ଛାତ୍ରୀଙ୍କୁ ଚାପୁଡ଼ା ମାରିଲେ ଶିକ୍ଷୟିତ୍ରୀ । ଅପମାନ ସହିପାରିଲେନି, ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ । ମଥାରେ ବିନ୍ଦି ଲଗାଇ ସ୍କୁଲ ଆସିଥିବାରୁ ସମସ୍ତଙ୍କ ସାମ୍ନାରେ ପ୍ରାର୍ଥନା ସଭାରେ ଚାପୁଡ଼ା ମାରିଲେ ଶିକ୍ଷୟିତ୍ରୀ । ଏଥିରେ ମାନସିକ ଭାବେ ଭାଙ୍ଗି ପଡ଼ିଥିବା ଛାତ୍ରୀଜଣକ ଶେଷରେ ଝୁଲି ପଡ଼ି ନିଜ ଜୀବନ ହାରିଲେ । ଏପରି ଏକ ସମ୍ବେଦନଶୀଳ ଘଟଣା ଝାଡ଼ଖଣ୍ଡର ଧାନବାଦରେ ଘଟିଛି। ମୃତ ଛାତ୍ରୀଜଣକ ହେଲେ ୧୬ ବର୍ଷୀୟା ଉଷା କୁମାରୀ । ଘଟଣାରେ ସ୍କୁଲର ଶିକ୍ଷୟିତ୍ରୀ ଓ ପ୍ରଧାନଶିକ୍ଷକଙ୍କୁ ପୋଲିସ ଗିରଫ କରିଛି ।
ଘଟଣାଟି ଗତ ସୋମବାର ଘଟିଥିବା ଜଣାପଡ଼ିଛି । ଏକ ଘରୋଇ ସ୍କୁଲର ୧୦ମ ଶ୍ରେଣୀ ଛାତ୍ରୀ ଉଷା କୁମାରୀ ମଥାରେ ବିନ୍ଦି ଲଗାଇ ସ୍କୁଲକୁ ଯାଇଥିଲେ। ମାତ୍ର ପ୍ରାର୍ଥନା ସଭାରେ ଏହା ଦେଖି ତାଙ୍କ ଉପରେ ରାଗି ଯାଇଥିଲେ ଜଣେ ଶିକ୍ଷୟିତ୍ରୀ । ସେ ଉଷାଙ୍କ ଗାଲକୁ ଚାପୁଡ଼ା ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏହାପରେ ହନୁମାନଗଢ଼ି କଲୋନିସ୍ଥିତ ଘରକୁ ଫେରି ଉଷା ସିଲିଙ୍ଗ୍ ଫ୍ୟାନ୍ରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ ।
ଉଷା ସ୍କୁଲରୁ ବିଚଳିତ ହୋଇ ଫେରିବା ପରେ ନିଜକୁ ରୁମ୍ ଭିତରେ ବନ୍ଦ କରି ଦେଇଥିଲେ। ଏହାପରେ ଫ୍ୟାନ୍ରେ ଝୁଲି ପଡ଼ି ଜୀବନ ହାରିଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଝିଅ ନ ବାହାରିବାରୁ ପରିବାର ଲୋକେ କବାଟ ଭାଙ୍ଗି ଝିଅର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଲେ।
Also Read
ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେ ପାଇଁ ପଠାଇଛି । ଜୀବନ ହାରିବା ପୂର୍ବରୁ ଉଷା ୟୁନିଫର୍ମ ପକେଟ୍ରେ ଏକ ‘ସୁଇସାଇଡ୍ ନୋଟ୍’ ବି ରଖିଯାଇଥିଲେ। ସେଥିରେ ସେ ଏ ଘଟଣା ପାଇଁ ସ୍କୁଲ୍ ଶିକ୍ଷୟିତ୍ରୀ ଓ ପ୍ରିନ୍ସିପାଲ୍ଙ୍କୁ ଦାୟୀ କରିଛନ୍ତି । ତେଣୁ ଉଭୟଙ୍କୁ ଗିରଫ କରାଯାଇଥିବା କଥା ପୋଲିସ ସୂଚନା ଦେଇଛି । ଏହି ଘଟଣା ପାଇଁ ଉତ୍ତ୍ୟକ୍ତ ଲୋକେ ସ୍କୁଲ ମ୍ୟାନେଜମେଣ୍ଟକୁ ଦାୟୀ କରିଥିବା ବେଳେ ତୁରନ୍ତ ଘଟଣାର ଯାଞ୍ଚ ପାଇଁ ପୋଲିସ୍ ପ୍ରତିଶ୍ରୁତି ଦେବାରୁ ଉତ୍ତେଜନା ଥମିଥିଲା ।