Advertisment

ଜୀବନ ନେଇଗଲା ୬୦ ଲକ୍ଷର ଗହଣା ଚୋରି

ଝାରସୁଗୁଡ଼ାରେ ସେଲ୍ସମ୍ୟାନ୍‌ଙ୍କୁ ପିଟିପିଟି ହତ୍ୟା। ମିଳିମିଶି ମାରିଦେଲେ ଗହଣା ଦୋକାନୀଙ୍କ ପୁଅ ଓ କର୍ମଚାରୀ। ମାଲିକଙ୍କ ଅଭିଯୋଗ, ଚୋରି ସୁନା ବନ୍ଧକ ରଖିଥିଲେ ସେଲ୍ସମ୍ୟାନ୍।

author-image
Pramod Behera
Jharsuguda salesman murder case

Jharsuguda salesman murder case

ଭାସିଗଲା ପରିବାର, ଉଜୁଡ଼ିଗଲା ସଂସାର। ଘରର ଏକମାତ୍ର ରୋଜଗାରିଆ ପୁଅକୁ ଝୁରି ହେଉଛି ସାରା ପରିବାର। ପତ୍ନୀର ଛାତିଫଟା କାନ୍ଦ ଦେଖିଲେ କାହାର ବା ଧୈର୍ଯ୍ୟ ଧରିବ। ବୟସ୍କ ବାପା ବି କାନ୍ଦ କାନ୍ଦ ହୋଇ କହୁଛନ୍ତି ଗୁରୁଣ୍ଡି ଗୁରୁଣ୍ଡି ଚାଲୁଥିବା କଅଁଳା ପିଲାଟିକୁ ଏବେ ପୋଷିବ କିଏ। ପୁଅର ଏଭଳି ଦଶା ଯିଏ କରିଛି, ତାକୁ କଡ଼ା ସଜ୍ଜା ଦେବାକୁ ଦାବି କରିଛନ୍ତି ବାପା।

Advertisment

ବୌଦ୍ଧ ଜିଲ୍ଲା ମହେଶ୍ୱରପିଣ୍ଡା ଗାଁର ସୁରେଶ ପାଣ୍ଡେ ଆଜି ଏ ଦୁନିଆରେ ଆଉ ନାହାଁନ୍ତି। ହତ୍ୟାର ଶୀକାର ହୋଇଛନ୍ତି ସୁରେଶ। ଝାରସୁଗୁଡ଼ାରେ ଓଡ଼ିଶା ଜୁଏଲାରୀ ୱାର୍ଲଡ ନାମକ ଏକ ଅଳଙ୍କାର ଦୋକାନରେ ସେଲ୍ସମ୍ୟାନ୍ ଭାବେ କାମ କରୁଥିଲେ ସେ। କିନ୍ତୁ ୬୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି ଅଭିଯୋଗରେ ମାଲିକଙ୍କ ପୁଅ ନିସ୍ତୁକ ମାଡ଼ ମାରି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପରିକି ଚୋରି ସୁନାର ଭରଣା ପାଇଁ ସୁରେଶଙ୍କ ପରିବାର ଲୋକଙ୍କୁ ବି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।

ଅଳଙ୍କାର ଦୋକାନୀଙ୍କ ପୁଅ ହେଲେ ନବନୀତ ସରୱାଗୀ ଓରଫ୍ ଛୋଟୁ। ସେ ତାଙ୍କ ଦୋକାନର କର୍ମଚାରୀଙ୍କ ମିଶି ସୁରେଶ ପାଣ୍ଡେଙ୍କୁ ଅଗଷ୍ଟ ୮ରେ ବନ୍ଦ ଘରେ ଦରମରା କରି ମାଡ଼ମାରି ଅଗଷ୍ଟ ୯ରେ ଝାରସୁଗୁଡ଼ା ପୋଲିସ୍‌କୁ ଜିମା ଦେଇଥିଲ। ସୁରେଶଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ହସ୍‌ପିଟାଲ୍ ଓ ପରେ ବୁର୍ଲା ସ୍ଥାନାନ୍ତର କରିଥିଲା ପୋଲିସ। ଶେଷରେ ଚିକିତ୍ସାଧିନ ଅବସ୍ଥାରେ କାଲି ପ୍ରାଣ ହରାଇଛନ୍ତି ସୁରେଶ।

Advertisment

ଅଭିଯୋଗ ଅନୁଯାୟୀ, ସୁରେଶ ଏହି ଅଳଙ୍କାର ଦୋକାନରୁ ବିଭିନ୍ନ ସମୟରେ ପ୍ରାୟ ୬୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି କରିଥିଲେ। ଅଳଙ୍କାର ସବୁକୁ ବିଭିନ୍ନ ସୁନା ଫାଇନାନ୍ସ କମ୍ପାନୀରେ ବନ୍ଧକ ରଖୁଥିଲ॥ ସିସିଟିଭି ଫୁଟେଜ୍ ଓ ସୁରେଶଙ୍କ ଝାରସୁଗୁଡ଼ା ଘରୁ ପ୍ରାଇସ୍‌ଟ୍ୟାଗ୍ ମିଳିବା ପରେ କିଛି କର୍ମଚାରୀଙ୍କ ସହ ମିଶି ଦୋକାନୀ ମାଲିକଙ୍କ ପୁଅ ତାଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି, ଯାହାଙ୍କୁ ଏବେ ଗିରଫ କରି ତଦନ୍ତ କରୁଛି ପୋଲିସ। ତେବେ ଏ ସମ୍ପର୍କରେ କିନ୍ତୁ ମାଲିକଙ୍କ ପୁଅ ନବନୀତ କୌଣସି ପ୍ରତିକ୍ରିୟା ରଖିବାକୁ ଚାହିଁ ନାହାନ୍ତି।

ଗତବର୍ଷ ଫେବୃୟାରୀରେ ବିବାହ କରିଥିବା ସୁରେଶଙ୍କ ଘରେ ଏବେ ରହିଗଲେ ୯ ମାସର ଶିଶୁକନ୍ୟା ସହ ପତ୍ନୀ ଏବଂ ବୟସ୍କ ବାପା, ମା। ସେମାନଙ୍କୁ ଏବେ ଦାନା ଦେବ କିଏ ଏହାକୁ ନେଇ ସମସ୍ତେ ଚିନ୍ତାରେ।

(ରିପୋର୍ଟ : ସୋନପୁରରୁ ରବୀନ୍ଦ୍ର ହୋତା ଏବଂ ଝାରସୁଗୁଡ଼ାରୁ ଭାଗୀରଥି ସାହୁ )

Odisha News Murder Cases
Advertisment
Advertisment