• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଅଧ ରାତିରେ ପ୍ରଶାସନର ନାକ ତଳେ ଖୁଲମଖୁଲା ଚାଲିଛି ବେଧଡକ ବାଲି ଚୋରାଚାଲାଣ । ଟ୍ରାକ୍ଟରଠୁ ଟ୍ରକ୍‌ ସବୁ ଥିରେ ପଡୋଶୀ ପଶ୍ଚିମବଙ୍ଗକୁ ଯାଉଛି ବାଲି । ନଈରୁ ମନଇଚ୍ଛା ବାଲି ଉଠାଇବା ପରେ ଉଚ୍ଚା ଦରରେ ବିକ୍ରି କରି ମାଲେମାଲ ହେଉଛନ୍ତି ମାଫିଆ । ୫ କି ୧୦ ଟ୍ରିପ୍‌ ନୁହେଁ ବରଂ ଶହଶହ ଟ୍ରିପ୍‌ ଚୋରାଚାଲାଣ ହେଉଛି ବାଲି । ଯାହାକୁ ନେଇ ଗାଁ ଲୋକ ବିରୋଧ କରିବା ସହିତ ତୁରନ୍ତ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜୋର ଧରିଲାଣି ଦାବି ।

ବାଲେଶ୍ୱର ଭୋଗରାଇ ତହସିଲ ଅଧିନସ୍ଥ ବିନ୍ଧା ପଦ୍ମପୁର ଗାଁରୁ ଆସିଛି ସାଙ୍ଘାତିକ ଚିତ୍ର । ଯେଉଁଠି ଖୋଲାମେଲାରେ ଚାଲିଛି ବାଲି ଚୋରାଚାଲାଣ । ସଞ୍ଜ ନଇଁବା ମାତ୍ରେ ଚୋରା ବାଲି କାରବାର ଏତେ ମାତ୍ରାରେ ବଢିଯାଉଛି ଯେ ଅତିଷ୍ଠ ହୋଇ ପଡିଲେଣି ସ୍ଥାନୀୟ ଲୋକେ । ବାଲି ମାଫିଆମାନେ ସରକାରୀ ଗ୍ରାମ୍ୟ ଜଙ୍ଗଲ ଓ ଗୋଚରରେ ପ୍ରାୟ ୭ ଏକର ଜାଗାରେ ୨୦ ଫୁଟରୁ ଅଧିକ ଗଭୀର କରି ବାଲି ଚୋରା ଚାଲାଣ କରିସାରିଲେଣି । ପ୍ରଶାସନକୁ ଖାତିର ନକରି ମାଫିଆ ଲୁଟ କରୁଛନ୍ତି ଲକ୍ଷାଧିକ ଟଙ୍କାର ବାଲି । ଗୋଟିଏ ଟ୍ରାକ୍ଟରରେ ପାଖାପାଖି ୧୫ ଶହରୁ ୨୦୦୦ ଟଙ୍କାରେ ବିକ୍ରି ହେଉଛି ବାଲି ।

ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ଏଠାରେ ସରକାର ଓ ବାଲିମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବାରୁ ମାଫିଆ ମାଲେମାଲ । ରାଜସ୍ୱ ଭଣ୍ଡାର ଖାଲି ହେଉଛି । ଏନେଇ ବାରମ୍ବାର ଅଭିଯୋଗ କରିବା ପରେ ବି କୌଣସି ସୁଫଳ ମିଳୁନି । ଭୋଗରାଇ ତହସିଲ ହୁଗଲି ଗ୍ରାମ ପଂଚାୟତର ଗାଁ ହେଉଛି ବିନ୍ଧାପଦ୍ମପୁର । ଗାଁରେ ପ୍ରାୟ ୧୦୦ରୁ ଅଧିକ ପରିବାର ବସବାସ କରୁଛନ୍ତି । ଅଧିକାଂଶ ଲୋକ ଗରିବ ଶ୍ରେଣୀର...ସମୁଦ୍ର ପାଖରେ ଗାଁଟି ଥିବାରୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗାଁରେ ପାଣି ପଶିଯାଏ । କିନ୍ତୁ ଏବେ ଯେଉଁ ପ୍ରକାର ବାଲି ଉତ୍ତୋଳନ ହେଉଛି ତାହା ବଡ଼ ବିପଦ ସୃଷ୍ଟି କରିବା ସହିତ ଆଗାମୀ ଦିନରେ ସମୁଦ୍ର ଗାଁରେ ମିଶିଯିବ ବୋଲି ସନ୍ଦେହ କରୁଛନ୍ତି ଗାଁ ଲୋକେ ।

ସେପଟେ ବାରମ୍ବାର ଗାଁ ଲୋକଙ୍କ ଅଭିଯୋଗ ପରେ ବି ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଏପଟେ ତହସିଲଦାର କହୁଛନ୍ତି, ଆରଆଇଙ୍କୁ ପଠାଇ ତଦନ୍ତ କରାଯାଇଛି । ଖୁବଶୀଘ୍ର ନିଆଯିବ କାର୍ଯ୍ୟାନୁଷ୍ଠାନ ।  ଇଏ ଆଜି କି କାଲିର ଅଭିଯୋଗ ନୁହେଁ ବରଂ ବର୍ଷବର୍ଷ ହେଲାଣି ଏମିତି ଏଇ ଅଂଚଳରୁ ଚୋରାଚାଲାଣ ହେଉଛି ବାଲି । ସବୁବେଳେ ଅଭିଯୋଗ କରୁଛନ୍ତି ଗ୍ରାମବାସୀ । ହେଲେ ଫଳଶୂନ...କେବଳ ମାଲେମାଲ ହେଉଛନ୍ତି ମାଫିଆ ।

 

  • Reported by:
  • Ajit Das