Advertisment

ଦାଦନ ଖଟି ଯାଇଥିଲେ ଓଡ଼ିଆ ଯୁବକ : ନିର୍ମମ ଭାବେ ଦୁର୍ବୃତ୍ତ କାଟିଦେଲେ ୨ ହାତ

କେବେ ଥମିବ ଦାଦନ ଦୁର୍ଦ୍ଦଶା ? ରୋଜଗାରର ଲୋଭ ଦେଇ କନ୍ଧମାଳର ଯୁବକଙ୍କୁ ମୁମ୍ବାଇରେ ଦୁର୍ବୃତ୍ତ କାଟିଦେଲେ ୨ ହାତ, ଗାଁକୁ ଫେରି ଥାନାରେ ପୀଡ଼ିତଙ୍କ ଏତଲା, ପୋଲିସ ଉପରେ ଦାୟିତ୍ୱ ଛାଡ଼ି ହାତ ଟେକିଦେଲା ଜିଲ୍ଲା ଶ୍ରମ ବିଭାଗ...

author-image
Prangyan Parimita
ଅଦ୍ୟତନ ହୋଇଛି
undefined

tragic incident

ଜଘନ୍ୟ...ବୀଭତ୍ସ...ଭୟଙ୍କର। ଦାଦନ ଖଟିବାକୁ ଯାଇ ମୁମ୍ବାଇରେ ହାତ ହରାଇଲେ ଓଡ଼ିଆ ଶ୍ରମିକ। କନ୍ଧମାଳର ଜଣେ ଯୁବକଙ୍କୁ ନିର୍ମମ ଭାବେ ଦୁର୍ବୃତ୍ତ ଆକ୍ରମଣ କରି ହାତ କାଟିଦେଇଛନ୍ତି । ଫଳରେ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ ବି ଆଜୀବନ ପଙ୍ଗୁ ହୋଇଯାଇଛନ୍ତି ଯୁବକ ଜଣକ ।ପରିବାର ଲୋକଙ୍କ ସହାୟତାରେ ଏବେ ସେ ଗାଁକୁ ଫେରି ପୋଲିସର ଆଶ୍ରୟ ନେଇଛନ୍ତି । ତେବେ କାହିଁକି ଘଟିଲା ଏମିତି, ସେନେଇ ସ୍ପଷ୍ଟତା ଆସିନଥିବାବେଳେ ସହାୟତାର ପ୍ରତିଶ୍ରୁତି ଦେଇ ହାତ ଟେକି ଦେଇଛି ଜିଲ୍ଲା ଶ୍ରମ ବିଭାଗ।....

Advertisment

ତେବେ ଦୁଇ ଦୁଇଟି ହାତ ହରାଇଥିବା ଯୁବକଙ୍କ ମୁହଁରୁ ବର୍ବରତାର ଭୟଙ୍କର କାହାଣୀ ଯିଏ ବି ଶୁଣୁଛନ୍ତି, ଥରି ଉଠୁଛି ସର୍ବାଙ୍ଗ । କାରଣ ଦି’ପଇସା ରୋଜଗାର ସହ ଦାନା ପାଇଁ ଦାଦନ ଖଟେଇବାକୁ ମୁମ୍ବାଇ ଡାକିଲେ । ଆଉ ମୁମ୍ବାଇରେ ପହଞ୍ଚିବା କ୍ଷଣି ନିର୍ମମ ଭାବେ କାଟିଦେଲେ ଦୁଇ ହାତ । ରୋଜଗାର ପାଇଁ ଦାଦନ ଯାଇଥିବା ଚଳଚଞ୍ଚଳ ମଣିଷଟାର ୨ ହାତକୁ ଅତି ନିର୍ଦ୍ଦୟ ଭାବେ କାଟି ପଙ୍ଗୁ କରିଦେଲେ ଦୁର୍ବୃତ୍ତ । କନ୍ଧମାଳଡହଲପଡ଼ି ଗାଁର ଅଙ୍ଗଦ ମଲ୍ଲିକଙ୍କ ଏହି ଦୟନୀୟ ସ୍ଥିତି ଭଳି ୟା’ ପଛର କାହାଣୀ ବି ଆହୁରି ଭୟଙ୍କର।

ତାଙ୍କ କହିବା କଥା, ରୋଜଗାର ଲୋଭ ଦେଖାଇ ଅଙ୍ଗଦଙ୍କ ବନ୍ଧୁ ରବି ସାହାଣୀ ଡକାଇଥିଲେ ମୁମ୍ବାଇ । ଏପରିକି ଅଗ୍ରୀମ ୮ ହଜାର ଟଙ୍କା ମଧ୍ୟ ପଠାଇଥିଲେ । ମେ’ ୧ ରେ ମୁମ୍ବାଇରେ ପହଞ୍ଚିଥିଲେ ଅଙ୍ଗଦ। ଷ୍ଟେସନରୁ କିଛି ଦୂରକୁ ଗଲା କ୍ଷଣି ତାଙ୍କ ଉପରେ ହୋଇଥିଲା ବର୍ବର ଆକ୍ରମଣ । ୫/୬ ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିବା ସହ ଚେତାଶୂନ୍ୟ ହେବାପରେ ତାଙ୍କ ହାତ କାଟିଦେଲେ ଦୁର୍ବୃତ୍ତ । ପରେ ପୋଲିସ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲା ଏବଂ କିଛି ସ୍ୱେଛାସେବୀଙ୍କ ସହାୟତାରେ ଠିକଣା ପାଇ କନ୍ଧମାଳରେ ଥିବା ପରିବାର ଲୋକଙ୍କୁ ଜଣାଇଥିଲା ।

Advertisment

କିଛିଦିନର ଚିକିତ୍ସା ପରେ ପରିବାର ଲୋକଙ୍କ ସହାୟତାରେ ସୁସ୍ଥ ହୋଇ କାଲି ଗାଁକୁ ଫେରିଛନ୍ତି ଅଙ୍ଗଦ । କିନ୍ତୁ ହାତ ହରାଇ ପାଲଟିଯାଇଛନ୍ତି ଆଜୀବନ ପଙ୍ଗୁ । ଏହି ଘଟଣା ପାଇଁ ମୁମ୍ବାଇ ଡକାଇଥିବା ରବି ସାହାଣୀଙ୍କୁ ଦାୟୀ କରି ତାଙ୍କ ନାଁରେ ବାଲିଗୁଡ଼ା ଥାନାରେ ଏତଲା ଦେଇଛନ୍ତି ଅଙ୍ଗଦ । ଅଙ୍ଗଦଙ୍କ ମା’ଙ୍କ କହିବା କଥା, ଘଟଣା ପରେ ଗାଁକୁ ଫେରିଆସିଥିବା ରବି ସାହାଣୀ ବିଭିନ୍ନ ସମୟରେ ଧମକ ଚମକ ଦେଉଥିଲେ। ତେବେ କାହିଁକି ଅଙ୍ଗଦ ଏବଂ ରବି ମଧ୍ୟରେ ଉପୁଜିଥିଲା ବିବାଦ, ସେନେଇ ସ୍ପଷ୍ଟ ହୋଇନଥିବାବେଳେ ଏନେଇ ରବିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।

ଦାଦନ ଯାଇ ରାଜ୍ୟର ଗରିବ ମଜୁରିଆ ଏଭଳି ଦଶା ଭୋଗିବା ନୂଆ କଥା ନୁହେଁ। ଗଜପତି କଲବା ଗାଁର ଶାଙ୍କ ମୁର୍ମୁଙ୍କୁ ଗତ ସେପଟେମ୍ବରରେ ବାମ ଗୋଡ଼ ସହ ଡାହାଣ ହାତ ପାପୁଲି କାଟି ଦିଆଯାଇଥିଲା ଉତ୍ତରପ୍ରଦେଶରେ।... ୨୦୧୯ରେ ନାଗପୁରରେ ନୂଆପଡ଼ା ଟିକରାପଡ଼ାର ଚମରୁ ପହରିଆଙ୍କ ଗୋଡ଼ ଏବଂ ହାତର ଅଙ୍ଗୁଳି କାଟିଦେଇଥିଲେ ଦାଦନ ଦଲାଲ।...ତା’ପୂର୍ବରୁ ୨୦୧୩ରେ କଳାହାଣ୍ଡିର ନୀଳାମ୍ବର ଧଙ୍ଗଡ଼ାମାଝୀ ଓ ଦିଆଲୁ ନିଆଲଙ୍କ ହାତ କାଟି ଦେବା ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା। ଆଉ ଏବେ କନ୍ଧମାଳରୁ ଆସିଛି ଲୋମଟାଙ୍କୁରା ଘଟଣା । ଜିଲ୍ଲା ଶ୍ରମ ବିଭାଗ କହିଛି, ଆମ କାମ ପୀଡ଼ିତଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା । ଯାହା ଆକ୍ସନ ନେବା କଥା ପୋଲିସ ନେବା।

ଦାଦନ ଯନ୍ତ୍ରଣାର ଏଭଳି ମାଳ ମାଳ କାହାଣୀ ସାମ୍ନାକୁ ଆସୁଥିବାବେଳେ ଏହାକୁ ରୋକିପାରୁନଥିବା ରାଜ୍ୟ ସରକାରଙ୍କ ଉତ୍ତରଦାୟିତ୍ବକୁ ନେଇ ଛିଡ଼ା ହୋଇଛି ନାନା
ପ୍ରଶ୍ନ ।

Migrant Workers Tragic Incident
Advertisment
Advertisment