• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଯାଜପୁର ବିଞ୍ଝାରପୁରର ୨ ବର୍ଷୀୟା ଶିଶୁ- ପିହୁ ଅପହରଣକୁ ୩ ବର୍ଷ ବିତିଗଲାଣି। ହେଲେ ପିହୁର ଏବେ ବି ଖୋଜଖବର ନାହିଁ। ରାଜ୍ୟରେ ଅପହରଣର ଏ ଘଟଣା, କେବଳ ଭାତହାଣ୍ଡିରୁ ଗୋଟିଏ। ପ୍ରତି ୩ ଘଣ୍ଟାରେ ରାଜ୍ୟରେ ୨ ଜଣ ଅପହରଣର ଶିକାର ହେଉଛନ୍ତି। ଦୈନିକ ହାରାହାରି ୧୬ ଜଣ ଅପହରଣ ହେଉଛନ୍ତି। ଖାଲି ସେତିକି ନୁହେଁ, ପ୍ରତିବର୍ଷ ରାଜ୍ୟରେ ଅପହରଣ ମାମଲା ବଢ଼ି ଚାଲିଛି।

NCRBର ସଦ୍ୟତମ ରିପୋର୍ଟରୁ ମିଳିଛି ଏ ଲୋମଟାଙ୍କୁରା ତଥ୍ୟ। ରିପୋର୍ଟ କହୁଛି, ୨୦୨୨ରେ ରାଜ୍ୟର ୫ ହଜାର ୮୭୫ ଜଣ ଅପହରଣର ଶିକାର ହୋଇଛନ୍ତି। ଅର୍ଥାତ ପ୍ରତି ଲକ୍ଷେ ଲୋକରୁ ପ୍ରାୟ ୧୩ ଜଣ ଅପହରଣର ଶିକାର ହେଉଛନ୍ତି । ୨୦୨୧ରେ ଓଡ଼ିଶାରେ ୫ ହଜାର ୬୨୫ ଅପହରଣ ମାମଲା ରୁଜୁ ହୋଇଥିବା ବେଳେ, ୨୦୨୨ରେ ଏ ମାମଲା ସଂଖ୍ୟା ୪ ପ୍ରତିଶତ ବଢ଼ି ୫ ହଜାର ୮୫୪ରେ ପହଞ୍ଚିଛି। ସବୁଠୁ ଚିନ୍ତାର ବିଷୟ ହେଉଛି, ଅପହୃତଙ୍କ ମଧ୍ୟରୁ ୫ ହଜାର ୬୨୭ ଜଣ ୧୮ ବର୍ଷରୁ କମ୍ ବୟସର। ଆଉ ସେମାନଙ୍କ ଭିତରୁ ୫ ହଜାର ୧୩୭ ଜଣ ନାବାଳିକା। 

ତେବେ ୨୦୨୨ ଶେଷ ସୁଦ୍ଧା ଅପହରଣ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୧୩ ଜଣ ଉଦ୍ଧାର ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ପୂର୍ବତନ ପୋଲିସ ଅଧିକାରୀଙ୍କ କହିବା କଥା, ରାଜ୍ୟରେ ବାସ୍ତବ ଅପହରଣ ମାମଲା ଆହୁରି ଅଧିକ। ପୋଲିସ ଉପରେ ଲୋକଙ୍କ ଭରସା ନ ଥିବାରୁ ବହୁ ଅପହରଣ ମାମଲା ରୁଜୁ ବି ହେଉନି।  


କେବଳ ଅପହରଣ ନୁହେଁ, ନିଖୋଜରେ ବି ଦୁର୍ନାମ ଅର୍ଜୁଛି ଓଡ଼ିଶା। ୨୦୨୨ରେ ରାଜ୍ୟରେ ୧୮ ହଜାର ୫୮୭ ଜଣ ବ୍ୟକ୍ତି ନିଖୋଜ ହୋଇଛନ୍ତି। ଅର୍ଥାତ୍ ପ୍ରତିଦିନ ରାଜ୍ୟରୁ ହାରାହାରି ୫୧ ଜଣ ନିଖୋଜ ହେଉଛନ୍ତି। ଆଉ ସେମାନଙ୍କ ମଧ୍ୟରୁ ୭୫ ପ୍ରତିଶତ ଅର୍ଥାତ୍ ୧୪ ହଜାର ୭୦ ଜଣ ମହିଳା। ତା ଭିତରୁ ୭ ହଜାର ୫୬୫ ଜଣଙ୍କ ବୟସ ୧୮ ବର୍ଷରୁ କମ୍।  ଅର୍ଥାତ ୮୮ ପ୍ରତିଶତ ନାବାଳିକା।

ପରିତାପର ବିଷୟ ହେଉଛି, ୨୦୨୨ ପୂର୍ବରୁ ନିଖୋଜ ହୋଇ ଉଦ୍ଧାର ହୋଇ ନ ଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୩ ହଜାର ୧୭୨ ଥିଲା ବେଳେ ୨୦୨୨ ସୁଦ୍ଧା ଉଦ୍ଧାର ହୋଇ ନ ଥିବା ନିଖୋଜ ବ୍ୟକ୍ତିଙ୍କ ସଂଖ୍ୟା ୩୪ ହଜାର ୧୮୬କୁ ବୃଦ୍ଧି ଘଟିଛି। ସାମାଜିକ କର୍ମୀଙ୍କ ମତରେ, ଅଧିକାଂଶ କ୍ଷେତ୍ରରେ ନିଖୋଜ ଶିଶୁ ଓ ମହିଳାଙ୍କୁ ଦଲାଲମାନେ ଭିକ୍ଷାବୃତ୍ତି, ବେଶ୍ୟାବୃତ୍ତି ଓ ଅନ୍ୟ ଘରୋଇ କାର୍ଯ୍ୟରେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ତେଣୁ ନିଖୋଜ ମାମଲାଗୁଡ଼ିକୁ ଗୁରୁତର ଅପରାଧ ଭାବେ ବିବେଚନା କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। 

  • Reported by:
  • KAPILENDRA PRADHAN