• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାତି ପାହିଲା ବେଳକୁ ଦୁଇ ଭଉଣୀ ବେକରେ ରଶି ଲଗାଇ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି । ଏହି ଖବର ସମସ୍ତଙ୍କୁ ଚକିତ କରିଥିଲା । ସ୍ଥାନୀୟ ଅଞ୍ଚଳରେ ଖୁବ୍‌ ଆଲୋଡ଼ନ ସୃଷ୍ଟି କରିଥିଲା । ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା କାହିଁକି ଦୁଇ ଭଉଣୀ ଏକାସଙ୍ଗେ କଲେ ଆତ୍ମହତ୍ୟା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଅଚାନକ ପରିବାର ଲୋକଙ୍କ ପକ୍ଷରୁ ଆସିଛି ସାଂଘାତିକ ଅଭିଯୋଗ ।

ପରିବାର ଲୋକଙ୍କ ଅଭିଯୋଗ ଯେ, ତାଙ୍କ ଦୁଇ ଝିଅ ଆତ୍ମହତ୍ୟା କରିନାହାନ୍ତି । ବରଂ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି । ଖାଲି ସେତିକି ନୁହେଁ, ତାଙ୍କ ଦୁଇ ଝିଅଙ୍କୁ ପ୍ରଥମେ ମଦ ପିଆଇ ନିଶାଶକ୍ତ କରାଯାଇଥିଲା । ଆଉ ତା’ପରେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା । ଏମିତିକି ଦୁଷ୍କର୍ମ ବେଳର ଭିଡିଓ ରେକର୍ଡ କରାଯାଇଥିଲା । ପରେ ତାକୁ ଭାଇରାଲ କରିବାକୁ ମଧ୍ୟ ଚେଷ୍ଟା କରାଯାଇଥିଲା । ଯାହାଫଳରେ ଝିଅମାନେ ଚିନ୍ତା କଲେ ଏଭଳି ଜୀବନ ବଞ୍ଚିବା ଅପେକ୍ଷା ମରିଯିବା ଭଲ । ତେଣୁ ସେମାନେ ଆଜି ଗଛରେ ଝୁଲି ନିଜ ଜୀବନ ହାରିଛନ୍ତି ।

ମୃତ ଦୁଇ ନାବାଳିକାଙ୍କ ପିତା-ମାତା ଇଟା ଭାଟିରେ ଶ୍ରମିକ ଭାବେ କାମ କରନ୍ତି । ତାଙ୍କର ଅଭିଯୋଗ ଠିକାଦାର ଏବଂ ତାର ସାଙ୍ଗମାନେ ଦୁଇ ଝିଅ ସହ ଏଭଳି କାଣ୍ଡକାରନାମା କରିଛନ୍ତି । ତେବେ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି କାନପୁର ପୋଲିସ ନାବାଳିକା ଗଣଦୁଷ୍କର୍ମ ଘଟଣାରେ POCSO ଆକ୍ଟରେ ମାମଲା ରୁଜୁ କରିଛି । ଏହାସହ ଆତ୍ମହତ୍ୟା ପାଇଁ ଉସକାଇଥିବା ମାମଲା ମଧ୍ୟ ରୁଜୁ ହୋଇଛି ।

ଅନ୍ୟପଟେ ୩ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରି ପଚରାଉଚରା କରୁଛି । ପୋଲିସ ଏବଂ ଫରେନ୍ସିକ ଟିମ୍‌ ଘଟଣାର ତଦନ୍ତ କରୁଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ, ସେଇ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ମୃତ ଦୁଇ ଭଉଣୀଙ୍କ ପିତା କହିଛନ୍ତି ଯେ, ଇଟାଭାଟିର ଠିକାଦାର ରାମରୁପ ଏବଂ ସେଠାରେ ଚୁଲିରେ କାମ କରୁଥିବା ସଞ୍ଜୁ ଏବଂ ରାଜ୍ଜୁ ତାଙ୍କୁ ଝିଅଙ୍କୁ ମଦ୍ୟପାନ କରାଇବା ପରେ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି ।

ପୂରା କାହାଣୀଟି ହେଲା...

ଘାଟମପୁର ଥାନାଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ଏକ ଗାଁରେ ରାଜା ସିଦ୍ଧିକି ନାମକ ବ୍ୟକ୍ତିର ଏକ ଇଟା ଭାଟ୍ଟି ରହିଛି । ଏଠାରେ ହମିରପୁର ଗାଁର କିଛି ପରିବାର କାମ କରୁଛନ୍ତି । ସେହି ପରିବାର ମଧ୍ୟରୁ ଏକ ପରିବାରର ଦୁଇ ନାବାଳିକା ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମାନଙ୍କ ମଧ୍ୟରୁ ଜଣକଙ୍କ ବୟସ ୧୪ ଆଉ ଜଣଙ୍କ ବୟସ ୧୬ ବୋଲି ଜଣାପଡ଼ିଛି ।