• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୟାଗଡ଼ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ପଛରେ ଲେଡ଼ି ଲିଙ୍କ୍ । ମାସକ ତଳେ ସଂଘଟିତ ରହସ୍ୟଜନକ ଅପରାଧ ପଛରେ ରାଜଧାନୀର ଏକ ୱେବ ପୋର୍ଟାଲ୍ ମାଲିକାଣୀଙ୍କ ସଂପୃକ୍ତି ଆଶଙ୍କା, ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ୱେବ୍ ପୋର୍ଟାଲ୍‌ରେ କାମ କରିଥିବା ମାନସଙ୍କ ପାଖରେ ରହିଯାଇଥିଲା ଏକ ମେମୋରି ଚିପ୍ । ଆଉ ସେହି ଚିପ୍ ହିଁ ପାଲଟିଗଲା ମାନସଙ୍କ ପାଇଁ ମହାକାଳ । ମେମୋରିଚିପ୍ ପାଇଁ ତାଙ୍କୁ ପ୍ରଥମେ ଅପହରଣ ଓ ପରେ ହତ୍ୟା କରି ପୋତି ଦିଆଯାଇଥିଲା ।

ତେବେ କେମିତି ସାମ୍ନାକୁ ଆସିଲା ସତ ? କିଏ ସେହି ଲେଡ଼ି ? କଣ ଥିଲା ସେହି ମେମୋରି ଚିପ୍‌ରେ ? ଯାହାକୁ ନେଇ ଘଟିଲା ରକ୍ତରଂଜିତ ଅପରାଧ ?

ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇବା ପରେ ବେସାହାରା ମାଆ କଣ ବା ଆଉ ମାଗିବ । ଆଜି ସେମିତି ଜଣେ ମାଆ ମାଗୁଛି ପୁଅ ହତ୍ୟାର ବରାବର ହିସାବ । ହତ୍ୟାର ଶୀକାର ନୟାଗଡ଼ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ମାଆ କୋହଭରା କଣ୍ଠରେ ମାଗୁଛନ୍ତି ପୁଅ ପାଇଁ ନ୍ୟାୟ । ପୁଅ ବିନା କେମିତି ବଳକା ଆୟୂଷ ଜୀଇଁବେ, ଭାଳି ହେଉଛନ୍ତି ସବୁଦିନ । କାରଣ ଆଜିକୁ ପ୍ରାୟ ୪୦ ଦିନ ତଳେ ମାନସଙ୍କୁ ମାରିଦିଆଯାଇଛି । ବୀଭତ୍ସ ଭାବେ ତାଙ୍କର ହତ୍ୟା କରାଯାଇଛି ।

ଆଉ ଏହି ବୀଭତ୍ସ ହତ୍ୟା ପଛରେ ସାମ୍ନାକୁ ଆସିଛି ରାଜଧାନୀର ଲେଡ଼ି ଲିଙ୍କ୍ । ପ୍ରଥମେ ଭଦ୍ରକ ଚାନ୍ଦବାଲି ଅଞ୍ଚଳରୁ ଅପହରଣ ଓ ପରେ ରାଜଧାନୀରେ ହତ୍ୟା କରାଯାଇଥିଲା ମାନସଙ୍କୁ । ଆଉ ପ୍ରମାଣ ଲୁଚାଇବାକୁ ଯାଇ ନୟାଗଡ଼କୁ ନେଇ ପୋତି ଦିଆଯାଇଥିଲା ମୃତଦେହ । ଯାହାର ଖୋଳତାଡ଼ କରି ବର୍ତ୍ତମାନ ସୁଦ୍ଧା ୩ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଧିରେ ଧିରେ ଫିଟୁଛି ରହସ୍ୟ ।

 

ଏଠି ପ୍ରଶ୍ନ, ମାନସ ମର୍ଡର ପଛରେ ସଂପୃକ୍ତ କୁହାଯାଉଥିବା କିଏ ଏହି ଲେଡି ? ମାନସଙ୍କୁ ଅପହରଣ ଓ ହତ୍ୟା ପାଇଁ କାହିଁକି ଷଡ଼ଯନ୍ତ୍ର ରଚାଯାଇଥିଲା ? ପୋଲିସର କହିବା କଥା, ପ୍ରଫେସନାଲ୍ ଫଟୋଗ୍ରାଫର ମାନସ ସାହୁ କାମ କରୁଥିଲେ ଭୁବନେଶ୍ୱରର ଏକ ୱେବ ପୋର୍ଟାଲ୍‌ରେ । କୌଣସି କାରଣରୁ ଛାଡ଼ିଦେଇଥିଲେ ସଂସ୍ଥା । ହେଲେ ମାନସଙ୍କ ପାଖରେ ରହିଯାଇଥିଲା ଏକ ମେମୋରିକାର୍ଡ । ସେହି କାର୍ଡକୁ ଫେରାଇବା ପାଇଁ ଏହି ୱେବ୍ ପୋର୍ଟାଲର ମାଲିକାଣି ଅନେକ ଥର କହିବା ସତ୍ତ୍ୱେ ମାନସ ଦେଇନଥିଲେ ।

ଶେଷରେ ଫେବୃଆରୀ ୭ରେ ଚାନ୍ଦବାଲି ଅଞ୍ଚଳରେ ଏକ ବାହାଘର କାର୍ଯ୍ୟକ୍ରମକୁ ଯାଇଥିବା ମାନସଙ୍କୁ କିଡ୍‌ନ୍ୟାପ୍‌ କରି ଭୁବନେଶ୍ୱରର ଏକ ବୃଦ୍ଧାଶ୍ରମକୁ ଆଣିଥିଲେ ସଂପୃକ୍ତ ମହିଳା । ଆଉ ସେଠାରେ ଅକଥନୀୟ ନିର୍ଯାତନା ଦେଇଥିଲେ । ପରେ ମହିଳାଙ୍କ ସହଯୋଗୀ ମାନସଙ୍କୁ ହତ୍ୟା କରିଥିଲେ । ଆଉ ସବୁଠାରୁ ବଡ଼ କଥା ହେଲା ହତ୍ୟା କରିବା ପରେ ନୟାଗଡ ରାଜସୁନାଖଳା ବଧିପାଟଣା ପାଖ ପାହାଡ଼ ନିକଟରେ ପୋତି ଦେଇଥିଲେ ମାନସଙ୍କ ମୃତଦେହ । ତେବେ ପୁଅର ନିଖୋଜ ସମ୍ପର୍କରେ ମାନସଙ୍କ ବାପା ଫେବୃୟାରୀ ୧୪ରେ ଚାନ୍ଦବାଲି ଥାନାରେ ଏତଲା ଦେବା ପରେ ତଦନ୍ତ କରି ହତ୍ୟାର ଖୁଲାସା କରିଥିଲା ପୋଲିସ ।

ତେବେ ମାନସ-ମର୍ଡର-ମେମୋରିକାର୍ଡ ପଛର ରହସ୍ୟ କଣ ? ସେହି ମେମୋରୀ କାର୍ଡରେ ଥିଲା କି କୌଣସି ଗୁପ୍ତ ଭିଡ଼ିଓ ? ବୃଦ୍ଧାଶ୍ରମର ଜଣେ କେୟାରଟେକରଙ୍କ କହିବା କଥା, ଏହି ଦୟାଲ ଆଶ୍ରମ ହେଉଛି ସଂପୃକ୍ତ ମହିଳାଙ୍କର । ତଳେ ନିରାଶ୍ରୟ ରହୁଛନ୍ତି, ଉପରେ ଚାଲୁଥିଲା ୱେବ ପୋର୍ଟାଲ । ଯେଉଁଠି ସୁଟିଂ ଚାଲେ । ହେଲେ କି ସୁଟିଂ ହେଉଥିଲା ଏହି ସ୍ଥାନରେ ? ସେହି ସୁଟିଂର କ୍ଲିପ୍‌କୁ ନେଇ ଥିଲା କି କୌଣସି ବିବାଦ ? ଏଭଳି ନାନା ପ୍ରଶ୍ନ ଉଠୁଥିବା ବେଳେ ଆଜି ଏହି ଆଶ୍ରମକୁ ଯାଇ ଖୋଳତାଡ଼ କରିଛି ପୋଲିସ । ତାସହ ରକ୍ତ ଛିଟା ଦେଖିବାକୁ ମିଳିଥିବା କୁହାଯାଉଛି । ତେବେ ସନ୍ଧାନ ମିଳୁନଥିବା ସଂପୃକ୍ତ ମହିଳାଙ୍କୁ ଠାବ ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ । ତାସହ ଘଟଣାରେ ସଂପୃକ୍ତ ଆଉ ୪-୫ ଜଣଙ୍କୁ ଧରିବାକୁ ପୋଲିସ ତନାଘନା ଜାରି ରଖିଛି ।

ଘଟଣା ସଂପର୍କରେ ସଂପୃକ୍ତ ମହିଳା କିମ୍ବା ଏହି ୱେବ ପୋର୍ଟାଲ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ରାଜଧାନୀରେ ସଂଘଟିତ ଏହି ଲୋମଟାଙ୍କୁରା ଅପରାଧ ପଛର ସତ କଣ ? ପୋଲିସର ଫାଇନାଲ୍ ରିପୋର୍ଟକୁ ଅପେକ୍ଷା ।