Advertisment

ଆଳୁ ଖୋଳୁ ଖୋଳୁ ମହାଦେବ ! ଆଇଟି ରେଡ୍ ବେଳେ ମିଳିଲା ନଗଦ ୨୦୦ କୋଟି ଟଙ୍କା

ବଲାଙ୍ଗିରରେ ଆୟକର ଫାଙ୍କି ଅଭିଯୋଗରେ ଚଢ଼ାଉ...ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀ ଅଫିସରେ ରେଡ୍...ଆଲମିରା ଭିତରେ ଥାକମାରି ରଖାଯାଇଥିଲା ୨୦୦ କୋଟି... ମଦ ପ୍ରସ୍ତୁତକାରୀ କଂପାନୀ ଉପରେ ବଡ଼ ଧରଣର ରେଡ୍ ...

author-image
Prangyan Parimita
ଅଦ୍ୟତନ ହୋଇଛି
it raid

it raid

ଆଳୁ ଖୋଳୁ ଖୋଳୁ ମହାଦେବ । ଆୟକର ଫାଙ୍କି ଅଭିଯୋଗରେ ଚଢ଼ାଉ ବେଳେ ହାତରେ ଲାଗିଲା ଦୁଇ ଶହ କୋଟିରୁ ଅଧିକ ନଗଦ ଟଙ୍କା। ଅଚାନକ ଏତେ ଟଙ୍କା ଦେଖି ତାଜୁବ୍ ଆୟକର ବିଭାଗ। ମଦ ତିଆରି କରୁଥିବା ଏକାଧିକ କମ୍ପାନୀ ଆୟକର ଫାଙ୍କିଥିବା ଅଭିଯୋଗରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିଲା ବଡ଼ଧରଣର ଆଇଟି ରେଡ୍। ପଶ୍ଚିମ ଓଡ଼ିଶାର ଅନ୍ୟତମ ବଡ଼ ଦେଶୀ ମଦ ପ୍ରସ୍ତୁତକାରୀ ଓ ବିକ୍ରୟକାରୀ କଂପାନୀ କୁହାଯାଉଥିବା ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀର ବଲାଙ୍ଗିର ଅଫିସରେ ରେଡ୍ ବେଳେ ଧରାପଡ଼ିଲା ୨୦୦ କୋଟିରୁ ଅଧିକ ନଗଦ ଟଙ୍କା ।

Advertisment

ଆଲମିରା ଭିତରେ ଥାକମାରି ରଖାଯାଇଥିଲା ବିଡ଼ା ବିଡ଼ା ଟଙ୍କା । ଏହି ଘଟଣା ପରେ ଆୟକର ବିଭାଗ ସ୍କାନରକୁ ଆସିଛନ୍ତି ଏହି ସଂସ୍ଥାର ମୁଖ୍ୟ ଉଦୟଶଙ୍କର ପ୍ରସାଦ । ଘଟଣା ସଂପର୍କରେ ଆୟକର ବିଭାଗ କିମ୍ବା ଉଦୟ ଶଙ୍କରଙ୍କ ପ୍ରତିକ୍ରିୟା ମିଳିନଥିଲେ ମଧ୍ୟ, ଆୟକର ଫାଙ୍କି ଅଭିଯୋଗରେ ଆରମ୍ଭ ହୋଇଥିବା ତଦନ୍ତର ଏବେ ପରିସର ନିଶ୍ଚିତ ରୂପ ବଢ଼ିବ ବୋଲି ଅନୁମାନ କରାଯାଉଛି। ଏତେ ଟଙ୍କା କାହିଁକି ଅଫିସରେ ରଖାଯାଇଥିଲା, କେଉଁ ସୂତ୍ରରୁ ଏହା ଆସିଥିଲା, ଏହାର ଉତ୍ସ କଣ, କେବେଠାରୁ ଏତେ ଟଙ୍କା ସେଠାରେ ରଖାଯାଇଥିଲା, କେଉଁ କ୍ଷେତ୍ରରେ ଏହାକୁ ଖର୍ଚ୍ଚ କରାଯାଇଥାନ୍ତା, ଏସବୁର ଉତ୍ତର ଖୋଜିବା ପାଇଁ ଏବେ ସବୁ କଳବଳ କୌଶଳ ଲଗାଇଦେବ ଆୟକର ବିଭାଗ । ନଗଦ ଦେଢ଼ ଶହ କୋଟି ଟଙ୍କା ଜବତ ହେବା ପରେ ଏହାକୁ ଗଣିବା ପାଇଁ ଗତରାତିରେ ବଲାଙ୍ଗିର SBI ମୁଖ୍ୟ ଶାଖାକୁ ସ୍ଥାନାନ୍ତର କରାଯାଇଛି ।

Advertisment

ସୂଚନା ଅନୁସାରେ, ଗତାକାଲି ଆଇଟି ରେଡ୍ ହୋଇଥିବା ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ କଂପାନୀର ପାର୍ଟନରସିପ୍ ଫାର୍ମ ହେଉଛି ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀ। ଗତକାଲି ସୁନ୍ଦରଗଡ ସହରର ମଦ ବ୍ୟବସାୟୀ ରାଜକିଶୋର ପ୍ରସାଦ ଜୟସ୍ୱାଲଙ୍କ ଘର, ଅଫିସ ଓ ସର୍ଗିପାଲି ସ୍ଥିତ ଦେଶୀ ମଦ ଭାଟିରେ ମଧ୍ୟ ଚଢାଉ କରିଥିଲା ଆୟକର ଟିମ୍। ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡର ପଳାସପଲ୍ଲୀ ସ୍ଥିତ କର୍ପୋରେଟ୍ ଅଫିସ ଏବଂ କିଛି ଅଧିକାରୀଙ୍କ ଘରେ ମଧ୍ୟ ରେଡ୍ ହୋଇଥିଲା।

ବୌଦ୍ଧ ରା଼ମ୍ଭିକଟା ସ୍ଥିତ କମ୍ପାନୀର ଫ୍ୟାକ୍ଟ୍ରି ଓ ଅଫିସରେ ବି ଚଢାଉ ହୋଇଛି। କମ୍ପାନୀ ସହ ଲିଙ୍କ ଅଭିଯୋଗରେ ବୌଦ୍ଧ ପୁରୁଣା କଟକର ବ୍ୟବସାୟୀ ଅଶୋକ କୁମାର ଅଗ୍ରୱାଲଙ୍କ ରାଣୀସତୀ ରାଇସ ମିଲ, ବାସଭବନ ଓ ଅନ୍ୟ ସ୍ଥାନରେ ଚଢାଉ କରିଛନ୍ତି ଆୟକର ଟିମ୍। .. ସେପଟେ ବଲାଙ୍ଗୀର ଓ ଟିଟିଲାଗଡରେ ମଧ୍ୟ ଏକାଧିକ ମଦ ବ୍ୟବସାୟୀଙ୍କ ଉପରେ ଚଢାଉ ହୋଇଛି। ମଦ ବ୍ୟବସାୟୀ ସଞ୍ଜୟ ସାହୁ ଓ ଦୀପକ ସାହୁଙ୍କ ଘର ଏବଂ ମଦଭାଟିରେ ଆୟକର ବିଭାଗର ୩୦ ଜଣିଆ ଟିମ୍ ଚଢଉ କରିଛି।..

ଏହି ଲିଙ୍କରେ ଆୟକର ଟିମ୍ କୋଲକାତା ଓ ରାଞ୍ଚିରେ ମଧ୍ୟ ଚଢ଼ାଉ କରିଥିବା ସୂଚନା ମିଳିଛି। ସଂସ୍ଥାର ଏକାଧିକ ଡାଇରେକ୍ଟର ଓ ଏମଡି ସ୍କାନରକୁ ଆସିବା ପରେ ସେମାନଙ୍କ ଘରେ ରେଡ୍ ହୋଇଛି। ତେବେ ଆୟକର ଚଢାଉ ନେଇ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ କିମ୍ବା ଅନ୍ୟ କୌଣସି ପକ୍ଷର ପ୍ରତିକ୍ରିୟା ମିଳିପାରିନାହିଁ ।

Income Tax Raid
Advertisment
Advertisment