• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭରତପୁର କାଣ୍ଡର ନା କେହି ନିରପେକ୍ଷ ସାକ୍ଷୀ ଅଛନ୍ତି ନା ରହିଛି ବଳିଷ୍ଠ ପ୍ରମାଣ । ତେବେ ଅଭିଯୋଗ-ପ୍ରତି ଅଭିଯୋଗରେ ସୀମିତ ଏହି ଅଘଟଣର କେମିତି ହେବ ତଦନ୍ତ ? ପୀଡ଼ିତାଙ୍କ ଚରିତ୍ରକୁ ସଂହାର କଲା ଭଳି କିଛି ଭିଡ଼ିଓ ଯାହା ଭାଇରାଲ୍ ହେଉଥିବା ବେଳେ ଶନିବାର ରାତିରେ ଥାନାରେ ଯାହା ଘଟିଲା, ତାହା ସାମ୍ନାକୁ ଆସିନି ।

ଏଭଳି ସ୍ଥିତିରେ କିଏ ହେବ ଦୋଷୀ ? ଅଭିଯୋଗ ଓ ପ୍ରତି ଅଭିଯୋଗର ପ୍ରମାଣ ପାଇଁ ସାଇଣ୍ଟିଫିକ୍ ତଦନ୍ତ ହେବ କି ଶେଷ ଭରସା ? ସେନେଇ ନାନା ପ୍ରଶ୍ନ ଭିତରେ କୋର୍ଟଙ୍କ ବିଚାର ହିଁ ସର୍ବମାନ୍ୟ ବୋଲି ମତ ରଖିଛନ୍ତି ଆଇନଜୀବୀ । ତେଣେ ପୀଡ଼ିତା କହିଛନ୍ତି, ନ୍ୟାୟ ନମିଳିବା ପର୍ଯ୍ୟନ୍ତ ମୁଁ ଖୁସି ନୁହଁ ।

ଭୁବନେଶ୍ୱରରୁ ସାରା ଭାରତବର୍ଷକୁ ଦୋହଲାଇଦେଲା ଭରତପୁର କାଣ୍ଡ । ହେଲେ ଏହି କାଣ୍ଡର କେମିତି ହେବ ବିଚାର ବିଭାଗୀୟ ତଦନ୍ତ ? କେଉଁ ସାକ୍ଷ୍ୟ ପ୍ରମାଣ ଆଧାରରେ କାହାକୁ ଦୋଷୀ ଏବଂ କାହାକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବେ ଜଷ୍ଟିସ ସିଆର୍ ଦାଶ କମିଶନ ? ତାକୁ ନେଇ ନାନା ଆଶା ଆଶଙ୍କା । କାରଣ ଗୋଟିଏ ପଟେ ମେଜର୍ ଓ ବାନ୍ଧବୀଙ୍କ ନିର୍ଯାତନା ଅଭିଯୋଗ, ଆରପଟେ ଭରତପୁର ପୋଲିସ ପକ୍ଷରୁ ପାଲଟା ଅଭିଯୋଗ ।

ହେଲେ ଉଭୟ ପକ୍ଷ ଆଣିଥିବା ଅଭିଯୋଗର ନା କେହି ନିରପେକ୍ଷ ସାକ୍ଷୀ ଅଛନ୍ତି ନା ଅଦ୍ୟାବଧି ସେଭଳି ପ୍ରମାଣ ସାମ୍ନାକୁ ଆଣିଛି ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ । କେବଳ ଯାହା କିଛି ଭିଡ଼ିଓ କ୍ଲିପ୍ ପୀଡ଼ିତାଙ୍କ ବିରୋଧରେ ଚରିତ୍ରକୁ ସଂହାର କଲା ଭଳି ଭାଇରାଲ୍ କରାଯାଉଛି । ଯାହାକୁ ନେଇ ତଦନ୍ତ କମିଶନ ଅଧ୍ୟକ୍ଷ ନାପସନ୍ଦ ବି କରିଛନ୍ତି ।

ହେଲେ ଥାନା ଭିତରେ କ’ଣ ଘଟିଲା ? ମୋବାଇଲରେ ନିଜେ ପୀଡ଼ିତା ସୁଟ୍ କରିଥିବା ଭିଡ଼ିଓ ଗଲା କୁଆଡ଼େ ? ସିସିଟିଭି ହୀନ ଭରତପୁର ଥାନାର ୧୪ ସେପ୍ଟେମ୍ବର ରାତିର ରହସ୍ୟ ଉପରୁ ଏଯାଏଁ ପରଦା ହଟିନି । ଅର୍ଥାତ ଏହି ମାମଲାରେ ଯିଏ ଅଭିଯୁକ୍ତ, ସିଏ ହିଁ ସାକ୍ଷୀ । ଏଭଳି ସ୍ଥିତିରେ ଘଟଣାର ପୁଙ୍ଖାନୁପୁଙ୍ଖ ତର୍ଜମା କରିବା ସହ ସମସ୍ତଙ୍କ ବୟାନ ରେକର୍ଡ ବେଳେ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଛନ୍ତି ଆଇନଜୀବୀ ।

ଶନିବାର ବିଳମ୍ବିତ ରାତି । ସମୟ ୨ଟାରୁ ୨ଟା ୩୦ ମିନିଟ୍ । ବିଚ୍ ରାସ୍ତାରେ କିଛି ଯୁବକଙ୍କ ଦ୍ୱାରା ଅସଦାଚରଣ ଏବଂ ଆକ୍ରମଣର ଶିକାର ଆର୍ମି ମେଜର୍ ଏବଂ ତାଙ୍କ ବାନ୍ଧବୀ ଭରତପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । କହିଥିଲେ, ତୁରନ୍ତ PCR ପଠାଇ ସଂପୃକ୍ତ ଅସାମାଜିକଙ୍କୁ ଧରିବା ପାଇଁ । ତା’ବଦଳରେ କୁଆଡ଼େ ପୋଲିସ୍ ମାଗିଥିଲା ଲିଖିତ ଏତଲା । କିନ୍ତୁ ତା ଭିତରେ କ’ଣ ଘଟିଗଲା କେଜାଣି, ଅଭିଯୋଗ ପାଇଁ ଥାନାକୁ ଯାଇଥିବା ଉଭୟଙ୍କୁ ପାଲଟା ଅଭିଯୁକ୍ତ ସଜାଇ ଦେଲା କମିଶନରେଟ୍ ପୋଲିସ ।

ଗିରଫ କରି ପୀଡ଼ିତାଙ୍କୁ କରିଦେଇଥିଲା କୋର୍ଟଚାଲାଣ । ଏଭଳି ଘଟଣାକୁ ନେଇ କଡ଼ା ଟିପ୍ପଣୀ ଦେଇଥିଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଡିଭିଜନ ବେଞ୍ଚ । ଭରତପୁର ଥାନା ଅଘଟଣ ପ୍ରସଙ୍ଗରେ ଦାୟାର ଏକ ଜନସ୍ୱାର୍ଥ ମାମଲାର ଶୁଣାଣିବେଳେ କହିଥିଲେ ଘଟଣାକ୍ରମକୁ ଦେଖିଲା ପରେ ଏହା ବିଚଳିତ କଲା ଭଳି ମନେ ହେଉଛି ।

ଥାନାକୁ ୨ ଜଣ ପ୍ରବେଶ କରିଥିଲେ କୌଣସି ଅପରାଧ ଭିଆଇବା ପାଇଁ ନୁହେଁ, ବରଂ ଅଭିଯୋଗ ଦାଖଲ ପାଇଁ । ସେହି ସମୟ ଭିତରେ ଥାନାରେ ଯାହା ଘଟିଲା ରହସ୍ୟମୟ, ଯାହାର ତଦନ୍ତ ଚାଲିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା, ଯେତେବେଳେ ଉଭୟେ ଥାନାରୁ ବାହାରିଲେ, ସେତେବେଳେ ସେମାନଙ୍କ ନାଁରେ ଏକ FIR ସହ ହତ୍ୟା ଉଦ୍ୟମ ଭଳି ଅଭିଯୋଗ ରହିଥିଲା ।

ଏଭଳି ଘଟଣା ଜାଣିବା ପରେ ଆଉ କେହି ଥାନାକୁ ଯିବେ କି ବୋଲି ପ୍ରଶ୍ନ କରିବା ସହ ପୋଲିସକୁ ଭର୍ତ୍ସନା କରିଥିଲେ ହାଇକୋର୍ଟ । ଅର୍ଥାତ ପ୍ରାଥମିକ ଭାବେ ଭରତପୁର ପୋଲିସର ଦାୟିତ୍ୱପଣିଆକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏହି ମାମଲାରେ ନିରପେକ୍ଷ ସାକ୍ଷୀ ନଥିବାରୁ ସାଇଣ୍ଟିଫିକ୍ ତଦନ୍ତ ହେବ କି ଶେଷ ଭରସା ? ସାଇଣ୍ଟିଫିକ୍ ତଥ୍ୟ ପ୍ରମାଣ ଆଧାରରେ ପ୍ରସ୍ତୁତ ତଦନ୍ତ ରିପୋର୍ଟକୁ ଗ୍ରହଣ କରିବେ ତ କୋର୍ଟ ?

ଏସବୁ ଭିତରେ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ପୀଡ଼ିତା ଆଜି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ମୋତେ ଆଶ୍ୱସ୍ତ କରିଛି । କିନ୍ତୁ ଯେ ପର୍ଯ୍ୟନ୍ତ ନ୍ୟାୟ ନମିଳିଛି ସେ ଯାଏଁ ମୁଁ ଖୁସି ହେବି ନାହିଁ । ଭରତପୁର ଥାନା ଅଘଟଣକୁ ନେଇ ଗୋଟିଏ ପଟେ କ୍ରାଇମବ୍ରାଞ୍ଚର ତଦନ୍ତ, ଅନ୍ୟପଟେ ତଦନ୍ତ ପାଇଁ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ୍ ସିଆର୍ ଦାଶ କମିଶନ । ଆସନ୍ତା ସପ୍ତାହେ ଭିତରେ ମାମଲାର ତଦନ୍ତ ଆରମ୍ଭ କରିବେ ବୋଲି କହିସାରିଛନ୍ତି କମିଶନ ଅଧ୍ୟକ୍ଷ ।

  • Reported by:
  • GAUTAM PANDA , CHANDAN PAIKRAY

OTV is now on Whatsapp

Join and get latest news update delivered to you via whatsapp

Join Now