲା ମତେ ଜୋର ଜବରଦସ୍ତ ଟେକି ନେଲେ । ଆଉ ପ୍ରବଳ ମାଡ ମାରିଲେ । ଥାନାରେ ମତେ ଉଲଗ୍ନ କରି ପ୍ରବଳ ମାଡ ମାରିଲେ । ମୋର ବାନ୍ତି ହେଲା । ସେମାନେ ସମସ୍ତେ ଦେଖିଲେ କିନ୍ତୁ କେହି ଛାଡିଲେନି । ମୋ ନାଁରେ ତ କେହି FIR ଦେଇ ନାହାନ୍ତି ତେବେ ପୋଲିସ ମତେ ନେଲା କାହିଁକ’? ମେଡିକାଲ ବେଡ୍‌ରେ ଶୋଇ କେନ୍ଦ୍ରାପଡା ପୋଲିସକୁ ଏମିତି ପ୍ରଶ୍ନ କରିଛନ୍ତି ଜଣେ ଯୁବକ ।

ଅଭିଯୋଗ କରିଥିବା ଯୁବକ ଜଣକ ହେଉଛନ୍ତି ରବିନ୍ଦ୍ର ଦାସ । ଘର କେନ୍ଦ୍ରାପଡା ଆଳି ଥାନା କଳଦିଆ ଗାଁରେ । ସାମାନ୍ୟ ଘରୋଇ କଳହକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ସ୍ୱାମୀଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଥାନାକୁ ଫୋନ୍‌ କରିଥିଲେ ସ୍ତ୍ରୀ । ଆଉ ଫୋନ୍‌ ପାଇବା ପରେ ପାରିବାପଣିଆ ଦେଖାଇ ପହଞ୍ଚିଯାଇଥିଲା ପୋଲିସ । ଆଉ ବିନା କଥାବାର୍ତ୍ତାରେ ରବିନ୍ଦ୍ରଙ୍କୁ ଉଠାଇ ନେଇଥିଲା ଥାନାକୁ । ଆଉ ଥାନାରେ ପହଞ୍ଚିବା ପରେ ରବିନ୍ଦ୍ରଙ୍କ ଉପରେ ବସିଥିଲା ସାଙ୍ଘାତିକ ମାଡ ।

ରବିନ୍ଦ୍ରଙ୍କ ଅଭିଯୋଗ ଅନୁସାରେ, ସ୍ତ୍ରୀଙ୍କ ଫୋନ୍‌ ପାଇବା ପରେ ଘରେ ୫ ଜଣ ପୋଲିସ କର୍ମଚାରୀ ପହଞ୍ଚିଥିଲେ । ପରେ ସାଙ୍ଗେ ସାଙ୍ଗେ ତାଙ୍କୁ ପୋଲିସ ଗାଡିରେ ବସାଇ ଥାନାକୁ ନେବା ପରେ ଥାର୍ଡ ଡିଗ୍ରୀ ଦେଇଥିଲେ । ଏମିତିକି ବାରମ୍ବାର ରବିନ୍ଦ୍ରଙ୍କୁ ମାଡ ମରାଯାଇଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ରବିନ୍ଦ୍ରଙ୍କ ସ୍ତ୍ରୀ କହିଛନ୍ତି ଯେ, ସ୍ୱାମୀଙ୍କ ନାଁରେ ସେ କୌଣସି ଏଫଆଇଆର ଦେଇ ନାହାନ୍ତି । କେବଳ ଫୋନ୍‌ କରି ଥାନାକୁ ଜଣାଇଥିଲେ।

 

ସେପଟେ କିନ୍ତୁ ପୋଲିସ ପାଖରେ ଏକ ହାତଲେଖା ଅଭିଯୋଗ ପତ୍ର ରହିଥିବା ଜଣାପଡିଛି । କେବଳ ଏତିକି ନୁହେଁ ବରଂ ସ୍ୱାମୀଙ୍କୁ ପ୍ରବଳ ମାଡ଼ ମାରିବା ଅଭିଯୋଗରେ ମହିଳାଜଣକ ଜଣେ ଏସ୍‌ଆଇଙ୍କ ସମେତ ୫ ପୁଲିସ୍‌ କର୍ମଚାରୀଙ୍କ ନାଁରେ ଅଭିଯୋଗ କରିଥିବା ଜଣାଯାଇଛି । ଯାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି ।

ତେବେ ବିଳମ୍ବିତ ରାତିରେ ପରିବାର ଲୋକେ ରବୀନ୍ଦ୍ରଙ୍କୁ ଥାନାରୁ ଘରକୁ ଆଣିଥିଲେ । ମାତ୍ର ଗୁରୁତର ହୋଇପଡିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସ୍ୱାସ୍ଥ୍ୟାବସ୍ଥାକୁ ନଜରରେ ରଖି ରବିନ୍ଦ୍ରଙ୍କୁ ପଟ୍ଟାମୁଣ୍ଡାଇ ମେଡିକାଲକୁ ରେଫର କରାଯାଇଛି । ତେବେ କାହିଁକି ରବିନ୍ଦ୍ରଙ୍କୁ ଏମିତି ଅମାନବୀୟ ଭାବରେ ପୋଲିସ ପିଟିଲା, ସେନେଇ ତଦନ୍ତ ହେବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଆଳି ଆଇଆଇସି ଦିଲୀପ କୁମାର ସାହୁ ।

ରିପୋର୍ଟର- ଆଳିରୁ ବନମାଳୀ ସାହୁ