/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692723748.jpg)
BJD MLA Sarat Nayak
ବହୁଚର୍ଚ୍ଚିତ ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ବନ୍ଧା ହେଲେ ନିଲମ୍ବିତ ବିଜେଡି ନେତା ଶରତ ନାୟକ । ନାବାଳିକାଙ୍କ ମୃତ୍ୟୁ ପରେ କିପରି ଏହାର ଫାଇଦା ନେଇଥିଲେ ଶରତ । ତାର ଗୋଟି ଗୋଟି କର ତଥ୍ୟ ରଖିଛି ପୋଲିସ୍ । ହେଲେ ଯେଉଁ ପୋଲିସ ଅଧିକାରୀଙ୍କ ସହାୟତାରେ ମାମଲା ରଫାଦଫା କରିବାକୁ ଅଡିଓରେ କହୁଥିଲେ ତାହା ଏବେ ବି ସନ୍ଦେହ ଘେରରେ ।
ମାମଲାକୁ ରଫାଦଫା କରିବାକୁ ଚେଷ୍ଟା କରୁଥିଲେ, ଆଜି ବନ୍ଧା ହେଲେ । ବହୁଚର୍ଚ୍ଚିତ ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଗିରଫ ହୋଇଛନ୍ତି ନିଲମ୍ବିତ ବିଜେଡି ନେତା ଶରତ ନାୟକ । ନାବାଳିକାଙ୍କ ମୃତ୍ୟୁ ପରେ ମୃତଦେହକୁ ଲୁଚାଇବା, ପ୍ରମାଣ ନଷ୍ଟ କରିବା, ଧମକ ଚମକ ଦେଇ ଟଙ୍କା ଆଦାୟ କରିବା ଭଳି ସାଂଘାତିକ ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ ।
ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶରତ ନାୟକ ନାବାଳିକାଙ୍କ ମୃତ୍ୟୁ ପରେ ଏଥିରୁ ଫାଇଦା ନେବାକୁ ଚେଷ୍ଟା କରିଥିଲେ । ସେ ବିଷୟରେ ଗୋଟି ଗୋଟି ତଥ୍ୟ ପଦାକୁ ଆଣିଛନ୍ତି କଟକ ଗ୍ରାମାଞ୍ଚଳ ଏସପି ମିହିର ପଣ୍ଡା । ଏହି ମାମଲାରେ ଗିରଫ ହୋଇଛନ୍ତି ପିଇଟି ଶିକ୍ଷକ ଅନୁପମ ରାୟ । ସେ ଏଭଳି କିଛି ପରିସ୍ଥିତି ସୃଷ୍ଟି କରିଥିଲେ ଯାହା ଫଳରେ ନାବାଳିକା ଜଣକ ଆତ୍ମହତ୍ୟା କରିଥିଲେ । ଏହାପରେ ନାବାଳିକା ପଢୁଥିବା ସ୍କୁଲର ପରିଚାଳନା କମିଟି ଅଧ୍ୟକ୍ଷ ତଥା ନିଲମ୍ବିତ ବିଜେଡି ନେତା ଶରତ ନାୟକ ତାଙ୍କୁ ଧମକ ଚମକ ଦେଇ ଟଙ୍କା ଆଦାୟ କରୁଥିଲେ । ଯାହାର ଅଡିଓ ଭାଇରାଲ୍ ହୋଇଥିଲା ।
ଜୁନ୍ ୧୮, ମାହାଙ୍ଗାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା । ଏହାପରେ ପୋଲିସକୁ ନଜଣାଇ ଶରତ ଓ ଗାଁର କିଛି ଲୋକେ ମୃତଦେହକୁ ସେ ଦିନ ହିଁ ସତ୍କାର କରି ଦେଇଥିଲେ । ମାମଲାକୁ ଚପାଇବାକୁ ସବୁ ପ୍ରକାର ବ୍ୟବସ୍ଥା ହୋଇଥିଲା । ଏପରିକି ନାବାଳିକାଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ତାଙ୍କ ମୃତ୍ୟୁ ହୋଇଥିବା ପୋଲିସ୍କୁ କୁହାଯାଇଥିଲା ।
ଅଡିଓରେ ପୋଲିସକୁ ମାମଲା ରଫାଦଫା କରିବାକୁ ଅନୁପମଙ୍କ ମାଆଙ୍କୁ ୭୦ ହଜାର ଟଙ୍କା ମାଗୁଥିଲେ ଶରତ । ଭାଇରାଲ୍ ହୋଇଥିବା ଅଡିଓରେ ପୋଲିସ୍ ସହ ଭଲ୍ ଲିଙ୍କ୍ ଥିବା ଓ ଘଟଣାକୁ ଚପାଇ ଦେବାକୁ ଟଙ୍କା ମାଗିଥିଲେ ଶରତ । ହେଲେ ଏଠି ଅନେକ ପ୍ରଶ୍ନ ଉଠୁଛି, ପୋଲିସ୍ ବିନା ପୋଷ୍ଟମର୍ଟମରେ କେମିତି ଫେରିଥିଲା ? ଦୁଇ ମାସରୁ ଅଧିକ ସମୟ ବିତିବା ପରେ ବି କିଛି ଟେର ପାଇଲାନି କେମିତି ? ଲୋକଙ୍କ ବୟାନରେ ନା ଜାଣିଶୁଣି ମାମଲାକୁ ଚପାଇ ଦେଇଥିଲା ପୋଲିସ୍ ? ଶରତଙ୍କ କେଉଁ ପୋଲିସ୍ ଅଧିକାରୀଙ୍କ ସହ ସମ୍ପର୍କ ରହିଛି ? ସ୍ଥାନୀୟ ଅଞ୍ଚଳରେ ଦବଦବା ରଖିଥିବା ବିଜେଡିର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବେଶ୍ ନିକଟତର । ଏହାକୁ ନେଇ ବି ବିରୋଧୀ ପ୍ରଶ୍ନ ଉଠାଇଥିଲେ । ସେପଟେ ଘଟଣାକୁ ନେଇ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା ମିଳିପାରିନି।
ମାହାଙ୍ଗାର ଛାତ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ରାଜ୍ୟ ରାଜନୀତି ହୁଲୁସତୁଲୁସ ହେବା ପରେ ଆକ୍ସନ ମୁଡକୁ ଆସିଥିଲା ପୋଲିସ । ତେବେ ପୋଲିସର ଭୂମିକାକୁ ନେଇ ତଦନ୍ତ ହେବ ନା ଏହି ଗିରଫଦାରୀ ପରେ ତଦନ୍ତ ଏଠି ଦବି ଯିବ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)