/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679651215.jpg)
Jharkhand woman
ମା’ ଏମିତି ଏକ ଶବ୍ଦ ଯାହାର ତୁଳନା ନାହିଁ । ପିଲାଟିକୁ ଗର୍ଭରେ ଧାରଣ କରିବା ସହ ଅନେକ କଷ୍ଟ ସହି ନିଜର ସନ୍ତାନକୁ ଜନ୍ମ ଦେଇଥାଏ । ପରେ ତାକୁ ଲାଳନପାଳନ କରି ଦୁନିଆ ଆଗରେ ଭଲ ମଣିଷଟିଏ କରି ଛିଡ଼ା କରିଥାଏ । ହେଲେ ସେହିପରି ଏକ ମମତାମୟୀ ମା’ ଏଠି ନିର୍ଦ୍ଦୟ ପାଲଟିଯାଇଛି । ଶିଶୁକୁ ଅନ୍ତଫାଡ଼ି ଜନ୍ମ ଦେବାପରେ କିଛି ଟଙ୍କା ପାଇଁ ବିକ୍ରି କରିଦେଇଛି ।
ବୋଧହୁଏ ଦାରିଦ୍ର୍ୟ ଆଗରେ ହାର୍ ମାନିଛି ମମତା । ଶିଶୁଟିକୁ ଜନ୍ମ ଦେବାର ମାତ୍ର କିଛି ମିନିଟ୍ ପରେ ୪ଲକ୍ଷ ୫୦ ହଜାର ଟଙ୍କାରେ ବିକ୍ରି କରିଛି ଜନ୍ମକଲା ମା’ । ଏପରି ଏକ ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ମା’କୁ ପୋଲିସ ଗିରଫ କରିଛି । ଖାଲି ସେତିକି ନୁହେଁ ଶିଶୁଟିର ମା’ ସହିତ ଅନ୍ୟ ୧୧ଜଣଙ୍କୁ ମଧ୍ୟ ଏହି ମାମଲାରେ ପୋଲିସ ଗିରଫ କରିଥିବା ସୂଚନା ଦେଇଛି । କାହିଁକି ମହିଳା ଜଣକ ଏପରି ଏକ ଅମାନବୀୟ ଘଟଣା ଘଟାଇଲେ, ସେନେଇ ପୋଲିସ ପଚରାଉଚରା କରୁଛି ।
ଗତକାଲି ଝାଡ଼ଖଣ୍ଡର ଚତ୍ରା ଜିଲ୍ଲାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ପୋଲିସର ସୂଚନା ଅନୁଯାୟୀ ଅଭାଗିନୀ ମା’ ନିଜର ସନ୍ତାନକୁ ଜନ୍ମ ଦେବା ପରେ ସାଢ଼େ ୪ ଲକ୍ଷ ଟଙ୍କାରେ ଅନ୍ୟ ଜଣଙ୍କୁ ବିକ୍ରି କରିଦେଇଛି । ଘଟଣାକୁ ନେଇ ଅଭିଯୋଗ ହେବା ପରେ ଚତ୍ରାର ଡେପୁଟି କମିଶନର ଅବୁ ଇମ୍ରାନ୍ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଅଭିଯୁକ୍ତ ମା’କୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ମୋଟ୍ ୧୧ଜଣଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ପୋଲିସ ସେମାନଙ୍କୁ ଗିରଫ କରିଛି ।
ଗିରଫ ସମୟରେ ଅଭିଯୁକ୍ତ ମା’ ନିକଟରୁ ନଗଦ ୧ଲକ୍ଷ ଟଙ୍କା ଜବତ ହୋଇଛି । ବାକି ଟଙ୍କା ଏହି କିଣାବିକାରେ ମଧ୍ୟସ୍ଥି କାମ କରିଥିବା ବ୍ରୋକରମାନେ ନେଇଯାଇଥିବା ଜଣାପଡ଼ିଛି। ତେବେ କାହିଁକି ମା’ ଜଣକ ଏପରି ଏକ ଅଭାବନୀୟ ଘଟଣା ଘଟାଇଲେ ତାକୁ ନେଇ ଜୋରଦାର ତଦନ୍ତ କରୁଛି ଚତ୍ରା ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)