• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜେଲ୍‌ରେ କଟିଲା ମାୟାବିନୀ ଅର୍ଚ୍ଚନା ନାଗ୍‌ର ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ପ୍ରଥମ ରାତି । ଉଭୟେ ଏବେ ଗୋଟିଏ ଜେଲରେ ଥିବାବେଳେ ଅର୍ଚ୍ଚନା ରହିଛନ୍ତି ମହିଳା ୱାର୍ଡରେ ଆଉ ତାଙ୍କ ସ୍ୱାମୀ ଜଗବନ୍ଧୁ ରହିଛନ୍ତି ପୁରୁଷ ୱାର୍ଡରେ । ତେବେ ଜେଲ୍ ମାନୁଆଲ ଅନୁଯାୟୀ, ଜେଲ୍‌ର ରହଣୀ କାଳ ମଧ୍ୟରେ ଉଭୟେ ପତି-ପତ୍ନୀ ଭେଟ ହୋଇପାରିବେ । ସପ୍ତାହକୁ ଥରେ ଅର୍ଚ୍ଚନା-ଜଗବନ୍ଧୁ ଦେଖାସାକ୍ଷାତ କରିପାରିବେ । ଏଥିପାଇଁ ରବିବାରକୁ ଧାର୍ଯ୍ୟ କରାଯାଇଛି ଦିନ । ମହିଳା ୱାର୍ଡର ଏବଂ ପୁରୁଷ ୱାର୍ଡରଙ୍କ ଉପସ୍ଥିତିରେ ଅର୍ଚ୍ଚନା ଏବଂ ଜଗବନ୍ଧୁ ଦେଖା କରିପାରିବେ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ଜଗବନ୍ଧୁଙ୍କୁ ଗତକାଲି ଗିରଫ କରିବା ସହ ପୋଲିସ ଏକ ଡାଏରୀ ଜବତ କରିଛି । ସେହି ଡାଏରୀରୁ ଅନେକଙ୍କ ନାଁ ସାମ୍ନାକୁ ଆସିବ ବୋଲି ଆଶଙ୍କା କରାଯାଉଛି । ଜଗବନ୍ଧୁକୁ ଗିରଫ ପରେ ତା ଘରୁ ଡାଏରୀ ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ମିଳିଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ଗିରଫ ଜଗବନ୍ଧୁ ନିକଟରୁ ୪ଟି ମୋବାଇଲ ଓ ଗୋଟିଏ ଲାପ୍‌ଟପ୍ ମଧ୍ୟ ମିଳିଛି । ତେବେ ଜବତ ଡାଏରୀରେ କାହା ନାଁ ରହିଛି ଏବଂ ତଦନ୍ତ ବେଳେ ତାହା ସାମ୍ନାକୁ ଆସିବ କି ନାହିଁ , ତାକୁ ନେଇ ଲାଗିରହିଛି ସସ୍‌ପେନ୍ସ । ଡିସିପି କହିଛନ୍ତି ଏ ମାମଲାରେ ଯାହାର ବି ସଂପୃକ୍ତି ଥିବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଗତ ୬ ତାରିଖରେ ଅର୍ଚ୍ଚନା ନାଗକୁ ଗିରଫ କରିଥିଲା ଖଣ୍ଡଗିରି ଥାନା ପୋଲିସ । ଅର୍ଚ୍ଚନାଙ୍କ ଭଳି ଜଗବନ୍ଧୁଙ୍କ ନାଁରେ ବି ସମାନ ଅଭିଯୋଗ ରହିଥିଲା । ଉଭୟଙ୍କ ନାଁରେ ପୀଡ଼ିତାଙ୍କୁ ଡରାଇବା, ବ୍ଲାକମେଲିଂ, ଦାଦାବଟି ଆଦାୟ ଆଦି ଅଭିଯୋଗ ରହିଥିଲା । ଜଗବନ୍ଧୁଙ୍କ ସଂପୃକ୍ତି ନେଇ ଠୋସ୍ ପ୍ରମାଣ ପରେ ତାଙ୍କୁ ଗିରଫ କରାଯାଇଥିବା ଡିସିପି କହିଛନ୍ତି ।

ସେପଟେ ପୀଡ଼ିତାଙ୍କ ୧୬୪ ଧାରାରେ ବୟାନ ରେକର୍ଡ ହୋଇଥିବା ଡିସିପି ସୂଚନା ଦେଇଛନ୍ତି । ଅର୍ଚ୍ଚନା-ଜଗବନ୍ଧୁଙ୍କ ଆର୍ଥିକ କାରବାରର ଖୋଳତାଡ଼ ଚାଲିଛି । ଉଭୟଙ୍କ ଆକାଉଣ୍ଟ ଟ୍ରାନଜାକ୍ସନର ତଥ୍ୟ RBIକୁ ମାଗାଯାଇଥିଲା । ସେମାନେ କେଉଁଠୁ ଟଙ୍କା ଆଣୁଥିଲେ, କାହାକୁ ଦେଉଥିଲେ ସେସବୁର ତଦନ୍ତ ଚାଲିଛି ଏବଂ ଆଗକୁ ଏହା ଅଧିକ ସ୍ପଷ୍ଟ ହେବ ବୋଲି ଡିସିପି କହିଛନ୍ତି । ସେପଟେ ଗିରଫ ପରେ ଜଗବନ୍ଧୁର ଜାମିନ୍ ଆବେଦନ ଖାରଜ ହେବାରୁ ତାକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ତେବେ କ’ଣ ରହିଛି ଜଗବନ୍ଧୁର ଏହି ରହସ୍ୟଜନକ ଡାଏରୀରେ ? ଡାଏରୀରେ ରହିଛି କି ନେତା, ମନ୍ତ୍ରୀ, ବାବୁ ଭାୟାଙ୍କ ନାଁ ? ଡାଏରୀରେ ରହିଛି କି ଆର୍ଥିକ କାରବାରର ଗୁମର ? କାହାଠୁ କେତେ ଟଙ୍କା ଆସୁଥିଲା, ଡାଏରୀରେ ଲେଖାଯାଇଛି କି ହିସାବ ? ଏବେ ଏଭଳି ନାନା ପ୍ରଶ୍ନ ଛିଡ଼ା ହୋଇଥିବା ବେଳେ ଡାଏରୀରେ ଥିବା ତଥ୍ୟ ପୋଲିସ ସାମ୍ନାକୁ ଆଣିବ ନା ତଦନ୍ତ ଆଳରେ ତଥ୍ୟକୁ ଗୁପ୍ତ ରଖିବ, ତାକୁ  ଅପେକ୍ଷା ।