• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନବଜାତ ଶିଶୁକନ୍ୟାକୁ ଫିଙ୍ଗିଦେବା ହେଉ କି ହତ୍ୟା କରିବା ଘଟଣା ବୋଧହୁଏ ବର୍ତ୍ତମାନ ପାଇଁ ଆଉ କିଛି ନୂଆହୋଇ ନାହିଁ । ଏପରି ଅପରାଧୀକ ମାମଲା ପ୍ରାୟ ସବୁବେଳେ ନଜରକୁ ଆସିଛି । ହେଲେ ଜଣେ ବ୍ୟକ୍ତି ତାଙ୍କର ଝିଅ ହେବାକୁ ଅପେକ୍ଷା କରିଥିଲେ, ହେଲେ ପୁଅ ହେବାରୁ ତାକୁ ହତ୍ୟା କରିବା ଘଟଣା ବୋଧହୁଏ ଆପଣ କେବେ ଶୁଣିନଥିବେ ।

କୁହାଯାଉଛି ଅଭିଯୁକ୍ତ ଜଣକ ତାଙ୍କ ତୃତୀୟ ସନ୍ତାନ ଝିଅ ହେବା ନେଇ ଆଶାବାଦୀ ଥିଲେ । ପୂର୍ବରୁ ତାଙ୍କର ଦୁଇଟି ପୁତ୍ର ସନ୍ତାନ ହୋଇସାରିଥିଲା । ହେଲେ ତୃତୀୟ ସନ୍ତାନରେ ପୁଣି ପୁଅ ହେବାରୁ ତା’କୁ ହତ୍ୟା କରିଥିବା କୁହାଯାଉଛି । ଏପରି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶ ବେତୁଲରୁ ସାମ୍‌ନାକୁ ଆସିଛି ।

ନବଜାତ ପୁଅର ଗଳାକାଟି ହତ୍ୟା କରିଛି ନୃଶଂସ ବାପା । ସୂଚନା ଅନୁସାରେ ତାଙ୍କର ୨ ପୁଅଙ୍କ ମଧ୍ୟରୁ ଜଣେ ପୁଅର ବୟସ ୭ ବର୍ଷ ଓ ଅନ୍ୟ ଜଣେ ପୁଅ ୫ ବର୍ଷର । ହେଲେ ତୃତୀୟ ପୁଅକୁ ମାତ୍ର ୧୨ ଦିନ ହୋଇଥିବାବେଳେ ଏପରି କାଣ୍ଡ କରିଛି ପିଶାଚ ବାପା । ଅଭିଯୁକ୍ତ ବାପାର ନାଁ ଅନିଲ ଉଇକି । ଗତ ରବିବାର ଦିନ ସେ ତାଙ୍କ ନବଜାତ ପୁତ୍ରକୁ ହତ୍ୟା କରିଛନ୍ତି । ଏନେଇ ସୂଚନା ପାଇବା ପରେ ପୋଲିସ ତାକୁ ଗିରଫ କରିଛି ।

ଘଟଣାକୁ ନେଇ ପୋଲିସ ପ୍ରତିକ୍ରିୟା ରଖିଛି । ପୋଲିସ କହିଛି ଯେ, ଅଭିଯୁକ୍ତ ବାପା ସତ ମାନିଛି । ଅଭିଯୁକ୍ତ ତାର ତୃତୀୟ ସନ୍ତାନ ଝିଅ ଚାହୁଁଥିଲା । ହେଲେ ପୁଅ ହେବାରୁ ଏପରି କରିଛି । ସେ ଆହୁରି କହିଛି ଯେ, ୨ଟି ସନ୍ତାନ ହେବା ପରେ ସେ ତାର ପତ୍ନୀକୁ ପରିବାର ଯୋଜନା ଅପରେସନ୍ କରିବାକୁ କହିଥିଲା । ହେଲା ତାର ପତ୍ନୀ ଅପରେସନ୍‌ ହୋଇନଥିଲେ ।

ଖାଲି ଏତିକି ନୁହେଁ, ତୃତୀୟ ସନ୍ତାନ ପୁଅ ହେବା ପରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ଲାଗି ରହୁଥିଲା । ମଦ୍ୟପାନ କରି ଅଭିଯୁକ୍ତ ବାରମ୍ବାର ବଚସା କରିବାରୁ ପତ୍ନୀ ଅଧୈର୍ଯ୍ୟ ହୋଇପଡ଼ିଥିଲେ । ସେଦିନ ଅଭିଯୁକ୍ତ ମଦ୍ୟପାନ କରି ତାର ପତ୍ନୀକୁ ମାଡ଼ ମାରିଥିଲା । ତେଣୁ ସେ ପିଲାଟିକୁ ଛାଡ଼ି ସେଠାରୁ ଚାଲିଯାଇଥିଲେ । ପତ୍ନୀ ଚାଲିଯିବା ପରେ ୧୨ ଦିନର ଶିଶୁକୁ ତା’ର ବାପା ଗଳାକାଟି ହତ୍ୟା କରିଥିବା ପୋଲିସ କହିଛି ।