Advertisment

ମାହାଙ୍ଗା ଡବଲ ମର୍ଡର ମାମଲା, କୋର୍ଟଙ୍କ ରାୟ ପରେ ତେଜୁଛି ସମର୍ଥକ-ବିରୋଧୀ ଲଢ଼େଇ

ମାହାଙ୍ଗାରେ ସମର୍ଥକ-ବିରୋଧୀ ସଂଘର୍ଷରେ ୨ ଆହତ । ପ୍ରତାପ ଜେନାଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି ।

author-image
Satyendu Shekher Mishra
undefined

Pratap Jena

ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡରେ ତତ୍କାଳୀନ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ସାଲେପୁର JMFC କୋର୍ଟଙ୍କ ନିର୍ଦ୍ଦେଶନାମା ପରେ ତମ୍ବିତୋଫାନ। ଦୀର୍ଘ ୨ ବର୍ଷ ୯ ମାସର ବ୍ୟବଧାନ ପରେ ମାହାଙ୍ଗାରେ ଏଥର ଖଡ୍‌ଗହସ୍ତ ପ୍ରତାପଙ୍କ ସମର୍ଥକ ଓ ନ୍ୟାୟ ପାଇଁ ସଂଘର୍ଷ ପରିବାରର ସଦସ୍ୟ । ଠେଲାପେଲା, ଧସ୍ତାଧସ୍ତି । ସତେଯେମିତି ରଣକ୍ଷେତ୍ର ପାଲଟିଛି ମାହାଙ୍ଗା ବ୍ଲକ ସମ୍ମୁଖ।

Advertisment

କୋର୍ଟଙ୍କ ରାୟ ପରେ କୁଳମଣି ଓ ଦିବ୍ୟସିଂହଙ୍କ ପରିବାରକୁ ନ୍ୟାୟ ଦାବି ସହ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରିବାକୁ ଆସିଥିବାବେଳେ ଘଟିଛି ତୁମୁଳ ସଂଘର୍ଷ। ପ୍ରତାପ ଜେନାଙ୍କ ସମର୍ଥକ କୁହାଯାଉଥିବା କିଛି ଯୁବକ ପହଞ୍ଚି ଅନୁଷ୍ଠାନ ସଦସ୍ୟଙ୍କୁ ବିରୋଧ କରିବାରୁ ଆରମ୍ଭ ହୋଇଥିଲା ଲଢ଼େଇ। ପରିଣାମ ସ୍ୱରୂପ, ଅନୁଷ୍ଠାନର ସଦସ୍ୟ ଦିଲ୍ଲୀପ ସାହୁ ଓ ଅନ୍ୟଜଣେ ବରିଷ୍ଠ ନାଗରିକ ରାମଚନ୍ଦ୍ର ବେହେରା ଆହତ ହୋଇଛନ୍ତି। ଏହାପରେ ଉଭୟ ପକ୍ଷରୁ ମାହାଙ୍ଗା ଥାନାରେ ଏତଲା ହୋଇଛି।

ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଭଳି ସଂଗୀନ ଦଫା ଚାଲୁ ରଖିବାକୁ ଗତକାଲି ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC କୋର୍ଟ। ଯାହାର ଶୁଣାଣି ପ୍ରକ୍ରିୟା ଚାଲିବ ଭୁବନେଶ୍ୱର ସ୍ପେଶାଲ୍ କୋର୍ଟରେ। ହେଲେ ଏବେ ପ୍ରଶ୍ନ ଉଠୁଛି, ହତ୍ୟା ଭଳି ସଂଗୀନ ଦଫାରେ ଛନ୍ଦି ହୋଇଥିବା ତତ୍କାଳୀନ ଆଇନମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ଆଗକୁ ହେବ କି ଦଳୀୟ କାର୍ଯ୍ୟାନୁଷ୍ଠାନ ? କାରଣ ହିଂସା ଓ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତାର କଥା କହୁଥିବା ରାଜ୍ୟ ସରକାର ପୂର୍ବରୁ ଅନେକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

Advertisment

ଏଇ ନିକଟରେ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ଓ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବିଜେଡିରୁ ବିଦା କରିଛନ୍ତି ସୁପ୍ରିମୋ। ତେବେ ମଣିଷ ହତ୍ୟା ଭଳି ସଂଗୀନ ମାମଲାରେ ଏବେ ପ୍ରତାପ ଜେନା ଛନ୍ଦି ହୋଇଥିବାବେଳେ ତାଙ୍କ ବିରୋଧରେ କି ଆଭିମୁଖ୍ୟ ଗ୍ରହଣ କରିବେ ନବୀନ ସରକାର ? ଏହାକୁ ବି ଜନବିରୋଧୀ ବୋଲି ଗ୍ରହଣ କରିବେ ନା ରାଜନୈତିକ ଅଭିସନ୍ଧି ଦର୍ଶାଇ ପ୍ରତାପଙ୍କୁ ଘଣ୍ଟ ଘୋଡ଼ାଇବେ ? କାରଣ ପୂର୍ବରୁ ବି ବିଧାନସଭାଠାରୁ ଆରମ୍ଭ କରି ରାଜରାସ୍ତା ଯାଏଁ ଗର୍ଜିଛନ୍ତି ବିରୋଧୀ। ଆଉ ଏବେ ସାଲେପୁର JMFC କୋର୍ଟଙ୍କ ଛାଟ ପରେ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଣି ଥରେ ଦାବି କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ତେବେ ବିଜେଡି ଏ ସଂପର୍କିତ ପ୍ରଶ୍ନକୁ ଏଡ଼ାଇ ଯାଇଛି ।

ତେବେ ବିରୋଧୀଙ୍କ ଅଭିଯୋଗ ନେଇ ଆଜି ପ୍ରତାପ ଜେନାଙ୍କ ପ୍ରତିକ୍ରିୟା ମିଳିନାହିଁ। କିନ୍ତୁ ଗତକାଲି ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ନେତା ଶାରଦା ପ୍ରଧାନଙ୍କୁ ନିଶାନା କରିବା ସହ ମୋତେ ଫସାଇବା ପାଇଁ ଉଦ୍ୟମ କରାଯାଇଛି ବୋଲି ପ୍ରତାପ କହିଥିଲେ। ଏ ସଂପର୍କରେ ଶାରଦା ପ୍ରଧାନ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

Pratap Jena Mahanga
Advertisment
Advertisment