/odishatv-khabar/media/post_attachments/uploadimage/library/16_9/16_9_0/Kolkata_1723862772.jpg)
Kolkata
କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଉ କିଏ ସଂପୃକ୍ତ? ଦୁଷ୍କର୍ମ ନା ଗଣଦୁଷ୍କର୍ମ? ଏଥିରେ ରହିଛି କି କିଛି ବଡ଼ ବଡ଼ିଆଙ୍କ ହାତ? ଏବେ ଏହାକୁ ନେଇ ଖୋଳତାଡ଼ କରୁଛି ସିବିଆଇ। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ପୀଡ଼ିତଙ୍କ ପରିବାର କିଛି ଡାକ୍ତର, ଇନଟ୍ରନ୍, ଫିଜିସିଆନ୍ଙ୍କ ନାଁ ସିବିଆଇକୁ ଦେଇଛନ୍ତି। କିଛି ସନ୍ଦେହ ପ୍ରକାଶ କରି ଏହି ସବୁ ବ୍ୟକ୍ତିକୁ ବି ଚିହ୍ନଟ କରିଛି ତଦନ୍ତକାରୀ ସଂସ୍ଥା। ତାସହ ଆର.ଜି.କର ମେଡିକାଲର ପୂର୍ବତନ ପ୍ରିନସିପାଲଙ୍କ ସମେତ ୧୦ରୁ ଅଧିକ କର୍ମଚାରୀଙ୍କୁ ପଚରାଉଚରା କରୁଛି।
ଏମିତିକି କିଛିଙ୍କୁ ସିବିଆଇ ନିଜ ହେପାଜତରେ ବି ରଖିଥିବା ସୂଚନା ମିଳିଛି। ତେଣୁ ଏସବୁ ଦିଗକୁ ଦେଖିଲେ ଅନୁମାନ କରାଯାଉଛି କି ସିବିଆଇ ହାତରେ କିଛି ବଡ଼ ତଥ୍ୟ ଲାଗିଥାଇପାରେ। ଅପରପକ୍ଷେ ଘଟଣାକୁ ନେଇ କୋଲକାତାଠୁ ଆରମ୍ଭ କରି ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଛି।
ସେପଟେ ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍-IMA। ୨୪ ଘଣ୍ଟିଆ ଧର୍ମଘଟକୁ ଓହ୍ଲାଇଛନ୍ତି ସବୁ ପ୍ରଫେସର, ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀ। ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ୨୪ ଘଣ୍ଟିଆ ଦେଶବ୍ୟାପୀ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି। କେବଳ ଏମର୍ଜେନ୍ସି ସେବାକୁ ଛାଡ଼ି ଓପିଡି, ଓଟି ଓ ଲ୍ୟାବ ସେବା ବୟକଟ ପାଇଁ ସଂଘ ଆହ୍ବାନ ଦେଇଛି।
ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁ ଆମ ରାଜ୍ୟରେ ବିଗିଡ଼ିବାରେ ଲାଗିଛି ରୋଗୀସେବା। ଏସସିବି ଅଧୀକ୍ଷକ କହିଛନ୍ତି, ରୋଗୀ ସେବା ପ୍ରଭାବିତ ନ ହେବା ଲାଗି ସବୁ ସିନିୟର ଡାକ୍ତର ଓ ଫାକଲ୍ଟିଙ୍କ ଛୁଟି ବାତିଲ କରାଯାଇଛି। କେବଳ ଅତି ଗୁରୁତର ରୋଗୀ ବଡ଼ ମେଡିକାଲ ଆସନ୍ତୁ। ସେହିପରି ସମ୍ବଲପୁର ଭିମସାରରେ ମଧ୍ୟ ସବୁ ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କ ଛୁଟି ବାତିଲ୍ କରାଯାଇଛି।
କଟକ ଏସସିବି ଜୁନିୟର ରେସିଡେଣ୍ଟ, ହାଉସ ସର୍ଜନ, ୟୁଜି ଡାକ୍ତରୀ ଛାତ୍ରଛାତ୍ରୀ ମାନେ କାର୍ଯ୍ୟବନ୍ଦ କରିଛନ୍ତି। କୋଲକାତା ଲଜ୍ଜାକୁ ନେଇ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗତକାଲି ଆନ୍ଦୋଳନର ଦ୍ବିତୀୟ ଦିନରେ ଜୁନିୟର ଡାକ୍ତର ମାନଙ୍କୁ ସମର୍ଥନ ଦେଇଥିଲେ ରେଭେନସା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ । ସନ୍ଧ୍ୟା ସମୟରେ ଶତାଧିକ ଛାତ୍ରଛାତ୍ରୀ ଏକ ବିଶାଳ ରାଲି କରି ରେଭେନସାରୁ ଏସସିବି ମେଡିକାଲ ପର୍ଯ୍ୟନ୍ତ ଆସିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)