• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜଧାନୀର ରାଜରାସ୍ତାରେ ହିଟ୍ ଆଣ୍ଡ ରନ୍ । ରାତିର ନିସ୍ତବ୍ଧ ପହରରେ ଫୁଟପାଥରେ ଶୋଇଥିବାବେଳେ ଦ୍ରୁତଗତିରେ ମାଡ଼ିଆସିଲା କାର୍ । ଆଉ ସେହି କାର୍ ଚକ ତଳେ ଜଣେ ଶ୍ରମିକଙ୍କ ଜୀବନ ଚାଲିଗଲା । କଥା ଏତିକିରେ ସରିନି । କମିଶନରେଟ୍ ପୋଲିସର ସୁରକ୍ଷା ବଳୟକୁ ଭେଦି ଦୁର୍ଘଟଣାଗ୍ରସ୍ତ କାରକୁ ଧରି ଦ୍ରୁତଗତିରେ ଚମ୍ପଟ ମାରିଥିଲା ଡ୍ରାଇଭର୍ । ତେବେ ଲୋକଙ୍କ ସୂଚନା ଆଧାରରେ ସେହି କିଲର୍ କାରକୁ ପୋଲିସ ଜବତ କରିଛି ସତ, କିନ୍ତୁ ଡ୍ରାଇଭରର ଏଯାଏଁ ପତ୍ତା ପାଉନି । ପୋଲିସ କାରକୁ ଧରି ଖୋଳତାଡ଼ କରୁଛି ।

ରାତି ହେଲେ ଭୟଙ୍କର ହେଉଛି କି ରାଜଧାନୀ ? ରାତିର ନିସ୍ତବ୍ଧ ପହରରେ ଘୂରି ବୁଲୁଛି କି ମୃତ୍ୟୁର ଦୂତ ? କମିଶନରେଟ୍ ପୋଲିସର ସୁରକ୍ଷା ପାଚେରୀକୁ ଭେଦି ଅସାମାଜିକ ଖେଳୁଛନ୍ତି କି ମରଣର ଖେଳ ? କାରଣ ରାଜଧାନୀର ଛାତି ଉପରେ ଗତକାଲି ଘଟିଛି ଭୟଙ୍କର ଅଘଟଣ । ରାଜମହଲ ଛକ ଉପରେ ହିଟ୍ ଆଣ୍ଡ ରନ୍ । ରାତିର ନିସ୍ତବ୍ଧ ପହରରେ କେମିତି ଲୋମଟାଙ୍କୁରା ଘଟଣା ଘଟିଥିଲା । ହିଟ୍ ଆଣ୍ଡ ରନ୍ କେତେ ଭୟଙ୍କର ଥିଲା, ରାସ୍ତା ଉପରେ ଥିବା ସବୁ ଚିହ୍ନ ହିଁ ବୟାନ କରୁଛି । ଭାଙ୍ଗିଯାଇଛି ଡିଭାଇଡର, ଏବେ ବି ଦାଉ ଦାଉ ହୋଇ ଦେଖାଯାଉଛି ଘୋଷଡ଼ା ଚିହ୍ନ । ରକ୍ତର ଛିଟା ବି ପଡ଼ିଛି । ତା’ସହ ହାଡ଼ଭଙ୍ଗା ପରିଶ୍ରମ କରି ପାଖରେ ରଖିଥିବା ଶ୍ରମିକ ବାପୁଡ଼ାର ଚାଉଳ ସହ ଦାନାପାଣି ବିଛାଡ଼ି ହୋଇଯାଇଛି । ହେଲେ ଦୁର୍ଭାଗ୍ୟ, ଏହି ଦୁର୍ଘଟଣାରେ ସେହି ଶ୍ରମିକର ଜୀବନ ଚାଲିଯାଇଛି।

ସମୟ ଥିଲା ରାତି ଗୋଟାଏରୁ ଗୋଟାଏ ୪୦ ମିନିଟ୍ । ଦିନ ତମାମର ଖଟଣି ପରେ ଏହି ଫୁଟପାଥରେ ଆଶ୍ରୟ ନେଇଥିଲେ ବାସହୀନ ଶ୍ରମିକ । ସମସ୍ତେ ଶୋଇଯାଇଥିଲେ ନିଘୋଡ଼ ନିଦରେ । ଠିକ୍ ଏତିକିବେଳକୁ ଏଜି ଛକରୁ ରାଜମହଲ ଅଭିମୁଖେ ମାଡ଼ିଆସିଲା ଏହି ନାଲି କାର୍ । ଆଉ ପ୍ରଥମେ ଏହି ଡିଭାଇଡରରେ ପିଟିହୋଇ ଚଢ଼ିଯାଇଥିଲା ଫୁଟପାଥ୍ ଉପରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରକୁ । ଏପରିକି କିଛି ଦୂର ଘୋଷାଡ଼ି ବି ନେଇଥିଲା । ଆଉ ଦ୍ରୁତଗତିରେ କାରକୁ ଧରି କଳ୍ପନା ଛକ ଦେଇ ଲିଙ୍ଗିପୁର ଖସିପଳାଇଥିଲା ଡ୍ରାଇଭର । ଲିଙ୍ଗିପୁର ବାଙ୍କୁଆଳ ନଦୀବନ୍ଧରେ ଗାଡ଼ି ଛାଡ଼ି ଡ୍ରାଇଭର ଖସିପଳାଇଥିଲା ।

ଶେଷରେ ପୋଲିସ ଭୋରରୁ କାରକୁ ଜବତ କରିଛି । କଟକ ଆରଟିଓରେ ପଞ୍ଜିକୃତ ଏହି କାରର ମାଲିକ ଭୁବନେଶ୍ୱର ପୋଖରୀପୁଟର ବିକାଶ ପାଲ୍ ବୋଲି ସୂଚନା ମିଳିଛି । କାରରୁ ବି ମିଳିଛି ସେଭଳି କିଛି କାଗଜପତ୍ର । ତେବେ କାରର ଡ୍ରାଇଭର ସିଟରେ କିଏ ଥିଲେ ? ବିକାଶ ନା ଆଉ କିଏ ? ସେନେଇ କ୍ୟାପିଟାଲ୍ ଥାନା ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଖୋଳତାଡ଼ ଜାରି ରଖିଛି ।

ତେବେ ରାଜଧାନୀରେ ପୋଲିସର କଡ଼ା ପହରା ଓ ସିସିଟିଭିର ଛଞ୍ଛାଣ ଆଖି ଭିତରେ ଦୁର୍ଘଟଣାଗ୍ରସ୍ତ କାରକୁ ଧରି ଡ୍ରାଇଭର ଚମ୍ପଟ ମାରିଲା କେମିତି ? ସିସିଟିଭିରେ ଦେଖି ଦ୍ରୁତଗତିରେ ଯାଉଥିବା ଯାନ ଗୁଡ଼ିକର ତତକ୍ଷଣାତ୍ ଇ-ଚାଲାଣ କଟାଯାଉଥିବାବେଳେ ଦୁର୍ଘଟଣା ଘଟାଇ ଖସିଯାଉଥିବା କାରକୁ ତୁରନ୍ତ କାହିଁକି ଧରିପାରିନଥିଲା ପୋଲିସ ? ଅଭିଯୁକ୍ତ ପାଖରେ ପହଞ୍ଚିବାକୁ ଏତେ ବିଳମ୍ବ କାହିଁକି ? ଏବେ ଏଭଳି ନାନା ପ୍ରଶ୍ନ ଛିଡ଼ା ହୋଇଛି ।

  • Reported by:
  • ATULYA BOUT , ALOK MOHANTY