• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଖୋର୍ଦ୍ଧା ଜେଲ ପାଲିଟିଛି ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳ । ଖୋଦ୍ ଏଇ ଜେଲ ଭିତରୁ ମୋବାଇଲ୍ ଫୋନ୍ ମିଳିବା ପରେ ଧଳାଜହର ସିଜ୍ ସହ ଆରେଷ୍ଟ ହୋଇଛନ୍ତି ୬ ଡ୍ରଗ୍ସ ବେପାରୀ । ତେବେ କେମିତି ଜେଲକୁ ଆସୁଛି ଫୋନ୍, ତାକୁ ନେଇ ତନାଘନା ଚାଲିଥିବାବେଳେ, ଢିଲା ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରିଛନ୍ତି ସହରବାସୀ। ଆଉ ଏସପି କହିଛନ୍ତି ବ୍ରାଉନସୁଗାର ମାମଲାରେ ଖୋର୍ଦ୍ଧା ପୋଲିସର ରହିଛି ଜିରୋ ଟଲରାନସ୍ ନୀତି ।

ଧଳା ଜହର ବେପାରର ନୂଆ ହବ୍ ଖୋର୍ଦ୍ଧା । ଜେଲ କାରାଗାରରୁ ଅପରେଟ ହେଉଛି ବ୍ରାଉନସୁଗାର ବ୍ୟବସାୟର ନୀଳ ନକ୍ସା ।  ୨୪ ଘଣ୍ଟିଆ ସତର୍କ ନଜର ସତ୍ତ୍ବେ ଏଇ ଜେଲ ଭିତରେ ବୁଲୁଛି ପୁଳା ପୁଳା ମୋବାଇଲ । ଗତ ୨୧ ତାରିଖ ଦିନ ଖୋର୍ଦ୍ଧା ଜେଲ ଭିତରୁ ଏକ ମୋବାଇଲ ଫୋନ ସିଜ୍ ହେବା ପରେ ତାର ସିଡିଆର ଯାଞ୍ଚ ପରେ ଟେରା ହୋଇଯାଇଥିଲା ସ୍ଥାନୀୟ ପୋଲିସ୍ । ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ନ୍ୟାୟରେ ପୋଲିସ ୬ଜଣ ଧଳଜହର ବେପାରିଙ୍କୁ ଗିରଫ କରିଥିଲା ଓ ସେମାନଙ୍କ ପାଖରୁ ୨୬୫ ଗ୍ରାମ ଓଜନର ବ୍ରାଉନସୁଗାର ବି ଜବତ କରିଥିଲା । ତଥ୍ୟ କହୁଛି ଖୋର୍ଦ୍ଧା ଜେଲରେ ଆଜିକା ତାରିଖରେ ୯୫ ଜଣ ବ୍ରାଉନସୁଗାର ବ୍ୟବସାୟରେ ସଂପୃକ୍ତ ଅଭିଯୁକ୍ତ ଅଛନ୍ତି । ଯାହାଙ୍କ ପାଖରୁ ବିଭିନ୍ନ ସମୟରେ ୨୦ରୁ ଅଧିକ ମୋବାଇଲ ଫୋନ୍ ଜବତ ହେଲାଣି । ଏମିତିକି ଜେଲ ସୁପରିଟଣ୍ଡେଣ୍ଟ ମାନିଛନ୍ତି- ଖୋର୍ଦ୍ଧା ସହର ଭିତରେ ଜେଲ ଥିବାରୁ ବାହାର ପଟୁ ଏସବୁ ମୋବାଇଲ ଜେଲ ଭିତରକୁ ଫୋପଡା ଯାଉଛି। 

ଆଉ ଜେଲରେ ସ୍ବଳ୍ପ ସଂଖ୍ୟକ କର୍ମଚାରୀ ଏ ସମ୍ପର୍କରେ ଟେର୍ ପାଉନାହାନ୍ତି । ତେଣୁ ଏହାକୁ ରୋକିବା ଦିଗରେ ସେ ପୋଲିସର ସହଯୋଗ ବି ଲୋଡିଛନ୍ତି । ଏଣେ ଖୋର୍ଦ୍ଧା ପୋଲିସ ଏ ଦିଗରେ ଛାନବିନ୍ ଆରମ୍ଭ କରିଥିବା ବେଳେ ଜେଲ ଉପରେ ସ୍ବତନ୍ତ୍ର ନଜର ରଖାଯିବ ବୋଲି  କହିଛନ୍ତି ଏସଡିପିଓ । ହେଲେ ଜେଲ୍‌ରୁ ମୋବାଇଲ୍ ଫୋନ୍‌ରେ ବ୍ରାଉନସୁଗାର ବେପାର ଅପରେଟ୍ ହେଉଥିବା କଥା ଶୁଣି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଖୋର୍ଦ୍ଧା ବାସିନ୍ଦା ।

 


ଏଣେ ବ୍ରାଉନ ସୁଗାର ବେପାରକୁ ନେଇ ଖୋର୍ଦ୍ଧା ଏସପି ଦେଇଛନ୍ତି ଚକିତ କଲା ଭଳି ତଥ୍ୟ । କହିଛନ୍ତି କେବଳ ଖୋର୍ଦ୍ଧା ପୋଲିସ ଗତ ୪ ବର୍ଷ ଭିତରେ ଜବତ କଲାଣି ପ୍ରାୟ ୪ କିଲୋଗ୍ରାମରୁ ଅଧିକ ଧଳା ଜହର । ଏହି କାରବାର ଦିଗରେ ପୋଲିସ ଜିରୋ ଟଲରାନ୍ସ ନୀତି ଆପଣାଇଥିବାରୁ ଗିରଫ ଅଭିଯୁକ୍ତ ମାନଙ୍କ ଫାଇନାନ୍ସିଆଲ୍‌ ଇନେଭେଷ୍ଟିଗେସନ କରାଯିବ ବୋଲି ସେ କହିଛନ୍ତି । ଏଥିସହ ଜେଲ୍‌ ଭିତରକୁ ବାହାରୁ କିଭଳି ଓ କେଉଁ ଉପାୟରେ ଯାଉଛି ମୋବାଇଲ ଫୋନ୍  ? ତା ଉପରେ ବି ତୀକ୍ଷ୍ନ ନଜର ରଖାଯିବା ସହ ଜେଲ ସିସିଟିଭି ଯାଞ୍ଚ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।