Advertisment

ପରକୀୟା ପ୍ରୀତି ପାଇଁ ସ୍ୱାମୀଙ୍କୁ ସ୍ତ୍ରୀର ହତ୍ୟା ଉଦ୍ୟମ

ଧରାପଡିଗଲା ସ୍ତ୍ରୀର ଚୋରା ପୀରତି। କଲା ସ୍ୱାମୀଙ୍କୁ ହତ୍ୟା ଯୋଜନା। ସୁପାରୀ କିଲର ଦ୍ୱାରା ହତ୍ୟା ଉଦ୍ୟମ। ଡ୍ରାଇଭର ପ୍ରେମିକ ସହ ମିଶି ଇଞ୍ଜିନିୟର ସ୍ୱାମୀଙ୍କୁ ହତ୍ୟା ପାଇଁ ଉଦ୍ୟମ। ସାନ୍ଧ୍ୟ ଭ୍ରମଣ ବେଳେ ମରଣାନ୍ତକ ଆକ୍ରମଣରେ ସ୍ୱାମୀ ଗୁରୁତର।

author-image
Pramod Behera
Macheswar murder attempt

Macheswar murder attempt

ସ୍ୱାମୀଙ୍କ ଡ୍ରାଇଭରକୁ ପ୍ରେମ କରିବସିଲେ ସ୍ତ୍ରୀ। ସ୍ୱାମୀ ଅନ୍ୟ ସହରକୁ ବଦଳି ହେବା ପରେ ଡ୍ରାଇଭର ସହିତ ରଖିଥିଲେ ଅନୈତିକ ସଂପର୍କ। ହେଲେ ବେଶୀ ଦିନ ଲୁଚି ରହିଲାନି ଏହି ଚୋରା ପୀରତି। କିଛି ଦିନ ପରେ ସ୍ୱାମୀଙ୍କ ପାଖରେ ଧରାପଡିଗଲା ସବୁ କିଛି। ଏହା ପରେ ସ୍ୱାମୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ପ୍ରେମିକ ସହ ମିଶି ଷଡ଼ଯନ୍ତ୍ର କଲେ ସ୍ତ୍ରୀ। ଯୋଜନାକୁ ସଫଳ କରିବା ନେଇ ଯୋଗାଡ କଲେ ସୁପାରୀ କିଲର୍‌। ହେଲେ ଭାଗ୍ୟର ବିଡମ୍ବନା ଥିଲା ଅଲଗା । ନିଶ୍ଚିତ ମରଣରୁ ଅଳ୍ପକେ ବର୍ତ୍ତିଗଲେ ସ୍ୱାମୀ। ପୁଲିସ୍ ହାତରେ ଧରାପଡ଼ିଲା ପ୍ରେମିକ ଡ୍ରାଇଭର୍‌। କିନ୍ତୁ ଖସି ଯାଇଛନ୍ତି ସ୍ତ୍ରୀ। ଏମିତି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ।

Advertisment

ଗିରଫ ଅଭିଯୁକ୍ତର ନାଁ ଅଶୋକ କୁମାର ସାହୁ (୩୦) ହୋଇଥିବା ବେଳେ ଘର ଅନୁଗୋଳ ଜିଲ୍ଲା ତାଳଚେର ସହରର ହାଟତୋଟା ଅଞ୍ଚଳରେ। ଅଭିଯୋଗକାରୀ ମଞ୍ଚେଶ୍ୱରରେ ଚାକିରି କରୁଥିବା ବେଳେ ଅଶୋକ ତାଙ୍କ ନିକଟରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲା।

ସୂଚନା ଅନୁଯାୟୀ, ଅଭିଯୋଗକାରୀ ଜଣେ ଇଞ୍ଜିନିୟର। ତାଙ୍କର ଭୁବନେଶ୍ୱରରୁ ପୁରୀକୁ ବଦଳି ହୋଇଯିବା ପରେ ଅଭିଯୁକ୍ତ ଅଶୋକ ତାଙ୍କ ସ୍ତ୍ରୀଙ୍କ ସହିତ ଅନୈତିକ ସଂପର୍କ ରଖିଥିଲା। ଏହି ଅନୈତିକ ସମ୍ପର୍କ ବିଷୟରେ ସ୍ୱାମୀ ଜାଣିବା ପରେ ପାରିବାରିକ କଳହ ସୃଷ୍ଟି ହୋଇଥିଲା। ଏହା ପରେ ସ୍ତ୍ରୀ ତାଙ୍କୁ ମାରିବା ପାଇଁ ଯୋଜନା କରିଥିଲେ। ସେଥିପାଇଁ ସେ ଅଶୋକ ସହିତ ମିଶି ଜିତେନ୍ଦ୍ର କୁମାର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ସୁପାରୀ କିଲର ଭାବେ ନିୟୋଜିତ କରିଥିଲେ।

Advertisment

ଅଭିଯୋଗକାରୀ ସାନ୍ଧ୍ୟ ଭ୍ରମଣରେ ଯାଉଥିବା ବେଳେ ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ନିକଟରେ ଜିତେନ୍ଦ୍ର ପ୍ରଧାନ ଓ ଅଶୋକ ଅନ୍ୟ ସହଯୋଗୀମାନଙ୍କ ସହ ମିଶି ତାଙ୍କୁ ଷ୍ଟିଲ୍‌ ଓ ପ୍ଲାଷ୍ଟିକ୍‌ ପାଇପ୍‌ରେ ମରଣାନ୍ତକ ଆକ୍ରମଣ କରିଥିଲେ। ଅଭିଯୋଗକାରୀଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା। ତେବେ ସେ କୌଣସି ମତେ ଘଟଣାସ୍ଥଳରୁ ଖସି ନିଜକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ।

ଏହି ଘଟଣାର ଅଭିଯୋଗ ପାଇବା ପରେ ପୁଲିସ୍ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଇତିମଧ୍ୟରେ ପୁଲିସ ଭୟରେ ଅଭିଯୁକ୍ତ ମାନେ ଘର ବଦଳାଇଥିଲେ। କିନ୍ତୁ ପୋଲିସ ହାତରୁ ଖସିଯାଇ ନଥିଲା ଅଶୋକ। ପଚରା ଉଚରା ସମୟରେ ସେ ନିଜ ଦୋଷ ସ୍ଵୀକାର କରିଥିବା ପୁଲିସ୍ କହିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ୍ ପ୍ରୟାସ କରୁଛି।

Murder Attempt
Advertisment
Advertisment