• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଅଭୟାକୁ ନ୍ୟାୟ ଦେବାକୁ ପ୍ରଚଣ୍ଡ ପ୍ରତିଜ୍ଞା ଷଡ଼ଯନ୍ତ୍ରର ଖୁଲାସା ଆଉ ଦୋଷୀଙ୍କୁ ଦଣ୍ଡ ଦେବାକୁ ଅଖଣ୍ଡ ଆନ୍ଦୋଳନ । କୋଲାକାତା ଆର.ଜି. କର ମେଡିକାଲ କଲେଜ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ୧୪ ଦିନ ପରେ ବି ସାରା ପଶ୍ଚିମବଙ୍ଗସୀଙ୍କ ମନରୁ କମିନି କ୍ରୋଧ କି ଶାନ୍ତ ହୋଇ ପାରିନି କୋଲକାତା ମହାନଗରୀ । ପୀଡ଼ିତାଙ୍କୁ ନ୍ୟାୟ ଏବଂ ମହିଳାଙ୍କ ସୁରକ୍ଷା ଦାବିରେ ଯେମିତି ଏକାକାର ହୋଇଛି ସାରା ସହର, ସାରା ରାଜ୍ୟ ।

ହାତରେ ପ୍ଲାକାର୍ଡ, ବାହୁରେ Justice for Abhaya ଟ୍ୟାଗ୍ ଆଉ ମୁହଁରେ ସରକାର ଓ ବ୍ୟବସ୍ଥା ବିରୋଧୀ ନାରା ଦେଇ ରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ । ନ୍ୟାୟ ପାଇଁ ଏ ଅବିଶ୍ରାନ୍ତ ଲଢେଇରେ ସ୍ବତଃସ୍ଫୂର୍ତ୍ତ ଭାବେ ସାମିଲ ହୋଇଛନ୍ତି ସମାଜର ବିଭିନ୍ନ ବର୍ଗର ଲୋକ । ଦିନ ରାତିର ହିସାବ ନରଖି ଆନ୍ଦୋଳନକୁ ଓହ୍ଲାଉଛନ୍ତି ଡାକ୍ତର, ଓକିଲ, ସାମ୍ବାଦିକ, କଳାକାର, ବରିଷ୍ଠ ନାଗରିକ ଏବଂ କିନ୍ନର ।

ସମସ୍ତଙ୍କ ମନ ଭିତରେ ଅଭୟା ପାଇଁ କୋହ ଓ ପରିବାର ପାଇଁ ସମବେଦନା । ଅନ୍ୟପଟେ ଅପରାଧ ପଛର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ, ଅନ୍ୟ ଅପରାଧୀଙ୍କୁ ସାମ୍ନାକୁ ଆଣିବା ଏବଂ ଦୋଷୀଙ୍କୁ ଉଚିତ ଦଣ୍ଡବିଧାନ ପାଇଁ ଉଗ୍ର ହେଉଛି ସାଧାରଣ ଜନତାଙ୍କ ସାମୁହିକ ସ୍ୱର ।

ଦିନ ହେଉ କି ରାତି, ଖରା ହେଉ କି ବର୍ଷା। ଅଭୟା ଘଟଣା ପରଠୁ ତାଙ୍କ ପାଇଁ କୋଲକାତା ମହାନଗରୀର ବିଭିନ୍ନ ରାଜରାସ୍ତାରେ ଏମିତି ବିକ୍ଷୋଭ ଓ ଆନ୍ଦୋଳନ କରୁଛନ୍ତି ଲୋକେ ।

ଆଜି ବି ମହାନଗରୀର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଗୋଷ୍ଠୀ ପକ୍ଷରୁ ଏମିତି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବେଳେ ଗ୍ରାଉଣ୍ଡରେ ରହିଥିଲା ଓଟିଭି ଟିମ୍ । କୋଲକାତାର ଲାଲ୍ ବଜାର ଅଞ୍ଚଳରେ ଆନ୍ଦୋଳନକାରୀଙ୍କର ଢୁ ଢୁ ବର୍ଷା ପ୍ରତି ଟିକିଏ ବି ଖାତିର ନଥିଲା । ନ୍ୟାୟ ପାଇଁ ଏକାଠି ହେବା ଏବଂ ଲଢେଇର ଜୋସ ଭିତରେ ହାର ମାନି ଯାଉଥିଲା ପ୍ରତିକୂଳ ପାଗ ।

ସାଧାରଣ ଜନତାଙ୍କ ଏ ଦୁର୍ବାର ଆନ୍ଦୋଳନକୁ ନୈତିକ ସମର୍ଥନ ଯୋଗାଇ ଦେଉଛନ୍ତି ବିଭିନ୍ନ ରାଜନୈତିକ ଦଳ । ସିପିଏମ୍ ପକ୍ଷରୁ ଆଜି ପୋଲିସ ମୁଖ୍ୟାଳୟ ଘେରାଉ କରାଯାଇଥିବା ବେଳେ, ଘଟଣା ଦିନଠୁ ଧାରଣାରେ ବସି ରହିଛନ୍ତି ବିଜେପି ନେତା । ସେମାନଙ୍କ ଏକା ଜିଦ୍, ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନଦେବା ଯାଏଁ ଚାଲୁ ରହିବ ଅଭୟା ଆନ୍ଦୋଳନ ।

ଅଭୟା ଘଟଣାକୁ ୧୪ ଦିନ ଅତିକ୍ରମ କରିଥିବା ବେଳେ ଓ ସିବିଆଇ ତଦନ୍ତକୁ ୧୦ ଦିନ ବିତିଛି । ଆଉ ଏହାରି ଭିତରେ ତଦନ୍ତକାରୀ ସଂସ୍ଥାକୁ ପ୍ରତିଦିନ ମିଳିବାରେ ଲାଗିଛି ନୂଆ ନୂଆ ତଥ୍ୟ। 

OTV is now on Whatsapp

Join and get latest news update delivered to you via whatsapp

Join Now