• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାରାତ୍ମକ ମାଂଜା ସୂତା । ଜଣେ ନବନିବାହିତ ଯୁବକର ଜୀବନ ନେଇଥିବା ବେଳେ ଅନ୍ୟ ଜଣେ ଗୁରୁତର । ଗତକାଲି କଟକରେ ଗୁଡ଼ି ଉଡ଼ା ମାଞ୍ଜା  ସୂତାରେ ଜଣଙ୍କର ଜୀବନ ଯାଇଥିବା ବେଳେ ପୁରୀରେ ସମାନ ଅଘଟଣ ଘଟି ଜଣେ ଆହତ ହୋଇଛନ୍ତି । ଏହି ଦୁଇଟି ଘଟଣା ପରେ ପ୍ଲାଷ୍ଟିକ ଚାଇନା ସୂତା ଓ ମାଂଜା ସୂତାକୁ ନେଇ ଧରପଗଡ଼  ଆରମ୍ଭ ହୋଇଛି । କଟକ ଜଗତପୁରରେ ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁ ଘଟଣା ପରେ ଆକ୍ସନ୍ ମୋଡକୁ ଆସିଛି ପୋଲିସ୍ ।

ମାଞ୍ଜା ସୂତା ବିକ୍ରି ଅଭିଯୋଗରେ ପୋଲିସ୍ ଜଣକୁ ଗିରଫ ମଧ୍ୟ କରିଛି । ଜଗତପୁରର ମାଞ୍ଜା ସୂତା ବିକ୍ରି କରୁଥିବା ଜଣେ ଦୋକାନୀକୁ ପୋଲିସ୍ ଗିରଫ କରିଛି । ଗିରଫ ବ୍ୟକ୍ତ ଜଣକ ହେଲେ ସେକ୍ ଅନୱର । ସ୍ପେଶାଲ୍ ଏନଫୋର୍ସମେଂଟ୍ ଟିମ୍ ଗଠନ କରି କଟକର ବିଭିନ୍ନ ଗୁଡି ଦୋକାନରେ ଚଢାଉ କରାଯାଇଛି । ତେବେ ପ୍ରଶ୍ନ ଉଠିଛି ୨୦୧୬ରେ ମାଞ୍ଜା ସୂତା ଓ ପ୍ଲାଷ୍ଟିକ ସୂତା ଉପରେ ଯଦି ହାଇକୋର୍ଟ ବ୍ୟାନ ଲଗାଇଥିଲେ, ତା ହେଲେ ବେଧଡ଼କ ବ୍ୟବହାର ଚାଲିଛି କେମିତି ? କ’ଣ କରୁଛି ପୋଲିସ ?

ସୂଚନାଯୋଗ୍ୟ, ରବିବାର ମାଞ୍ଜା ସୂତା ଲାଗି କଟକରେ ବଡ ଅଘଟଣ ଘଟିଥିଲା । ବାଇକରେ ସ୍ତ୍ରୀଙ୍କୁ ନେଇ ପୀରବଜାର ରାସ୍ତାରେ ଯାଉଥିଲେ କଟକ ଭୈୟରପୁରର ଜୟନ୍ତ ସାମଲ । ତାଙ୍କ ମୁଣ୍ଡରେ ହେଲମେଟ୍ ଥିଲା । ହଠାତ୍ ରାସ୍ତା ଉପରେ ତାଙ୍କ ବେକରେ ଲାଗି ଯାଇଥିଲା ଗୁଡିର ଧାରୁଆ ମାଞ୍ଜା ଲଗା ସୂତା । କେହି କିଛି ଭାବିବା ଆଗରୁ ସ୍ପଷ୍ଟ ଦିବାଲୋକରେ ଜୟନ୍ତଙ୍କ ବେକ କଟିଗଲା । ପ୍ରଚୁର ରକ୍ତସ୍ରାବ ହେବା ପରେ ଛଟପଟ ହୋଇ ବାଇକରୁ ତଳେ ପଡିଯାଇଥିଲେ ଜୟନ୍ତ । ଗୁରୁତର ଅବସ୍ଥାରେ ଜୟନ୍ତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେହିପରି ପୁରୀରେ ମାଞ୍ଜା ସୂତା ଲାଗି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସନ୍ଧ୍ୟା ୬ଟା ବେଳେ ପୁରୀ ଟାଉନର କୁଣ୍ଢେଇବେଣ୍ଟ ସାହିର ଯୁବକ ଭଞ୍ଜବିହାରୀ ପାତ୍ର ନିଜର ଅସୁସ୍ଥ ପୁଅ ପାଇଁ ଔଷଧ ନେବାକୁ ବଡ଼ ଦାଣ୍ଡକୁ ଆସୁଥିଲେ । ତେବେ ମେଡିକାଲ୍‌ ଛକ ପାଖ ମାଳିଜାଗାରେ ମାଞ୍ଜା ସୂତା ତାଙ୍କ ବେକରେ ଲାଗି ଯାଇଥିଲା । ବେକ କଟି ଯାଇ ରକ୍ତସ୍ରାବ ହେବା ସହ ସେ ତଳେ ପଡ଼ି ଯାଇଥିଲେ । ଜଣେ ଯୁବକ ପୋଲିସ ସହାୟତାରେ ଭଞ୍ଜବିହାରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶଲ୍ୟ ଚିକିତ୍ସା ବିଭାଗରେ ଭର୍ତ୍ତି କରିଥିଲେ। ଏହାପରେ ତାଙ୍କ ବେକରେ ଅସ୍ତ୍ରୋପଚାର କରାଯାଇଛି। ଏବେ ସେ ବିପଦମୁକ୍ତ ଥିବା ଜଣାପଡ଼ିଛି  ।

ସୂଚନାଯୋଗ୍ୟ, ୨୦୧୫ରୁ ଏଯାଏ କଟକରେ ମାଞ୍ଜା ସୂତାରେ କଟି ୪ ଜଣଙ୍କ ଜୀବନ ଯାଇଛି । ୧୪ରୁ ଅଧିକ ଆହତ ହୋଇଛନ୍ତି । ୨୦୧୬ରେ ମାଞ୍ଜା ସୂତା ଓ ପ୍ଲାଷ୍ଟିକ ସୂତା ଉପରେ ବ୍ୟାନ ଲଗାଇଥିଲେ ହାଇକୋର୍ଟ। ତଥାପି ସାହି ଗଳିରେ ମାଞ୍ଜା ସୂତା ଲଗାଇ ବେଧଡକ ଗୁଡି ଉଡ଼ା ଚାଲିଛି ।