• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜିକାଲିକା ଦୁନିଆରେ ଜୋର ଯାର ମୁଲକ ତାର । ବେଇମାନୀ କରି ଲୋକେ କୋଟି କୋଟି ଟଙ୍କା ସମ୍ପତ୍ତିର ଅଧିକାରୀ ହୋଇଯାଉଛନ୍ତି, କିନ୍ତୁ ଗରିବ ମଳିମୁଣ୍ଡିଆ କଠିନ ପରିଶ୍ରମ କରି ଦାନା ମୁଠାଏ ପାଉନି । କାରଣ ଏ ସଭ୍ୟ ସମାଜର ମଣିଷ କେତେବେଳେ ତାକୁ ଇତର ଜନ୍ତୁ ପରି ବ୍ୟବହାର କରୁଛି ତ ପୁଣି କେତେବେଳେ ବିନା ଦୋଷରେ ସମସ୍ତଙ୍କ ସାମ୍ନାରେ ଅପମାନିତ କରୁଛି । ନିକଟରେ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦିବ୍ୟାଙ୍ଗ ଫଳ ଦୋକାନୀଙ୍କୁ ଜଣେ ଯୁବକ ଗୋଇଠା ମାରିବା ସହ ରାସ୍ତାରେ ଉଠାଇ କଚାଡ଼ି ଦେଉଛନ୍ତି । ମହାରାଷ୍ଟ୍ରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।

ଜଣେ ସଫେଇ କର୍ମଚାରୀ ରାସ୍ତାରେ ନିଜ ଠେଲା ଗାଡ଼ିରେ ଫଳ ବିକ୍ରି କରୁଥିବା ଦିବ୍ୟାଙ୍ଗ ଦୋକାନୀଙ୍କୁ ମାଗଣାରେ କଦଳୀ ମାଗିଥିଲେ । ହେଲେ ଦିବ୍ୟାଙ୍ଗ ଦୋକାନୀ ଜଣକ ମାଗଣା ଫଳ ଦେବା ପାଇଁ ତାଙ୍କୁ ମନା କରିଦେଇଥିଲେ । ସେ ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା ପରିଶ୍ରମ କରି ଟଙ୍କା ରୋଜଗାର କରୁଥିଲେ । ଆଉ ଫଳ ବି‌କିଲେ ତାଙ୍କ ପରିବାର ଚଳୁଥିଲା । ତେଣୁ ମାଗଣାରେ ଫଳ ଦେଇ ପାରିବେ ନାହିଁ ବୋଲି ସେ ରୋକଠୋକ ମନା କରି ଦେଇଥିଲେ ।

ଏତିକିରେ ସଫେଇ କର୍ମଚାରୀଙ୍କ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା । ସଫେଇ କର୍ମଚାରୀ ଜଣକ ରାଗି ଯାଇ ଫଳ ବିକାଳିଙ୍କୁ ମାଡ଼ ମାରିବା ସହିତ ତାଙ୍କ ଠେଲାକୁ ଓଲଟାଇ ଦେଇଥିଲେ । ଏଥିସହିତ ରାସ୍ତାରେ ଦିବ୍ୟାଙ୍ଗଙ୍କୁ ଉଠାଇ କଚାଡ଼ି ଦେଇଥିଲେ । ମାଡ଼ ମାରିବା ଯୋଗୁଁ ଦିବ୍ୟାଙ୍ଗ ଦୋକାନୀ ଜଣକ ଆହତ ହୋଇଥିବା ବି ଜଣାପଡ଼ିଛି । ଭିଡିଓ ଭାଇରାଲ ହେବା ପରେ ସଫେଇ କର୍ମଚାରୀଙ୍କୁ କଡ଼ା ଦଣ୍ଡ ଦେବାକୁ ସାଧାରଣରେ ଦାବି କରାଯାଇଛି ।

ଭିଡିଓ ଆଧାରରେ ବର୍ତ୍ତମାନ ଅଭିଯୁକ୍ତ ସଫେଇ କର୍ମଚାରୀଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ ହୋଇଛି । ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ପୋଲିସ୍‌ ।