/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724413216.jpg)
Kolkata Case accused Sanjay Roy
ସଞ୍ଜୟ ରାୟ...ଅଗଷ୍ଟ ୯ ତାରିଖ ପୂର୍ବରୁ ହୁଏତ ଏହି ନାଁକୁ କିଛି ହାତଗଣତି ପରିବାର ସଦସ୍ୟ ଓ ସଂପର୍କୀୟଙ୍କ ବ୍ୟତୀତ ଅନ୍ୟକେହି ଶୁଣିନଥିବେ । କିଏ ଏହି ବ୍ୟକ୍ତି ? କ'ଣ କରେ ହୁଏତ କେହି ଜାଣିନଥିବେ । କୋଲକାତାର ଆରଜି କର୍ ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ସଞ୍ଜୟ ରାୟ । ଏହି ବ୍ୟକ୍ତିର କାର୍ଯ୍ୟକଳାପ, ମାନସିକତା ଓ ପ୍ରବୃତି ବିଷୟରେ ଜାଣିଲେ ଦେହ ଥରି ଉଠିବ ।
ସୁରକ୍ଷା ଓ ଅପରାଧ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ପୋଲିସ ମଧ୍ୟ ଚିନ୍ତା କରିନଥିବ ଯେ ଏମିତି ଜଣେ ଅପରାଧିକ ମାନସିକତାର ବ୍ୟକ୍ତି ପୋଲିସ ସହ ସଂପର୍କ ବଢ଼ାଇ ଚାଲିଛି କେମିତି । କୋଲକାତାର ଆରଜି କର୍ ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ସାରା ଦେଶରେ ଆକ୍ରୋଶର ନିଆଁ ଜଳୁଛି । ପୀଡିତାକୁ ନ୍ୟାୟ ଦାବି ଓ ଦୋଷୀକୁ କଠୋର ଦଣ୍ଡ ଦାବିରେ ସବୁଠି ପ୍ରତିବାଦ ଆନ୍ଦୋଳନ । ଦେଶର ସାଧାରଣ ନାଗରିକଟିଏ ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟର ବିଚାରପତିଙ୍କ ପର୍ଯ୍ୟନ୍ତ ସମସ୍ତେ ଉଦବେଗ ପ୍ରକାଶ କରିଛନ୍ତି ।
ଏହି ଚର୍ଚ୍ଚିତ ଘଟଣାର ତଦନ୍ତ ଏବେ ସିବିଆଇ ହାତରେ । ତେବେ ତଦନ୍ତ ସମୟରେ ଅଭିଯୁକ୍ତ ସଞ୍ଜୟ ରାୟ ବିଷୟରେ ଯାହା ଜଣାପଡ଼ିଛି ତାାହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ସିବିଆଇ ଅଧିକାରୀ କହିଛନ୍ତି, କୋଲକାତାର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତର ମନୋବିଶ୍ଳେଷଣାତ୍ମକ ପ୍ରୋଫାଇଲରୁ ଚାଞ୍ଚଲ୍ୟକର ତଥ୍ୟ ଜଣାପଡ଼ିଛି । ସେ ଜଣେ ବିକୃତ ମାନସିକତାର ବ୍ୟକ୍ତି ଓ ପର୍ଣ୍ଣ ଭିଡିଓ ଦେଖିବାରେ ଥିଲା ଅଭ୍ୟସ୍ତ ।
ଅଧିକାରୀ ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବ୍ୟକ୍ତିର ପଶୁ ପରି ପ୍ରବୃତି । ସରକାରୀ ଆରଜି କର ମେଡାକିଲ କଲେଜ ଓ ହସ୍ପିଟାଲ ଭିତରେ ହୋଇଥିବା ଜଘନ୍ୟ ହତ୍ୟାକାଣ୍ଡ ନେଇ ତାର କୌଣସି ପଶ୍ଚାତାପ ନାହିଁ । ସଞ୍ଜୟ ରାୟଙ୍କ ମୋବାଇଲରୁ ଅନେକ ଅଶ୍ଲିଳ ଭିଡିଓ କ୍ଲିପ୍ ମିଳିଛି । ଟେକ୍ନିକାଲ ଓ ସାଇଣ୍ଟିଫିକ୍ ପ୍ରମାଣ ଅଭିଯୁକ୍ତର କ୍ରାଇମ ସିନରେ ଉପସ୍ଥିତିକୁ ସ୍ପଷ୍ଟ କରୁଛି । ସିବିଆଇ ଅଧିକାରୀ ଜଣଙ୍କ କହିଛନ୍ତି, "ସଞ୍ଜୟର ମନରେ କୌଣସି ପଶ୍ଚାତାପ ନାହିଁ । ସେ ଛୋଟରୁ ଛୋଟ ଘଟଣା କହିବା ସହ କେମିତି ଅପରାଧ ଘଟାଇଛି ସବୁ କଥା ବଖାଣିଛି ।"
କୋଲକାତାର ଡାକ୍ତର ନିଜର ୩୬ ଘଣ୍ଟାର ଲମ୍ବା ସିଫ୍ଟ ସମୟରେ ହସ୍ପିଟାଲର ସେମିନାର ହଲରେ ଆରାମ କରିବାକୁ ଯାଇଥିଲେ, ଯେଉଁଠାରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ତାଙ୍କ ସହିତ ଦୁଷ୍କର୍ମ କରାଯାଇଛି ଓ ଅତି ନିର୍ମମ ଭାବେ ପିଟାଯାଇଥିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ଶରୀରର ଭିତର ଅଙ୍ଗରେ ୯ଟି ଓ ବାହାର ଭାଗରେ ୧୬ଟି ଆଘାତ ଲାଗିଥିଲା ।
ଅପରାଧର ଦିନକ ପରେ ସଞ୍ଜୟ ରାୟକୁ ଗିରଫ କରାଯାଇଥିଲା । ଅପରାଧ ଘଟିବାର ସମୟ ପାଖାପାଖି ତାକୁ ବିଲ୍ଡିଂରେ ପ୍ରବେଶ କରୁଥିବାର ଦେଖାଯାଇଥିଲା । ଅପରାଧ ସ୍ଥଳରୁ ତାର ବ୍ଲୁଟୁଥ୍ ହେଡଫୋନ୍ ମିଳିଥିଲା । ସିସିଟିଭି ଫୁଟେଜରେ ଅଗଷ୍ଟ ୮ ତାରିଖ ଦିନ ୧୧ଟା ସମୟରେ ଛାତି ବିଭାଗରେ ସଞ୍ଜୟକୁ ଦେଖାଯାଇଥିଲା । ଅଗଷ୍ଟ ୯ ଭୋର୍ ୪ଟା ସୁଦ୍ଧା ସେହି ବିଲ୍ଡିଂରେ ପ୍ରବେଶ କରୁଥିବାର କ୍ୟାମେରାରେ କଏଦ ହୋଇଥିଲା ।
ମହିଳା ଡାକ୍ତରଙ୍କ ମୃତ୍ୟୁର ଅନୁମାନିକ ସମୟ ଅଗଷ୍ଟ ୯ ଭୋର୍ ୩ଟାରୁ ୫ଟା ମଧ୍ୟରେ ହୋଇଥିବା ଜଣାପଡ଼ିଥିଲା । କୌଣସି ବଡ଼ ଷଡ଼ଯନ୍ତ୍ର କାରଣରୁ ପୀଡିତାକୁ ହତ୍ୟା କରାଯାଇଛି କି ? ଏହି ଦିଗକୁ ନେଇ ଘଟଣାର ଅଧିକ ତଦନ୍ତ କରୁଛି ସିବିଆଇ । ଆରଜି କର୍ ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କୁ ମଧ୍ୟ ସିବିଆଇ ଜେରା କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)