• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନାଗ-ଚାନ୍ଦ ସାମ୍ରାଜ୍ୟ ଭିତରେ ପଶି ଘାଣ୍ଟୁଛି ଆକ୍ସନ ମୋଡ୍‌ରେ ଥିବା ଇଡ଼ି । ଗତକାଲି ଛଅ ଛଅଟି ସ୍ଥାନରେ ମାରାଥନ୍ ରେଡ୍ ଆଉ ଆଜି ବିଜନେସ୍ ପାର୍ଟନର୍ ଖଗେଶ୍ୱର ପାତ୍ରକୁ ଗିରଫ । ବିଜନେସ୍ ପାର୍ଟନରଙ୍କ ବିରୋଧରେ ଲାଗିଛି ସମାନ ୧୬ଟି ଦଫା । ଯାହା ଅର୍ଚ୍ଚନା ଆଉ ଜଗବନ୍ଧୁ ବିରୋଧରେ ବି ଲାଗିଛି ।

କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଅକ୍ଟୋବର ୬ରେ ଅର୍ଚ୍ଚନାର ଗିରଫଦାରୀ ପରଠୁ ଖଗେଶ୍ୱରର ପତ୍ତା ପାଉନଥିଲା ପୋଲିସ । ଶେଷରେ ଗତକାଲି ଖଗେଶ୍ୱରକୁ ଉଠାଇ ଆଣିଥିବା ଇଡ଼ି ଆଜି ଗିରଫ କରିଛି । ଆଉ ପ୍ରାଥମିକ ତଦନ୍ତରୁ ନାଗ-ଚାନ୍ଦ ଦମ୍ପତ୍ତିଙ୍କ ସହ ସେ ବି ଲକ୍ଷ ଲକ୍ଷ ଟଙ୍କାର ଆର୍ଥିକ କାରବାର କରିଥିବା ଜଣାପଡ଼ିଛି ।

୨୦୧୭ ପରଠୁ ପ୍ରାୟ ୫୦ ଲକ୍ଷ ଟଙ୍କାର ନେଣଦେଣ ହୋଇଥିବା ସୂଚନା ମିଳିଛି । ଏହି ଆର୍ଥିକ କାରବାରର ସୁରାଗ୍ ପରେ ଖଗେଶ୍ୱରର ସମସ୍ତ ସମ୍ପତ୍ତିର ଆକଳନ କରୁଛି ଇଡ଼ି । ଏତେ ସମ୍ପତ୍ତିର ସେ କେମିତି ମାଲିକ ବନିଲେ ? କେଉଁ ସୂତ୍ରରେ ନାଗ-ଚାନ୍ଦ ଦମ୍ପତ୍ତି ସହ ଆର୍ଥିକ କାରବାର କରୁଥିଲେ ଖଗେଶ୍ୱର ? କେଉଁଠୁ ଆସୁଥିଲା ଏତେ ଟଙ୍କା ? ଭୁବନେଶ୍ୱର କୋର୍ଟଙ୍କ ଅନୁମତି ପରେ ୧୦ ଦିନିଆ ରିମାଣ୍ଡରେ ନେଇ ଖଗେଶ୍ୱର ଓରଫ ଖଗାଠାରୁ ସେସବୁରୁ ସତ ଉଗାଳିବ ଇଡ଼ି । 

ସେପଟେ ବ୍ଲାକମେଲିଂରୁ ବ୍ଲାକମନି ଅର୍ଜନର ମୂଳ କାଢ଼ିବାକୁ ଝାଳ ବୁହାଉଥିବା ଇଡ଼ି ଅଧିକାରୀ ହାତେଇବାରେ ଲାଗିଛନ୍ତି ଅର୍ଚ୍ଚନା ନାଗର ଧନ ଅର୍ଜନର କଳାଚିଠା । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟ ଯାଞ୍ଚବେଳେ ୨୦୧୭ ପରଠୁ ଦେଢ଼ କୋଟିରୁ ଅଧିକ ଟଙ୍କାର କ୍ୟାସ୍ ଡିପୋଜିଟ୍ ହୋଇଥିବା ଜଣାପଡ଼ିଛି । 

ତାପୁଣି ରାଜ୍ୟର ବିଭିନ୍ନ ଏଟିଏମ୍ ଏବଂ ବ୍ୟାଙ୍କ ଜରିଆରେ ଲକ୍ଷେ, ଦୁଇ ଲକ୍ଷ ଟଙ୍କା ବହୁବାର ଜମା ହୋଇଛି । ତେବେ କିଏ ଡିପୋଜିଟ୍ କରିଛି ଏତେ ପରିମାଣର ଅର୍ଥ ? କାହିଁକି ଦିଆଯାଉଥିଲା ଟଙ୍କା ? ତାକୁ ନେଇ ଇଡ଼ି ଖୋଳତାଡ଼ କରିବା ସହ ନାଗ-ଚାନ୍ଦ ଦମ୍ପତ୍ତିଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା ରଖିଛି । ଯଦି ଉଭୟଙ୍କୁ ଇଡ଼ି ରିମାଣ୍ଡରେ ନିଏ, ତାହେଲେ ସାମ୍ନାକୁ ଆସିବ କି ହନିଟ୍ରାପ୍‌ରେ ଫସିଥିବା ମାଳ ମାଳ ନେତା, ମନ୍ତ୍ରୀଙ୍କ ଅସଲ ଚେହେରା ? ଖୋଲିବ କି ଅର୍ଚ୍ଚନା ସହ ପାୱାର କରିଡର୍ ଲିଙ୍କର ମହାଗୁମର ?  

ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ୍ କୁହାଯାଉଥିବା ଏହି ମାମଲାରେ ପଶି ଇଡ଼ି ଘାଣ୍ଟୁଥିବାବେଳେ ତାଉପରେ ଏବେ ଏସ୍‌ଆଇଟିର ନଜର । ହନିଟ୍ରାପ କୁଇନ ଅର୍ଚ୍ଚନା ନାଗଙ୍କୁ ସ୍କାନର୍‌ରେ ନେଇ ଏସ୍‌ଆଇଟି କଳାଧନ ଅର୍ଜନର ଖୋଳତାଡ଼ କରିପାରେ । ଏସ୍‌ଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୩ରେ ନୂଆଦିଲ୍ଲୀ ବୈଠକରେ ଏ ସଂପର୍କରେ ଆଲୋଚନା ହେବ ବୋଲି ଚର୍ଚ୍ଚା ହେଉଛି । ସେଥିପାଇଁ ଇଡିକୁ ରିପୋର୍ଟ ମାଗିଛି ଏସ୍‌ଆଇଟି । ଏସ୍‌ଆଇଟି ଆଉ ଇଡ଼ିର ଏଭଳି ତତ୍ପରତାକୁ ନେଇ ନାନା ଚର୍ଚ୍ଚା ଭିତରେ ଏବେ ମାମଲାରେ ସଂପୃକ୍ତି ପ୍ରଭାବଶାଳୀଙ୍କ ଛାତି ଏବେ ଧଡ଼ଧଡ଼ ।